ବିମାନ ଦୁର୍ଘଟଣାରେ ଭାରତୀୟ ଅରବପତି, ପୁଅ ସମେତ ୬ ମୃତ

ହରାରେ,୨।୧୦: ଜିମ୍ବାୱେରେ ବିମାନ ଦୁର୍ଘଟଣାରେ ଜଣେ ଭାରତୀୟ ବିଲିୟନେୟାର ଶିଳ୍ପପତି ଏବଂ ତାଙ୍କ ପୁଅଙ୍କ ସମେତ ୬ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ବିମାନଟି ଭାରତୀୟ ଶିଳ୍ପପତିଙ୍କ କମ୍ପାନୀର ଏକ ବ୍ୟକ୍ତିଗତ ବିମାନ ଥିଲା ଯାହା ଜିମ୍ବାୱେର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଅବସ୍ଥିତ ଏକ ହୀରା ଖଣି ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଯାନ୍ତ୍ରିକ ତ୍ରୁଟି ହେତୁ ବିମାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବିଲିୟନେୟାର ହରପାଲ ସିଂ ରାନ୍ଧୱା ରିଓଜିମ ନାମକ ଏକ ଖଣି କମ୍ପାନୀର ମାଲିକ ଥିଲେ, ଯାହା ଜିମ୍ବାୱେରେ ସୁନା, କୋଇଲା ଖଣି କରିଥାଏ ଏବଂ ନିକେଲ ଏବଂ ତମ୍ବା ପରି ଧାତୁକୁ ବିଶୋଧନ କରିବାର କାର୍ଯ୍ୟ ମଧ୍ୟ କରିଥାଏ। ଏହି ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ହରପାଲ ସିଂ ରାଧୱା, ତାଙ୍କ ପୁଅ ଏବଂ ଅନ୍ୟ ଚାରିଜଣ ଅଛନ୍ତି। ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବିମାନଟି ହେଉଛି ସେସେନା ୨୦୬ ବିମାନ। ଏହି ଏକକ ଇଞ୍ଜିନ ବିମାନ ରିଓଜିମ କମ୍ପାନୀ ମାଲିକାନାରେ ରହିଥିଲା। ବିମାନଟି ରାଜଧାନୀ ହରାରେରୁ ମୁରୋଭା ହୀରା ଖଣି ଅଭିମୁଖେ ଯାଉଥିବାବେଳେ ମଶାୱା ଅଞ୍ଚଳରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ଯେଉଁଥିରେ ବିମାନରେ ଥିବା ସମସ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ଶୁକ୍ରବାର ସକାଳ ୭ଟା ୩୦ ରୁ୮ଟା ମଧ୍ୟରେ ଘଟିଛି।

Share