Categories: ଖେଳ

ଭାରତ ପୁରୁଷ ଦଳ ପ୍ରଥମ ଥର ଜିତିଲା ସ୍ବର୍ଣ୍ଣ

ଚେଅଙ୍ଗଜୁ (ଦକ୍ଷିଣ କୋରିଆ), ୫ା୧୧(ପି.ଟି.): ଏସିଆନ ସ୍କ୍ବାଶ ଟିମ୍‌ ଚାମ୍ପିୟନଶିପ୍‌ରେ ସୌରଭ ଘୋସାଲଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ଦଳ ପ୍ରଥମ ଥର ସ୍ବର୍ଣ୍ଣ ଜିତିବାରେ ସଫଳ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଦଳ ୨-୦ରେ କୁଏଟକୁ ପରାସ୍ତ କରିଛି। ରମିତ ଟଣ୍ଡନ ୧୧-୫, ୧୧-୭, ୧୧-୪ରେ ଅଲି ଆରାମେଜିଙ୍କୁ ପରାସ୍ତ କରି ଭାରତକୁ ଅଗ୍ରଣୀ କରାଇଥିଲେ। ପରେ ଘୋସାଲ ୧୧-୯, ୧୧-୨, ୧୧-୩ରେ ହରାଇ ଦେଇଥିଲେ। ଭାରତ ୨-୦ରେ ଅଗ୍ରଣୀ ଲାଭ କରିବା ଦ୍ୱାରା ଆଗୁଆ ମୁକାବିଲା ଜିତିନେଇଥିଲା। ଫଳରେ ଅଭୟ ସିଂ ଓ ଫାଲା ମହମ୍ମଦଙ୍କ ମଧ୍ୟରେ ତୃତୀୟ ମ୍ୟାଚର ଆବଶ୍ୟକ ପଡ଼ି ନ ଥିଲା। ପ୍ରଥମ ଦୁଇଟି ମ୍ୟାଚ ୧-୧ ସ୍ତରରେ ରହିଥିଲେ ନିର୍ଣ୍ଣାୟକ ତୃତୀୟ ମ୍ୟାଚ ଖେଳାଯାଇଥାନ୍ତା। ପୂର୍ବରୁ ଦୁଇଥର ରୌପ୍ୟ ପଦକ ଲାଭ କରିଥିବା ଭାରତୀୟ ପୁରୁଷ ଦଳ ଏଠାରେ ଟପ୍‌ ସିଡ୍‌ ମାନ୍ୟତା ପାଇଥିଲା। ଦଳ ପ୍ରଭାବୀ ପ୍ରଦର୍ଶନ ସହ ପୁଲ୍‌ ଏ’ରେ ସମସ୍ତ ମ୍ୟାଚରେ ବିଜୟ ଲାଭ କରି ଶୀର୍ଷରେ ରହିଥିଲା। ଦଳ କାତାର, ପାକିସ୍ତାନ, କୁଏଟ୍‌, ଦକ୍ଷିଣ କୋରିଆ ବିପକ୍ଷରେ ବିଜୟ ହାସଲ କରିବା ସହ ଚାଇନିଜ ତାଇପେକୁ ୩-୦ରେ ପରାସ୍ତ କରିଥିଲା। ପରେ ମାଲେସିଆକୁ ୨-୧ରେ ପରାଜିତ କରି ସେମିଫାଇନାଲରେ ପ୍ରବେଶ କରିଥିଲା।
ଭାରତୀୟ ମହିଳା ଦଳ ପୁଲ୍‌ ‘ବି’ରେ ଦୁଇ ବିଜୟ ଓ ଗୋଟିଏ ପରାଜୟ ସହ ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ଦଳ ଇରାନ ଓ ସିଙ୍ଗାପୁରକୁ ସମାନ ୩-୦ ବ୍ୟବଧାନରେ ପରାସ୍ତ କରିଥିବା ବେଳେ ହଂକଂଠାରୁ ୦-୩ରେ ହାରିଯାଇଥିଲା।

Share