ଡ. ଛାୟାକାନ୍ତ ଷଡ଼ଙ୍ଗୀ
ଚଳିତ ମାସ ୪ ତାରିଖରେ ଧରିତ୍ରୀରେ ‘ଜାତୀୟତାବାଦ ବନାମ ଜାତୀୟତାବୋଧ’ ଶୀର୍ଷକରେ ଏହି ଲେଖକର ଏକ ନାତିଦୀର୍ଘ ପ୍ରବନ୍ଧ ପ୍ରକାଶ ପାଇଥିଲା। ପ୍ରବନ୍ଧଟିରେ କେବଳ ପାଶ୍ଚାତ୍ୟ ଜାତୀୟତାବାଦ ସମ୍ପର୍କରେ ଆଲୋଚନା ହୋଇଥିବାରୁ ଜଣେ ପାଠକ ଭାରତୀୟ ଜାତୀୟତାବାଦ ସମ୍ପର୍କରେ କିଛି ଆଲୋକପାତ କରିବା ପାଇଁ ଅନୁରୋଧ କରିଥିଲେ। ଇଂଲିଶ ଶବ୍ଦ ‘ନ୍ୟାଶନାଲିଜମ୍’କୁ ଓଡ଼ିଆରେ ଅନୁବାଦ କରିବାକୁ ଯାଇ ଆମେ ଜାତୀୟତାବାଦ ଶବ୍ଦ ବ୍ୟବହାର କରୁଛୁ। ମାତ୍ର ଇଂଲିଶରେ ନ୍ୟାଶନାଲିଜମ୍ କହିଲେ ଯାହା ବୁଝାଯାଏ, ଭାରତ ପରିପ୍ରେକ୍ଷୀରେ ତାହା ପ୍ରଯୁଜ୍ୟ ହୁଏ ନାହିଁ। ପାଶ୍ଚାତ୍ୟରେ ନ୍ୟାଶନାଲିଜମ୍ କହିଲେ ନିଜ ଜାତିକୁ ଶ୍ରେଷ୍ଠ ମଣି ଅନ୍ୟ ଜାତିକୁ ନିକୃଷ୍ଟ ଦୃଷ୍ଟିରେ ଦେଖିବାକୁ ବୁଝାଏ। ଏହି ଦୃଷ୍ଟିଭଙ୍ଗୀ ଯୋଗୁ ତଥାକଥିତ ଶ୍ରେଷ୍ଠ ଜାତି ଅନ୍ୟ ଜାତି ଉପରେ ଆକ୍ରମଣ କରି ନରସଂହାର କରିଛନ୍ତି। ମାତ୍ର ଭାରତୀୟ ସଂସ୍କୃତି ଏହିଭଳି ନ୍ୟାଶନାଲିଜମ୍ରେ ବିଶ୍ୱାସ କରେ ନାହିଁ। ପ୍ରାଚୀନ ଭାରତରେ ଋଷିମାନେ ଉଦ୍ଘୋଷଣା କରୁଥିଲେ ‘ମାତା ଭୂମିଃ ପୁତ୍ରୋ ଅହଂ ପୃଥିବ୍ୟାଃ’ ଅର୍ଥାତ୍ ଏହି ସମଗ୍ର ଭୂଖଣ୍ଡ ହେଉଛି ମୋର ମାତା ଓ ମୁଁ ପୃଥିବୀର ପୁତ୍ର। ସେମାନେ ନିଜକୁ ଏକ ସଂକୀର୍ଣ୍ଣ ଭୂଖଣ୍ଡ (ରାଜ୍ୟ ବା ଦେଶ) ର ବାସିନ୍ଦା ଭାବରେ ବିବେଚନା କରୁ ନ ଥିଲେ। ସେମାନେ ନିଜକୁ ଶ୍ରେଷ୍ଠ ମଣି ଅନ୍ୟଜାତି ଉପରେ କେବେ ଆକ୍ରମଣ କରିନାହାନ୍ତି। ନ୍ୟାଶନାଲିଜମ୍କୁ ଯଦି ଜାତୀୟତାବାଦ କୁହାଯାଏ, ତା’ହେଲେ ଭାରତୀୟ ସଂସ୍କୃତିରେ ଜାତୀୟତାବାଦ ଅବଧାରଣା ନାହିଁ ବରଂ ଅଛି ଜାତୀୟତାବୋଧ। ଅନ୍ୟ ଜାତିକୁ ନିକୃଷ୍ଟ ନ ମଣି ନିଜ ଜାତିକୁ ନେଇ ଗର୍ବ କରିବା ଓ ନିଜ ଜାତିକୁ ଭଲ ପାଇବା ହେଉଛି ଜାତୀୟତାବୋଧ। ସ୍ବାମୀ ବିବେକାନନ୍ଦ ହେଉଛନ୍ତି ଏହି ଭାବଧାରାର ପ୍ରବର୍ତ୍ତକ। ସେ କହୁଥିଲେ ”ଭୁଲ୍ ନାହିଁ, ନୀଚଜାତି, ମୂର୍ଖ, ଦରିଦ୍ର, ଅଜ୍ଞ, ମୋଚି, ମେହେନ୍ତର ସମସ୍ତେ ତୁମ ରକ୍ତ, ତୁମ ଭାଇ। ହେ ବୀର, ସାହସ ଅବଲମ୍ବନ କର। ସଦର୍ପରେ କୁହ ମୁଁ ଭାରତବାସୀ, ଦରିଦ୍ର ଭାରତବାସୀ, ବ୍ରାହ୍ମଣ-ଭାରତବାସୀ, ଚାଣ୍ଡାଳ ଭାରତବାସୀ ମୋର ଭାଇ। ଭାରତର ଦେବଦେବୀ ମୋର ଈଶ୍ୱର, ଭାରତର ସମାଜ ମୋର ଶିଶୁ ଶଯ୍ୟା, ମୋର ଜୀବନର ଉପବନ, ମୋର ବାର୍ଦ୍ଧକ୍ୟର ବାରାଣସୀ। କୁହ ଭାଇ, ଭାରତର ମୃତ୍ତିକା ମୋର ସ୍ବର୍ଗ, ଭାରତର କଲ୍ୟାଣ ମୋର କଲ୍ୟାଣ।“ ସ୍ବାମିଜୀ ଭାରତକୁ ମନପ୍ରାଣ ଦେଇ ଭଲ ପାଉଥିଲେ। ତା’ସହ ସେ ବିଶ୍ୱଭ୍ରାତୃତ୍ୱର ପ୍ରଚାର ଓ ପ୍ରସାର କରୁଥିଲେ। ସେଥିପାଇଁ ଚିକାଗୋ ଧର୍ମ ସମ୍ମିଳନୀରେ ଆମେରିକାବାସୀଙ୍କୁ ସେ ‘ଭଦ୍ରବ୍ୟକ୍ତି ଭଦ୍ର ମହିଳା’ ସମ୍ବୋଧନ ନ କରି ‘ଭଗିନୀ ଓ ଭାଇ’ ସମ୍ବୋଧନ କରିଥିଲେ। ତାଙ୍କ ଦେଶପ୍ରେମ ଭିତରେ ଅନ୍ୟ ଜାତି ପ୍ରତି ଘୃଣାଭାବ ନ ଥିଲା କି ନିଜକୁ ଶ୍ରେଷ୍ଠ ଭାବରେ ଜାହିର କରିବାର ଔଦ୍ଧତ୍ୟ ନ ଥିଲା। ତାଙ୍କ ଦେଶପ୍ରେମରେ ଥିଲା ଜାତୀୟତାବୋଧ। ସେହି ଜାତୀୟତାବୋଧକୁ ସେ ଜାତୀୟତାବାଦରେ ପରିଣତ କରିବାର ସୁଯୋଗ ଦେଇ ନ ଥିଲେ, କାରଣ କୌଣସି ଏକ ଆଦର୍ଶ ‘ବାଦ’ରେ ପରିଣତ ହେଲେ ତାହା ଏକ ଅଫିମ ହୋଇଯାଏ। ମଣିଷ ଅଫିମ ସେବନ କଲେ ନିଜ ଦୁର୍ବଳତାକୁ ମଧ୍ୟ ଠିକ୍ ବୋଲି ସାବ୍ୟସ୍ତ କରେ ଓ ନିଜକୁ ଶ୍ରେଷ୍ଠ ମଣି ଅନ୍ୟ ଜାତିକୁ ନିକୃଷ୍ଟ ବିଚାର କରେ। ଫଳରେ ଅହଂ ସହ ଅହଂର ସଂଘର୍ଷ ହୋଇ ହିଂସା ଓ ରକ୍ତପାତ ସୃଷ୍ଟି ହୁଏ। ଏଣୁ ବିବେକାନନ୍ଦ ଜାତୀୟତାବାଦର ପକ୍ଷପାତୀ ନ ହୋଇ ଜାତୀୟତାବୋଧରେ ଉଦ୍ବୁଦ୍ଧ ହୋଇଥିଲେ।
ଚିକାଗୋରେ ପଞ୍ଚମ ଦିବସୀୟ ଅଧିବେଶନରେ ବିବେକାନନ୍ଦ ପାଶ୍ଚାତ୍ୟ ଧର୍ମ-ଦର୍ଶନର ସଂକୀର୍ଣ୍ଣତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରି ଯେଉଁ କ୍ଷୁଦ୍ର କାହାଣୀଟି କହିଥିଲେ ତାହା ପାଶ୍ଚାତ୍ୟ ଜାତୀୟତାବାଦ ପ୍ରତି ମଧ୍ୟ ପ୍ରଯୁଜ୍ୟ। ଗୋଟିଏ କ୍ଷୁଦ୍ର କୂଅରେ ବାସ କରୁଥିଲା ଏକ ବେଙ୍ଗ। ସେହି କୂଅରେ ତା’ର ଜନ୍ମ ଓ ସେଠାରେ ସେ ପ୍ରତିପାଳିତ। ଏକଦା ଘଟଣାକ୍ରମେ ସମୁଦ୍ରରୁ ଏକ ବେଙ୍ଗ ଆସି ସେ କୂଅରେ ପଡ଼ିଲା। କୂପମଣ୍ଡୁକ ପଚାରିଲା ”ତୁମେ କେଉଁଠୁ ଆସିଲ?“ ସେ ଉତ୍ତର ଦେଲା, ”ସମୁଦ୍ରରୁ“। କୂପମଣ୍ଡୁକ ପୁଣି ପଚାରିଲା, ”ତାହା କେତେବଡ଼, ମୋ କୂଅପରି?“ ସମୁଦ୍ର ବେଙ୍ଗ ଉତ୍ତର ଦେଲା, ”ଆରେ ଭାଇ ତୁମେ ଏହି କ୍ଷୁଦ୍ର କୂଅ ସହ ସମୁଦ୍ରକୁ କିପରି ତୁଳନା କରୁଛ?“ ଏହା ଶୁଣି କୂପମଣ୍ଡୁକ କୂଅର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଲମ୍ଫ ଦେଇ କହିଲା, ”ତୁମ ସମୁଦ୍ର କ’ଣ ଏତେ ବଡ଼?“ ସମୁଦ୍ର ବେଙ୍ଗ କହିଲା, ”ସମୁଦ୍ର ସହ ଏହି କ୍ଷୁଦ୍ର କୂଅର ତୁଳନା କରି ତୁମେ ମୂର୍ଖଙ୍କ ଭଳି ପ୍ରଳାପ କରୁଛ।“ ତା’ସତ୍ତ୍ୱେ କୂପମଣ୍ଡୁକ କହିଲା, ”ମୋ କୂଅଠାରୁ ଆଉ କିଛି ବଡ଼ ହୋଇ ନ ପାରେ। ତୁମେ ମିଥ୍ୟାବାଦୀ। ଏଠୁ ଚାଲିଯାଅ।“ ଏହିପରି ପ୍ରତ୍ୟେକ ଜାତିକୁ ଆଜି ସଂକୀର୍ଣ୍ଣତାର ଭାବ ଗ୍ରାସ କରିଛି। ପ୍ରତ୍ୟେକ ଜାତି ସେମାନଙ୍କ କ୍ଷୁଦ୍ର କୂଅରେ ବସି ତାକୁ ସମଗ୍ର ଜଗତ ବୋଲି ଭାବୁଛନ୍ତି। ଜର୍ମାନ, ରୁଷୀୟ, ଆମେରିକୀୟ, ଫରାସୀ ଆଦି ପ୍ରତ୍ୟେକ ଜାତି ନିଜକୁ ଶ୍ରେଷ୍ଠ ମଣି ଅନ୍ୟକୁ ନିକୃଷ୍ଟ ଦୃଷ୍ଟିରେ ଦେଖୁଛନ୍ତି। ଏହି ଦୃଷ୍ଟିଭଙ୍ଗୀ ସୃଷ୍ଟିକରୁଛି ସଂଘର୍ଷ ଓ ଯୁଦ୍ଧ। ଭାରତୀୟ ସଂସ୍କୃତିରେ ଏହିଭଳି ଉଗ୍ରଜାତୀୟତାବାଦର ସ୍ଥାନ ନ ଥିଲା। ତେଣୁ ଭାରତ ଅତୀତରେ ଖ୍ରୀଷ୍ଟିଆନ, ମୁସଲମାନ, ପାର୍ସୀ ଆଦି ବିଭିନ୍ନ ଧର୍ମାବଲମ୍ବୀମାନଙ୍କୁ ଆଶ୍ରୟ ଦେଇଛି। ବିବେକାନନ୍ଦଙ୍କ ଭଳି ରବୀନ୍ଦ୍ର ନାଥ ଟାଗୋର ମଧ୍ୟ କହିଥିଲେ, ” ଦେଶପ୍ରେମ ମୋର ଶେଷ ଆଧ୍ୟାମତ୍ିକ ଆଶ୍ରୟ ନୁହେଁ। ମୋର ଆଶ୍ରୟ ହେଉଛି ମାନବ ଜାତି।“
ବିଶିଷ୍ଟ ରାଜନୀତି ସମୀକ୍ଷକ ଆର.ଏନ୍. ଗିଲ୍ଖ୍ରାଏଷ୍ଟଙ୍କ ମତରେ ୟୁରୋପୀୟ ଚିନ୍ତାଧାରା ଅନୁସାରେ ଭାରତରେ ରାଷ୍ଟ୍ରର କଳ୍ପନା କେବେ ନ ଥିଲା। ଭାରତର ପ୍ରାଚୀନ ନାମ ଥିଲା ଜମ୍ବୁଦ୍ୱୀପ। ସେତେବେଳେ ବହୁମୁଲକ ବା ‘ଖଣ୍ଡ’ ର ସମାବେଶରେ ଭାରତୀୟ ମହାଜାତିର ପରିଚୟ ଗଢ଼ିଉଠିଥିଲା- ଯଥା ଇନ୍ଦ୍ରଦ୍ୱୀପ, ତାମ୍ରବର୍ଣ୍ଣ, ନାଗଦ୍ୱୀପ, ଗାନ୍ଧାର ଇତ୍ୟାଦି। ଭୌଗୋଳିକ ଓ ସାଂସ୍କୃତିକ ବିଶେଷତ୍ୱ ଦ୍ୱାରା ଏମାନେ ଚିହ୍ନିତ ହେଉଥିଲେ, ରାଜନୈତିକ ସୀମାରେଖା ଦ୍ୱାରା ନୁହେଁ। ଯୁଦ୍ଧରେ ପରାଜୟ ଯୋଗୁ ରାଜ୍ୟଗୁଡ଼ିକ ସୀମାରେଖା ବାରମ୍ବାର ବଦଳୁଥିଲା। ତା’ ସତ୍ତ୍ୱେ ଏହାଦ୍ୱାରା କୌଣସି ବିଭେଦ ସୃଷ୍ଟି ହେଉ ନ ଥିଲା। ବିଶିଷ୍ଟ ଐତିହାସିକ ଭିନ୍ସେଣ୍ଟ ସ୍ମିଥ କହିଛନ୍ତି ରାଜନୈତିକ ଅସଂଲଗ୍ନତା ସତ୍ତ୍ୱେ ଏଠାରେ ଏକ ଅନ୍ତର୍ନିହିତ ମୌଳିକ ଐକ୍ୟ ରହିଛି। ଭାରତୀୟତା ଭୌଗୋଳିକ ସୀମାରୁ ଊର୍ଦ୍ଧ୍ୱକୁ ଯାଇ ସର୍ବଦା ମାନବବାଦ ପ୍ରତି ଅଙ୍ଗୀକାରବଦ୍ଧ। ଏଣୁ ଭାରତ ପରିପ୍ରେକ୍ଷୀରେ ‘ବାଦ’ ଉପଶବ୍ଦର ବ୍ୟବହାର ଅନୁପଯୁକ୍ତ। ଏହା ପାଶ୍ଚାତ୍ୟ ଚିନ୍ତନ। ଭାରତୀୟମାନେ ପାଶ୍ଚାତ୍ୟ ଅର୍ଥରେ ଜାତୀୟତାବାଦରେ ବିଶ୍ୱାସ କରନ୍ତି ନାହିଁ। ସେମାନେ ବିଶ୍ୱାସ କରନ୍ତି ଜାତୀୟତାବୋଧରେ।
ପ୍ରାକ୍ତନ କଲେଜ ଅଧ୍ୟକ୍ଷ, ଟିଟିଲାଗଡ଼
ମୋ:୯୪୩୭୩୨୯୨୬୩