Categories: ଜାତୀୟ

ମାଲବାହୀ ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କଲା ଭାରତୀୟ ନୌସେନା…

ନୂଆଦିଲ୍ଲୀ,୧୬।୧୨: ଭାରତୀୟ ନୌସେନା ମାଲ୍ଟା ଫ୍ଲାଗ ଲାଗିଥିବା ଏକ ମାଲ ପରିବହନ ଜାହାଜକୁ ଆରବ ସାଗରରେ ଅପହରଣରୁ ରକ୍ଷା କରିଛି। ସୂଚନା ପାଇବା ପରେ ନୌସେନା ତୁରନ୍ତ ପଦକ୍ଷେପ ନେଇ ଏହାର ଗୋଟିଏ ସର୍ଭେଲାନ୍ସ ବିମାନ ଏବଂ ଯୁଦ୍ଧ ଜାହାଜ ପଠାଇଥିଲା। ମାଲ୍ଟା ଜାହାଜ ଉପରେ ନିରନ୍ତର ନଜର ରଖାଯାଇଥିଲା। ବର୍ତ୍ତମାନ ମାଲ୍ଟାର ଏହି ମାଲବାହୀ ଜାହାଜ ସୁରକ୍ଷିତ ଭାବେ ସୋମାଲିଆ ଉପକୂଳରେ ପହଞ୍ଚିଛି।

ମାଲ୍ଟା ଜାହାଜକୁ ସାହାଯ୍ୟ କରିବା ପାଇଁ ଆଡେନ ଗଲ୍ଫରେ ନିୟୋଜିତ ଡକାୟତି ବିରୋଧୀ ପାଟ୍ରୋଲିଂ ଯୁଦ୍ଧ ଜାହାଜ ଭାରତୀୟ ନୌସେନା ପଠାଇଥିଲା।

ଭାରତୀୟ ନୌସେନା କହିଛି ମାଲ୍ଟାର ମାଲ ପରିବହନ ଜାହାଜରେ ୧୮ ଜଣ କ୍ରୁ ସଦସ୍ୟ ଅଛନ୍ତି। କ୍ରୁ ସଦସ୍ୟମାନେ ୟୂକେଏମଟିଓ ପୋର୍ଟାଲରେ ୧୪ ଡିସେମ୍ବର ୨୦୨୩ରେ ଏକ ବାର୍ତ୍ତା ପଠାଇଥିଲେ ଯେ ୬ ଜଣ ଅଜ୍ଞାତ ବ୍ୟକ୍ତି ଜାହାଜ ନିକଟକୁ ଆସୁଛନ୍ତି। ଏହି ସୂଚନା ଉପରେ ତୁରନ୍ତ କାର୍ଯ୍ୟ କରି ଭାରତୀୟ ନୌସେନା ମାଲ୍ଟା ଜାହାଜକୁ ସାହାଯ୍ୟ କରିବା ପାଇଁ ଏହାର ସର୍ଭେଲାନ୍ସ ବିମାନ ପଠାଇଥିଲା। ନୌସେନାର ଜଣେ ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳର ଅନ୍ୟ ଏଜେନ୍ସିଗୁଡ଼ିକ ସହ ସମନ୍ବୟ ରକ୍ଷା କରି ସମଗ୍ର ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଉଛି। ଅଧିକାରୀ କହିଛନ୍ତି ଭାରତୀୟ ନୌସେନା ଅନ୍ତର୍ଜାତୀୟ ଭାଗିଦାରୀ ତଥା ବନ୍ଧୁତ୍ୱପୂର୍ଣ୍ଣ ଦେଶ ସହିତ ଏହି ଅଞ୍ଚଳରେ ସହାୟତା ଯୋଗାଇବା ଏବଂ ବାଣିଜି୍ୟକ ଜାହାଜର ସୁରକ୍ଷା ନିଶ୍ଚିତ କରିବାକୁ ପ୍ରତିଶ୍ରୁତିବଦ୍ଧ।

ସୂଚନାଯୋଗ୍ୟ, ବ୍ରିଟିଶ ସରକାର ଜାହାଜଗୁଡ଼ିକୁ ଆରବ ସାଗରରେ ସୋମାଲିଆ ନିକଟକୁ ଯିବାବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ବାସ୍ତବରେ, ଡକାୟତମାନଙ୍କର ଅନେକ ଗ୍ୟାଙ୍ଗ ଏହି କ୍ଷେତ୍ରରେ ସକ୍ରିୟ ଅଛନ୍ତି। ଜାହାଜଗୁଡିକ ସତର୍କ ରହି ତୁରନ୍ତ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ସମ୍ପର୍କରେ ରିପୋର୍ଟ କରିବାକୁ ପରାମର୍ଶ ଦିଆଯାଇଛି।

Share