ଭାରତୀୟ ମୂଳ ସିଇଓଙ୍କୁ ଗୁଳି କରି ହତ୍ୟା, ୮୦ କିଲୋମିଟର ଦୂରରୁ ଦୁର୍ବୃତ୍ତ କରିଥିଲେ ପିଛା

ଓ୍ବାଶିଂଟନ,୩୦ା୧୦: ଆମେରିକାର ନ୍ୟୁଜର୍ସିରେ ଡକାୟତି ଉଦ୍ଦେଶ୍ୟରେ ଏକ ଔଷଧ କମ୍ପାନୀର ଜଣେ ଭାରତୀୟ ମୂଳ ସିଇଓଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସେ କାଜିନୋରେ ପ୍ରାୟ ୧୦ ହଜାର ଡଲାର (ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୭ ଲକ୍ଷ ଟଙ୍କା) ଜିତିଥିଲେ। ଏହା ଜାଣି ଜଣେ ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିବା ପାଇଁ ୮୦ କିଲୋମିଟର ଦୂର ପର୍ଯ୍ୟନ୍ତ ପିଛା କରିଥିଲେ। ପୋଲିସ ହତ୍ୟାକାରୀଙ୍କୁ ଗିରଫ ବି କରିଛି।

ଅଧିକାରୀଙ୍କ କହିବାନୁଯାୟୀ, ଭାରତୀୟ ମୂଳ ସିଇଓ ଓରେକ୍ସ ଲାବୋରେଟୋରୀର ମୁଖ୍ୟ ରଙ୍ଗା ଅରବାପଲୀ ବୋଲି ଜଣାପଡ଼ିଛି। ଗୁରୁବାର ସକାଳେ ନ୍ୟୁଜର୍ସିର ପ୍ଲେନ୍ସବୋରୋରେ ୫୪ ବର୍ଷୀୟ ଅରବାପଲୀ ତାଙ୍କ ଘରେ ପହଞ୍ଚିବା ପରେ ବନ୍ଧୁକଧାରୀ ସେଠାରେ ପହଞ୍ଚି ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣା ଘଟିବା ପରେ ତାଙ୍କ ସ୍ତ୍ରୀ ଏବଂ ଝିଅ ଘରେ ଶୋଇଥିଲେ। ସେମାନେ ଏନେଇ ପୋଲିସକୁ ଖବର ଦେଇଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ପରେ ସେ ଜାକାଇ ରେଡ୍‌ଜାନ ନାମକ ହତ୍ୟାକାରୀଙ୍କୁ ଗିରଫ କରିଛି। ଅର୍‌ବାପଲୀଙ୍କୁ କାଜିନୋରୁ ତାଙ୍କ ଘର ପର୍ଯ୍ୟନ୍ତ ପିଛା କରିଥିଲେ ଜାକାଇ। ତାଙ୍କୁ ଅନେକ ଥର ଗୁଳି କରିଥିଲେ। ଗୁରୁତର ଅବସ୍ଥାରେ ଅର୍‌ବାପଲୀଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅରବାପଲୀ ୨୦୧୪ରୁ ଓରେକ୍ସ ଲାବୋରେଟୋରୀର ସିଇଓ ଥିଲେ ବୋଲି ସୂଚନାରୁ ଜଣାପଡ଼ିଛି।

Share