ମାଉଣ୍ଟ ମାଉଙ୍ଗାନୁଇ,୬।୩: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ରେ ଭାରତୀୟ ଦଳ ୧୦୭ ରନ୍ରେ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ତା’ର ଅଭିଯାନ ଆରମ୍ଭ କରିଛି। ଦିନିକିଆ କ୍ରିକେଟରେ ପାକିସ୍ତାନ ବିପକ୍ଷରେ ଏହା ଭାରତର କ୍ରମାଗତ ୧୧ତମ ବିଜୟ। ମ୍ୟାଚ୍ ପରେ ଭାରତୀୟ ଦଳର ଖେଳାଳିମାନେ ପାକିସ୍ତାନ ଅଧିନାୟିକା ବିସମା ମାରୁଫଙ୍କ ୬ ମାସର ଝିଅ ଫାତିମା ସହ ଖେଳିଥିଲେ। କେବଳ ଏତିକି ନୁହେଁ, ସେମାନେ ଫାତିମାକୁ କୋଳକୁ ନେଇ ଫଟୋ ମଧ୍ୟ ଉଠାଇଥିଲେ। ଏହି ଫଟୋକୁ ଟୁଇଟରରେ ଶେୟାର କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି)।
ଉଲ୍ଲେଖଯୋଗ୍ୟ, ପୁଜା ବସ୍ତ୍ରକାର (୬୭) ଓ ସ୍ନେହା ରାଣା (୫୩)ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଉଇକେଟରେ ୨୪୪ ରନ୍ କରିଥିଲା। ଜବାବରେ ରାଜେଶ୍ୱରୀ ଗାଏକ୍ୱାଡ(୪ ଉଇକେଟ), ଝୁଲନ ଗୋସ୍ବାମୀ (୨) ଓ ସ୍ନେହା ରାଣା (୨)ଙ୍କ ମାପଚୁପ ବୋଲିଂ ଯୋଗୁ ପାକିସ୍ତାନ ୪୩ ଓଭରରେ ୧୩୭ ରନ୍ରେ ଅଲଆଉଟ୍ ହୋଇଯାଇଥିଲା।