ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ୩୦ ବର୍ଷ ଜେଲ୍‌

ସିଙ୍ଗାପୁର,୨୨।୬: ୪୧ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ସିଙ୍ଗାପୁରରେ ୩୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରାଯାଇଛି। ଘରୋଇ ସହାୟକଙ୍କ ଉପରେ ୧୪ ମାସ ଧରି ନିର୍ଯାତନା ଦେବା ସହ ହତ୍ୟା ମାମଲାରେ ସିଙ୍ଗାପୁରର ଏକ କୋର୍ଟ ଏହି ଦଣ୍ଡରେ ଦଣ୍ଡିତ କରିଛନ୍ତି। ଘରୋଇ ସହାୟକଙ୍କ ଉପରେ ନିର୍ଯାତନା ମାମଲାରେ ଏହା ସିଙ୍ଗାପୁରର ଯେକୌଣସି କୋର୍ଟ ଦେଇଥିବା ସର୍ବାଧିକ ଜେଲ୍‌ ଦଣ୍ଡ। ଗତ ଫେବୃୟାରୀରେ ହତ୍ୟା, ଖାଦ୍ୟ ନ ଦେବା, ଚେଙ୍ଖ ଦେବା ଭଳି ୨୮ଟି ଦଫାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଗାୟତ୍ରୀ ମୁରୁଗାୟାନ।

ମୃତକ ପିଆଙ୍ଗ ନାଗାଇ ଡନ (୨୪) ଜଣେ ମ୍ୟାନମାର ନାଗରିକ ଥିଲେ। ଗାୟତ୍ରୀ ଓ ତାଙ୍କ ମା’ଙ୍କ ଆକ୍ରମଣରେ ୨୦୧୬ ଜୁଲାଇ ୨୬ରେ ପିଆଙ୍ଗଙ୍କ ମୃତ୍ୟୁ ହୋଇଥିଲା। ଶବ ବ୍ୟବଚ୍ଛେଦରୁ ବେକ ହାଡ଼ ଭାଙ୍ଗିବା ଓ ବ୍ରେନ ଡ୍ୟାମେଜ ହୋଇଥିବା ଜଣାପଡ଼ିଥିଲା। ସେ ୨୦୧୫ ମେ’ରେ ଗାୟତ୍ରୀଙ୍କ ଘରେ କାମ କରିବା ପାଇଁ ସିଙ୍ଗାପୁର ଆସିଥିଲେ। ତାଙ୍କୁ ୧୪ ମାସ ଧରି ବିଧା, ଗୋଇଠା ସହ ରଡ଼ରେ ମାଡ଼ ହେଉଥିଲା। ବେଳେବେଳେ ଚେଙ୍ଖ ଦିଆଯାଉଥିଲା, ଯାହାର ଚିହ୍ନ ମୃତକଙ୍କ ହାତରେ ଦେଖିମିଳିଥିଲା।

Share