ମେଟାରୁ ଛଟେଇ ହେଲେ ଭାରତୀୟ ମୂଳ ବାସିନ୍ଦା ସୁରଭି ଗୁପ୍ତା, ନେଟଫ୍ଲିକ୍ସ ଶୋ’ରେ ଆସିଥିଲେ ନଜର

ନୂଆଦିଲ୍ଲୀ,୯ ।୧୨: ଏବେ ବଡ ବଡ କମ୍ପାନୀରେ ଛଟେଇ ଅଭିଯାନ ଚାଲିଛି । ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟା ବି ଏଥିରୁ ଗୋଟିଏ । ନିକଟରେ ମେଟା ତା’ର ହଜାର ହଜାର କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇ ଦେଇଛି ଅର୍ଥାତ୍ ଛଟେଇ କରିଛି । ଭାରତୀୟ ମୂଳ ବାସିନ୍ଦା ସୁରଭି ଗୁପ୍ତା ବି ଏମାନଙ୍କ ମଧ୍ୟରୁ ଜଣେ କର୍ମଚାରୀ । ନିକଟରେ ସୁରଭି ନେଟଫ୍ଲିକ୍ସର ଚର୍ଚ୍ଚତ ଶୋ’ ଇଣ୍ଡିଆ ମ୍ୟାଚମେକିଂରେ ନଜର ଆସିଥିଲେ ।
ସୂଚନାଯୋଗ୍ୟ, ପେଶାରେ ଜଣେ ଇଞ୍ଜିନିୟର ସୁରଭି ୨୦୦୯ରୁ ଆମେରିକାରେ ରହି ଆସୁଥିଲେ ଓ ସେ ମେଟାରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଥିଲେ । ସେ କହିଛନ୍ତି ମୁଁ କେବେ ଭାବି ନ ଥିଲି ଯେ ଭଲ କାମ କରିବା ପରେ ବି କମ୍ପାନୀ ମୋତେ ବାହାର କରିଦେବ । ସୁରଭି କହିଛନ୍ତି ଦିନେ ସକାଳ ୬ଟାରେ ମୋତେ ଚାକିରିରୁ ଛଟେଇ କରାଯାଇଥିବା ମେଲ ଆସିଥିଲା । ଏହାପରେ ସେ ତାଙ୍କ କମ୍ପ୍ୟୁଟର ଆକ୍ସେସ କରିପାରି ନ ଥିଲେ ଏମିତିକି ଅଫିସର ଜିମ ମଧ୍ୟ ଯାଇ ପାରି ନ ଥିଲେ । ସେ କହିଛନ୍ତି ଏହା ମୋତେ ଖୁବ୍ ନିରାଶ କରିଛି ।
ସୂଚନା ଅନୁଯାୟୀ, ସୁରଭି ୨୦୧୮ରେ ଆମେରିକାରେ ଆୟୋଜିତ ଏକ ବ୍ୟୁଟି କଣ୍ଟେଷ୍ଟରେ ପ୍ରତିଯୋଗୀ ଭାବେ ନଜର ଆସିଥିଲେ । ଏଥିରେ ସେ ମିସ୍ ଭାରତ-କାଲିଫର୍ନିଆ ବିଜୟୀ ହୋଇଥିଲେ । ସେ କହିଛନ୍ତି ଗତ ୧୫ ବର୍ଷ ହେବ ଆମେରିକାରେ ଜୀବନକୁ ସରଳ କରିବାକୁ ସେ ବହୁ ପରିଶ୍ରମ କରିଛନ୍ତି । ହେଲେ କମ୍ପାନୀର ଗୋଟିଏ ମେଲ ପରେ ମୁଁ ଅନୁଭବ କରୁଥିଲି ଯେମିତି ଟାଇଟାନିକ ବୁଡି ବୁଡି ଯାଉଛି କାରଣ ମୁଁ ଗୋଟିକ ପରେ ଗୋଟିଏ ହରାଇ ଚାଲିଥିଲି, ଯେମିତି ୱାର୍କପ୍ଲେସ, ଲ୍ୟାପଟପ, ଇମେଲ ।

Share