Categories: ଜାତୀୟ

୧୦୧ଦେଶକୁ ରାଖୀ ପହଞ୍ଚାଇବ ଭାରତୀୟ ଡାକ ବିଭାଗ

ନୂଆଦିଲ୍ଲୀ,୩।୮: କରୋନା ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ କାମଧନ୍ଦା ଓ ରୋଜଗାର ପ୍ରଭାବିତ ହୋଇଛି। କରୋନା ଯୋଗୁ ଗତ ବର୍ଷ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଚଳପ୍ରଚଳ ସ୍ବଭାବିକ ହୋଇପାରିନାହିଁ। ସମସ୍ତ ବିଦେଶୀ ଯାତ୍ରା ସୀମିତ ରହିଛି। ଏଥିସହ ଗତବର୍ଷରୁ ଅନେକ ଦେଶରେ ଭାରତୀୟ ଡାକ ସେବା ମଧ୍ୟ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ କରୋନା ନିଜ ପ୍ରିୟଜନଙ୍କଠାରୁ ଦୂରରେ ଥିବା ଭଉଣୀମାନଙ୍କର ଭାଇଙ୍କୁ ପ୍ରେମ ବ୍ୟକ୍ତ କରିବାର ସୁଯୋଗ ମଧ୍ୟ ଛଡ଼ାଇ ନେଇଛି। ଦେଶରେ ଏପରି ହଜାର ହଜାର ଭଉଣୀ ଅଛନ୍ତି, ଯାହାର ଭାଇମାନେ ନିଜ ଦେଶଠାରୁ ଦୂରରେ ବିଦେଶରେ ରୁହନ୍ତି। ପ୍ରତିବର୍ଷ ରାଖୀ ଠିକ ସମୟରେ ସେମାନଙ୍କ ନିକଟରେ ପହଞ୍ଚୁଥିବା ବେଳେ ଗତ ବର୍ଷରୁ ମହାମାରୀ ଯୋଗୁ ଡାକ ବିଭାଗର ବୈଦେଶିକ ସେବା ବନ୍ଦ ହୋଇଯାଇଛି। ଯାହାଫଳରେ ଅନ୍ୟାନ୍ୟ ଦେଶରେ ଥିବା ଭାଇମାନଙ୍କ ପାଖକୁ ଭଉଣୀମାନେ ରାଖୀ ପଠାଇପାରୁନାହାନ୍ତି। ହେଲେ ଚଳିତ ବର୍ଷ ଭାରତୀୟ ଡାକ ବିଭାଗ ଏହି ସେବାକୁ ପୁଣିଥରେ ଆରମ୍ଭ କରିବାକୁ ଯାଉଛି। ବର୍ତ୍ତମାନ ଭଉଣୀମାନେ ଦୂର ଦେଶରେ ରହୁଥିବା ଭାଇଙ୍କ ନିକଟକୁ ରାଖୀ ପଠାଇ ପାରିବେ। ଚଳିତ ଥର ଭାରତୀୟ ଡାକ ବିଭାଗ ୧୦୧ଟି ଦେଶକୁ ରାଖୀ ପହଞ୍ଚାଇବାକୁ ଯୋଜନା କରିଛି। ଏନେଇ ଭାରତୀୟ ଡାକ ବିଭାଗ ଟୁଇଟ କରି ସୂଚନା ଦେଇଛି। ଏଥିସହ ୧୦୧ଟି ଦେଶର ଏକ ତାଲିକା ପ୍ରକାଶ କରିଛି, ଯେଉଁଠାକୁ ରାଖୀ ପଠାଯାଇପାରିବ। ଡାକ ବିଭାଗ ଅନୁଯାୟୀ, ରାଖୀ ୬୭ଟି ଦେଶରେ ଇଏମ୍‌ଏସ୍‌ ଅର୍ଥାତ୍‌ ଏକ୍ସପ୍ରେସ ମେଲ୍‌ ସର୍ଭିସ ମାଧ୍ୟମରେ ପଠାଯାଇପାରିବ। ଏଥିରେ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ବ୍ରାଜିଲ, ବେଲଜିୟମ, ଡେନମାର୍କ, ଇଜିପ୍ଟ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇଣ୍ଡୋନେସିଆ, ଆୟର୍ଲାଣ୍ଡ, ଇଟାଲୀ, ମାଲେସିଆ, ମାଲଦ୍ୱୀପ, ନେପାଳ, ମେକ୍ସିକୋ, ଓମାନ, ନରୱେ, କାତାର, ରୁଷ, ସାଉଦି ଆରବ, ଶ୍ରୀଲଙ୍କା, ସ୍ବିଜରଲ୍ୟାଣ୍ଡ, ସଂଯୁକ୍ତ ଆରବ ଏମିରେଟ୍ସ, ବ୍ରିଟେନ ଏବଂ ଆମେରିକା ରହିଛି। ଅନ୍ୟପଟେ ରାଖୀକୁ ଏୟାର ପାର୍ସଲ ଜରିଆରେ ମଧ୍ୟ ୧୦୧ଟି ଦେଶକୁ ବିତରଣ କରାଯାଇପାରିବ। ଏତଦ୍‌ ବ୍ୟତୀତ ୯୯ଟି ଦେଶକୁ ବର୍ତ୍ତମାନ ଚିଠି ବିତରଣ କରାଯାଇପାରିବ ଏବଂ ୧୪ଟି ଦେଶକୁ ଆଇଟିପିଏସ୍‌ ମଧ୍ୟ ପଠାଯାଇପାରିବ ବୋଲି ସୂଚନା ରହିଛି।

Share