ହିମନଦୀରୁ ମିଳିଲା ୫୪ ବର୍ଷ ତଳର ଭାରତୀୟ ଖବର କାଗଜ…

ଲଣ୍ଡନ, ୧୪।୭: ଫ୍ରାନ୍ସ୍‌ର ହିମନଦୀରୁ ୫୪ ବର୍ଷ ତଳର ଭାରତୀୟ ଖବର କାଗଜ ମିଳିଛି। ସ୍ଥାନୀୟ ମୋଣ୍ଟ୍‌ ବ୍ଲାଙ୍କ୍‌ ପର୍ବତଶ୍ରେଣୀର ବୋସନ୍ସ୍‌ ହିମନଦୀରୁ ନ୍ୟାଶନାଲ୍‌ ହେର୍ଲାଡ୍‌, ଇକୋନୋମିକ୍ସ୍‌ ଟାଇମ୍ସ, ଦି ହିନ୍ଦୁ, ଦି ଷ୍ଟେଟସ୍‌ ମ୍ୟାନ୍‌ ଆଦି ସମେତ ୧୨ରୁ ଅଧିକ ଖବର କାଗଜ ମିଳିଛି। ନ୍ୟାଶନାଲ୍‌ ହେର୍ଲାଡର ପ୍ରଥମ ପୃଷ୍ଠାରେ ୧୯୬୬ରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଇନ୍ଦିରା ଗାନ୍ଧୀ ସାଧାରଣ ନିର୍ବାଚନରେ ବିଜୟ ଲାଭ କରିଥିବା ଖବର ପ୍ରକାଶ ପାଇଛି। ପଶ୍ଚିମ ୟୁରୋପ ଏହି ପର୍ବତଶ୍ରେଣୀରେ ୫୪ ବର୍ଷ ତଳେ ଏୟାର ଇଣ୍ଡିଆ ବିମାନ ବୋଇଙ୍ଗ୍‌-୭୦୭ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଥିବା ୧୭୭ ଯାତ୍ରୀଙ୍କ ସମେତ ବିମାନ କର୍ମଚାରୀଙ୍କର କୌଣସି ଖୋଜ୍‌ ଖବର ମିଳି ନ ଥିଲା। ନ୍ୟାଶନାଲ୍‌ ହେର୍ଲାଡ୍‌ ଖବର କାଗଜଟି ୧୯୬୬ ଜାନୁୟାରୀ ୨୪ ତାରିଖର। ସମ୍ଭବତଃ କେହି ଯାତ୍ରୀ ଏସବୁ ଖବର କାଗଜକୁ ବିମାନରେ ନେଇ ଯାଉଥିବା ଅନୁମାନ କରାଯାଉଛି। ଏଠାରେ ରେଷ୍ଟୁରାଣ୍ଟ ଚଳାଉଥିବା ତିମୋଥି ମୋଟିନ୍‌ଙ୍କୁ ଏସବୁ ଖବର କାଗଜ ମିଳିଛି।

Share