ରାୟପୁର, ୩୧ା୫: ଶୁଖାଇଥିବା ଛତିଶଗଡ଼ କୋୟାଲିବେଡ଼ା ବ୍ଲକ୍ର ଖାଦ୍ୟ ନିରୀକ୍ଷକ ରାଜେଶ ବିଶ୍ୱାସ ଏବେ ୫୩ ହଜାର ଟଙ୍କା ଗଣିବେ। ଜଳସମ୍ପଦ ବିଭାଗ ତାଙ୍କୁ ୫୩ ହଜାର ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦେଇଛି। ଜଳଭଣ୍ଡାରରୁ ୪୧ ଲକ୍ଷ ଲିଟର ଜଳ ନିଷ୍କାସନ କରିଥିବା ଜଣାପଡ଼ିବା ପରେ ରାଜେଶଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ଜଳ ନିଷ୍କାସନ ପାଇଁ ମୌଖିକ ନିର୍ଦ୍ଦେଶ ଦେଇଥିବା ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।
ରାଜେଶ ଗତ ରବିବାର ଛୁଟି କଟାଇବା ପାଇଁ ଖେର୍କଟ୍ଟା ପାରାଲକୋଟ୍ ଜଳଭଣ୍ଡାରକୁ ବୁଲିଯାଇଥିଲେ। ସେଲ୍ଫି ନେବାବେଳେ ତାଙ୍କର ୯୬ ହଜାର ଟଙ୍କା ମୂଲ୍ୟର ସାମ୍ସଙ୍ଗ ଏସ୍୨୩ ମୋବାଇଲ୍ ଫୋନ୍ ୧୫ ଫୁଟ୍ ଗଭୀର ଜଳଭଣ୍ଡାରରେ ଖସିପଡ଼ିଥିଲା। ଏହାକୁ ଖୋଜି ବାହାର କରିବା ନିମନ୍ତେ ଜଳଭଣ୍ଡାରରୁ ୪୧ ଲକ୍ଷ ଲିଟର ଜଳ ଶୁଖାଇଦିଆଯାଇଥିଲା, ଯାହା ୧,୫୦୦ ଏକର ଜମିକୁ ଜଳସେଚନ କରିପାରିଥାନ୍ତା। ରାଜେଶ ୪,୧୦୪ ଘନମିଟର (୪୧ ଲକ୍ଷ ଲିଟର) ଜଳ ନଷ୍ଟ କରିଥିବାରୁ ଏହାର ମୂଲ୍ୟ ବାବଦକୁ ଘନଫୁଟ ପ୍ରତି ୧୦ଟଙ୍କା ୫୦ ପଇସା ହିସାବରେ ମୋଟ ୪୩,୦୯୨ ଟଙ୍କା ପୈଠ କରିବାକୁ କୁହାଯାଇଛି। ଏହା ବ୍ୟତୀତ ବିନା ଅନୁମତିରେ ପାଣି ନିଷ୍କାସନ କରିଥିବାରୁ ତାଙ୍କ ଉପରେ ୧୦ ହଜାର ଟଙ୍କା ଜରିମାନା ଲଗାଯାଇଥିବା ଜଳସେଚନ ବିଭାଗ ଚିଠିରେ ଉଲ୍ଲେଖ କରାଯାଇଛି।