୭ କୋଟି ଟଙ୍କା ନା ମାନବିକତା- କାହାକୁ ବାଛିବେ

ବୋଷ୍ଟୋନ, ୩୦।୫: ଏକବିଂଶ ଶତାବ୍ଦୀରେ ଲୋକମାନେ ସ୍ବାର୍ଥପର କହିଲେ କେହି ଅସ୍ବୀକାର କରିବେ ନାହିଁ। ସମସ୍ତେ ନିଜ ଫାଇଦା ଦେଖନ୍ତି। ଅନ୍ୟ କଥା ଚିନ୍ତା କରିବାକୁ ସମୟ ବା କାହା ପାଖରେ। ତେବେ ଯଦି କାହାକୁ ୭ କୋଟି ଟଙ୍କା ଓ ମାନବିକତା ମଧ୍ୟରୁ ଗୋଟିଏ ବାଛିବାକୁ କୁହାଯାଏ, ତେବେ ପ୍ରାୟ ଲୋକେ ଟଙ୍କାକୁ ହିଁ ବାଛିବେ। କିନ୍ତୁ ଆମେରିକାର ମେସାଚ୍ୟୁସେଟ୍ସ ରାଜ୍ୟରେ ଚଳିତ ମାସ ୩ୟ ସପ୍ତାହରେ ଘଟିଥିବା ଘଟଣା ସମ୍ପୂର୍ଣ୍ଣ ଭାବେ ଏହାର ବିପରିତ।

ଭାରତୀୟ ବଂଶୋଦ୍ଭବଙ୍କ ଦୋକାନ ‘ଲକି ଷ୍ଟପ’ରୁ ଏକ ଲଟେରି ଟିକେଟ୍‌ କିଣିଥିଲେ ଲିଆ ରୋଜ ଫିଏଗା ନାମକ ଜଣେ ମହିଳା। କୌଣସି କାରଣରୁ ସମ୍ପୂର୍ଣ୍ଣ ସ୍କ୍ରାଚ ନ କରି ଉକ୍ତ ମହିଳା ଟିକେଟକୁ ଫୋପାଡ଼ି ଦେଇଥିଲେ। ଦୋକାନରେ ପଡ଼ିଥିବା ଟିକେଟ୍‌କୁ ପ୍ରାୟ ୧୦ ଦିନ ପରେ ସ୍କ୍ରାଚ କରିଥିଲେ ‘ଲକି ଷ୍ଟପ’ ଦୋକାର ମାଲିକଙ୍କ ପୁଅ ଅଭି ଶାହ। ଏହି ଲଟେରିର ମୂଲ୍ୟ ଥିଲା ୧ ନିୟୁତ ଆମେରିକୀୟ ଡଲାର ଅର୍ଥାତ ୭ କୋଟି ୨୩ ଲକ୍ଷ ୯୩ ହଜାର ୭୦୦ ଟଙ୍କା। ହାତରେ ଏତେ ଟଙ୍କା ପାଇ ଦୁଇ ଦିନ ଚିନ୍ତାରେ ପଡ଼ିଯାଇଥିଲେ ଅଭି। ଦୁଇ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ। ବହୁ ଚିନ୍ତା କରିବା ପରେ ଟଙ୍କାକୁ ନୁହେଁ ବାଛିଥିଲେ ମାନବିକତା।

ଫିଏଗା ନିୟମିତ ଗ୍ରାହକ ହୋଇଥିବାରୁ ଦୋକାନୀଙ୍କୁ ତାଙ୍କ ଠିକଣା ଖୋଜିବାକୁ ବେଶୀ କଷ୍ଟ କରିବାକୁ ପଡ଼ି ନ ଥିଲା। ଏହାପରେ ଫିଏଗାଙ୍କୁ ଫେରାଇ ଦେଇଥିଲେ ୭.୨୩ କୋଟି ଟଙ୍କାର ଲଟେରି ଟିକେଟ। ଏହାକୁ ପ୍ରଥମେ ବିଶ୍ୱାସ କରିପାରି ନ ଥିଲେ ଫିଏଗା। ଶାହ ପରିବାରକୁ ଧନ୍ୟବାଦ ଦେଇଥିଲେ। ଏହାପରେ ଶାହ ପରିବାର ବିଭିନ୍ନ ଗଣମାଧ୍ୟମରେ ସାକ୍ଷାତ୍‌କାର ଦେଇ ସାଉଁଟିଛନ୍ତି ଢ଼େର ଲୋକପ୍ରିୟତା।

Share