ଡ. ବିଭୁଦତ୍ତ ମିଶ୍ର
ଭାରତର ବ୍ରିଟିଶ ରାଜତ୍ୱ ସମୟରୁ ୧ ଅକ୍ଟୋବର ୧୮୫୪ ମସିହା ଲର୍ଡ ଡେଲହାଉସିଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଡାକ ବିଭାଗ’ ସ୍ଥାପନାକୁ ଆଧୁନିକ ଯୁଗରେ ମଧ୍ୟ ପ୍ରତିଷ୍ଠା ଦିବସ ଭାବେ ଗ୍ରହଣ କରାଯାଇଥାଏ। ପ୍ରତ୍ୟେକ ବର୍ଷ ଅକ୍ଟୋବର ୯ (ୟୁନିଭର୍ସାଲ ପୋଷ୍ଟାଲ ୟୁନିୟନର ପ୍ରତିଷ୍ଠା ଦିବସ)କୁ ବିଶ୍ୱ ଡାକ ଦିବସ ଭାବେ ଗ୍ରହଣପୂର୍ବକ ବିଶ୍ୱବ୍ୟାପୀ ‘ଡାକ ସପ୍ତାହ’ ୧୬ ଅକ୍ଟୋବର ଯାଏ ପାଳନ ପରମ୍ପରା ଶୁଭାରମ୍ଭ ହୋଇଥାଏ। ଡାକ ଟିକେଟ ସାମଗ୍ରୀ ତଥା ଡାକ ଇତିହାସକୁ ସମ୍ମିଳିତ କରି ସାଧାରଣ ଜନତା ଓ ସଂଗ୍ରାହକମାନଙ୍କ ସଚେତନତା ଉଦ୍ଦେଶ୍ୟରେ ଅକ୍ଟୋବର ୧୦କୁ ‘ରାଷ୍ଟ୍ରୀୟ ଡାକ ଦିବସ’ ଭାବେ ପାଳନ କରାଯାଏ।
ସ୍ବାଧୀନତା ପୂର୍ବ ଓ ପରବର୍ତ୍ତୀ ସମୟରେ ଭାରତର କୋଣ-ଅନୁକୋଣରେ ଡାକ ସରବରାହ ବ୍ୟବସ୍ଥାକୁ ମଜଭୁତ କରି ଆମ ଦେଶ ଡାକ ବିଭାଗ ବିଶ୍ୱର ସର୍ବାଧିକ ପୋଷ୍ଟ ଅଫିସ ଥିବା ଦେଶର ମାନ୍ୟତା ହାସଲ କରିଛି। ଡାକବିଭାଗ ଦ୍ୱାରା ବ୍ୟବହୃତ ଡାକବାକ୍ସର ସ୍ବତନ୍ତ୍ର ପରିଚୟ, ଡାକ ପ୍ରଦାନକାରୀ ଡାକିଆ ବା ଡାକବାଲା ଏକ ସମୟରେ ସାଧାରଣ ଜନତା ଓ ପରିଜନଙ୍କ ମଧ୍ୟରେ ଏକମାତ୍ର ସମ୍ପର୍କର ସୂତ୍ର ଥିଲା। ଆଜି ମଧ୍ୟ ଅପହଞ୍ଚ ଇଲାକା, ଯେପରି ବିଶ୍ୱର ସର୍ବ ଉଚ୍ଚସ୍ଥାନ ଡାକ ଅଫିସ୍ ହିମାଚଳ ପ୍ରଦେଶର ସିକିମ୍ ବା କଶ୍ମୀର ଡାଲ ହ୍ରଦରେ ଥିବା ଭାସମାନ ଡାକଘର ଦେଶ ବିଦେଶ ପର୍ଯ୍ୟଟକମାନଙ୍କ ଆକର୍ଷଣ କେନ୍ଦ୍ର ପାଲଟିଛି। ଆଧୁନିକ ଯୁଗରେ ପ୍ରଯୁକ୍ତିବିଦ୍ୟା ଅଭିବୃଦ୍ଧି, ଇଣ୍ଟରନେଟ୍ ଓ ମୋବାଇଲ୍ ହେତୁ ନୂତନ ପିଢ଼ିରେ ଡାକଟିକେଟ ସଂଗ୍ରହରେ ଆସକ୍ତ କମିଥିଲେ ମଧ୍ୟ ଶିକ୍ଷା, ଜନସଚେତନତା, ପର୍ଯ୍ୟଟନ, ଐତିହାସିକ ପ୍ରାସାଦ, ମନ୍ଦିର, କାରୁକାର୍ଯ୍ୟ, କ୍ରୀଡ଼ା, ମହାନ୍ ବ୍ୟକ୍ତିବିଶେଷ, ଅନୁଷ୍ଠାନଗୁଡ଼ିକୁ ଡାକଟିକେଟ ସ୍ଥାନିତ କରି ଡାକବିଭାଗ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।
ଡାକ ସାମଗ୍ରୀ ନେବା-ଆଣିବା ପୁରାତନ ସମୟର ବ୍ୟବହୃତ ପ୍ରଣାଳୀ ପଦଦୌଡ଼ାଳି, ସାଇକେଲ୍, ମୋଟର ସାଇକେଲ୍, ପଶୁପକ୍ଷୀମାନଙ୍କ ବ୍ୟବହାର (ପାରା, ହାତୀ, ଘୋଡ଼ା, ଓଟ, ଶଗଡ଼, କୁକୁର, ପାଲିଙ୍କି) ଏବେ କେବଳ କିମ୍ବଦନ୍ତୀ ହେବା ସହ ସଡ଼କଯାନ (ଡାକ ମାଲବାହୀ ଗାଡ଼ି), ରେଳ ଡାକ ମାଲବାହୀ ଡବା, ଉଡାଜାହାଜ ପ୍ରେରିତ ମାଲବାହୀ ବିମାନ, ରକେଟ ଓ ହେଲିକପ୍ଟର ଡାକ, ନଦୀ ଓ ସମୁଦ୍ର ରାସ୍ତାରେ ନୌକା, ଜାହାଜ ପ୍ରେରିତ ଡାକ ଉପଯୋଗ ସଂଗ୍ରାହକମାନଙ୍କ ପ୍ରଥମ ପସନ୍ଦ ହୋଇ ରହିଛି। ବିମାନ ପ୍ରେରିତ ଚିଠିପତ୍ର ନେଣଦେଣର ଶ୍ରେୟ ବିଶ୍ୱରେ ପ୍ରଥମ ଥର ପାଇଁ ଫେବୃୟାରୀ ୧୮, ୧୯୧୧ରେ ଭାରତର ଆଲ୍ଲାହାବାଦଠାରୁ ନୈନୀ ପର୍ଯ୍ୟନ୍ତ କୁମ୍ଭମେଳା ସମୟରେ ପ୍ରଚଳନ ହୋଇଥିଲା।
ଡାକବିଭାଗ ଦ୍ୱାରା ଅନ୍ୟ ଏକ ଯୁଗାନ୍ତକାରୀ ଖବର ସରବରାହ ମାଧ୍ୟମ ହେଉଛି ‘ମିଲିଟାରୀ ଡାକ ବ୍ୟବସ୍ଥା’। ପ୍ରତିରକ୍ଷା ବିଭାଗରେ କାର୍ଯ୍ୟରତ ସୈନିକ, ଦୁର୍ଗମ ମରୁ ବା ବରଫାବୃତ ହିମସ୍ରୋତ ଇଲାକା, ସୀମାର ଜାଗ୍ରତ ପ୍ରହରୀ, ସ୍ଥଳଭାଗରେ କାର୍ଯ୍ୟରତ ସୈନ୍ୟବାହିନୀ ସଦୃଶ ସଂଗଠନମାନଙ୍କ ପରିବାର ଓ ସ୍ବଜନ ସହ ସମ୍ପର୍କ ରକ୍ଷା ଉଦ୍ଦେଶ୍ୟରେ ଡାକ ବିଭାଗ ସ୍ବତନ୍ତ୍ର ବିଭାଗ ୧୮୫୬ ରୁ ଦିଲ୍ଲୀ ଓ କଲିକତାଠାରେ ଥିବା ‘ଆର୍ମି ପୋଷ୍ଟାଲ ସର୍ଭିସ୍‘ ଦ୍ୱାରା ସେବା ଯୋଗାଇ ଆସୁଛିି। ୨୦୦୨ ସାମଗ୍ରୀ ପ୍ରଚଳନ ଦ୍ୱାରା କର୍ତ୍ତବ୍ୟପରାୟଣତାକୁ ଦର୍ଶାଉଛି।
ସଂଗ୍ରାହକମାନଙ୍କ ଦେଶ-ବିଦେଶରେ ପତ୍ର ବନ୍ଧୁତାର ମୁଖ୍ୟ ଆକର୍ଷଣ ‘ଡାକ ଟିକେଟ’ ସଂଗ୍ରହ ହେଲା ଇତିହାସକୁ ସାଉଁଟି ଧରିବାର ଇଚ୍ଛା ତଥା ନିଜସ୍ବ ଆନନ୍ଦ ପାଇଁ ଉଦ୍ଦିଷ୍ଟ। ଡାକ ସାମଗ୍ରୀ ସମୟ ଅନୁସାରେ ପରିବର୍ତ୍ତିତ ହୋଇଛି ଭାରତରେ ସ୍ବଳ୍ପ ମୂଲ୍ୟର ବିଭିନ୍ନ କିସମର ଜନସଚେତନତା ବହନ କରୁଥିବା ପୋଷ୍ଟ କାର୍ଡ଼, ଅନ୍ତର୍ଦ୍ଦେଶୀୟ ପତ୍ର, ଲଫାଫା, ମେଘଦୂତ କାର୍ଡ଼, ସୁନ୍ଦର ଚିତ୍ର ସମ୍ମିଳିତ ପୋଷ୍ଟକାର୍ଡ଼, ମାକ୍ସିମ କାର୍ଡ଼, ମିନିଏଚର ସିଟ୍, ବୁକଲେଟ୍ ପ୍ରଭୃତିର ଆକର୍ଷଣ ଜଣେ ସଂଗ୍ରାହକଙ୍କୁ ଭାବ-ଆଦାନ-ପ୍ରଦାନ ଜରିଆ ଦେଇଥାଏ। ବିଶେଷ ଭାବେ ଅନ୍ୟ ଦେଶରୁ ପତ୍ରାଳାପ ଦ୍ୱାରା ସଂଗୃହୀତ ବିଭିନ୍ନ ବିଷୟ ଭିତ୍ତିକ ଲଫାଫା ବା ସ୍ମୃତିଭିତ୍ତିକ ପ୍ରଥମ ଦିବସ, ନିରାପତ୍ତା ସହ ଡାକରେ ପ୍ରେରିତ ଚିଠି (ରେଜିଷ୍ଟ୍ରି ଚିଠି), ଏକ ବିଷୟରେ ବହୁ ଦେଶରୁ ପ୍ରଚଳିତ ଟିକେଟ ସ୍ବତନ୍ତ୍ର ମୋହର ସଂଗ୍ରାହକଙ୍କୁ ପ୍ରୋତ୍ସାହିତ କରିଥାଏ।
ଡାକ ସାମଗ୍ରୀ ସଂଗ୍ରହସ୍ଥଳ ଭାବେ ‘ଫିଲାଟେଲିକ ବ୍ୟୁରୋ’ ପ୍ରତିଷ୍ଠା ବମ୍ବେ ସାଧାରଣ ପୋଷ୍ଟ ଅଫିସ୍ଠାରେ ୨୧ ଜୁନ୍ ୧୯୪୧ରେ ଆରମ୍ଭ ହୋଇଥିଲା। ସ୍ବାଧୀନତା ପରେ ୧୫ ଅଗଷ୍ଟ ୧୯୪୮ରେ ୯ ରାଜ୍ୟ ରାଜଧାନୀରେ ଉଦ୍ଘାଟିତ ହୋଇ ପରବର୍ତ୍ତୀ ସମୟରେ ୮୪ଟି ସହର ଓ ୨ଟି ଆର୍ମି ପୋଷ୍ଟ ଅଫିସ୍ (କଲିକତା ଓ ଦିଲ୍ଲୀ) ଠାରେ ଡାକ ସାମଗ୍ରୀ ସଂଗ୍ରାହକମାନଙ୍କୁ ସେବା ପ୍ରଦାନ କରୁଅଛି। ଖୁସିର ବିଷୟ ଯେ, ଓଡ଼ିଶାର ସର୍ବପୁରାତନ ଫିଲାଟେଲିକ ବ୍ୟୁରୋ କଟକରେ ୧୯୪୮ରୁ କାର୍ଯ୍ୟକ୍ଷମ ହୋଇ ଚଳିତ ବର୍ଷ ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି। ଏତଦ୍ବ୍ୟତୀତ ଭୁବନେଶ୍ୱର ଓ ସମ୍ବଲପୁର ବ୍ୟୁରୋ ଓଡ଼ିଶାର ସଂଗ୍ରାହକମାନଙ୍କ ରୁଚି ଓ ପସନ୍ଦ ଅନୁସାରେ ପ୍ରକାଶିତ ଓ ପ୍ରଚଳିତ ଡାକଟିକେଟ ସାମଗ୍ରୀ ଯୋଗାଇ ଦେବାରେ ଅଗ୍ରଣୀ ଭୂମିକା ନିଭାଉଛି।
‘ଉଡ଼ାଜାହାଜର ପ୍ରଥମ ଦିବସ ଯାତ୍ରା’ ସମୟର ସ୍ମୃତିଭିତ୍ତିକ ସ୍ମରଣକାରୀ ଲଫାଫା ସଂଗ୍ରହ ଏକ ସ୍ବତନ୍ତ୍ର ସ୍ଥାନ ସହ ସଂଗ୍ରାହକ ପସନ୍ଦ କରିଥାନ୍ତି। ବିଶାଳ ଭାରତବର୍ଷରେ ଡାକ ଦ୍ୱାରା ପ୍ରେରିତ ସାମଗ୍ରୀ ଠିକ୍ ଭାବେ ଠିକ୍ ଠିକଣାରେ ପହଞ୍ଚାଇବା ପାଇଁ ପିନ୍ ବା ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର ଦିଆଯାଉଥାଏ। ଏହି ଛଅ ଅଙ୍କ ବିଶିଷ୍ଟ ସ୍ବତନ୍ତ୍ର ସଂଖ୍ୟା ଚିହ୍ନ ୧୯୭୨ରୁ ଆରମ୍ଭ ହୋଇ ଚଳିତ ବର୍ଷ ଅଗଷ୍ଟ ୧୫ରେ ୫୦ ଭାରତୀୟ ଡାକବିଭାଗ କେବଳ ଡାକ ଟିକେଟ ପ୍ରଚଳନ, ଡାକ ସରବରାହରେ ସୀମିତ ନ ରହି ଜମା ଗ୍ରହଣ ଓ ଋଣ ପ୍ରଦାନକାରୀ, ଅବସରକାଳୀନ, ବୟସ୍କ, ଅକର୍ମଣ୍ୟ ବ୍ୟକ୍ତିଙ୍କ ଭତ୍ତା, ବୀମା ପ୍ରଭୃତି ସେବା ପ୍ରଦାନପୂର୍ବକ ‘ଅହର୍ନିଶଂ ସେବା ମହେ’ ମନ୍ତ୍ରରେ ଅନୁପ୍ରାଣିତ ହୋଇ ଦିନରାତି ସେବା ଯୋଗାଇବାରେ ସକ୍ଷମ ହୋଇଛନ୍ତି।
ଡାକ ଟିକେଟ ସଂଗ୍ରାହକ
ଏ/ଇ ୬୯, ଭୀମଟାଙ୍ଗୀ ହାଉସିଂ ବୋର୍ଡ
କପିଳପ୍ରସାଦ, ଭୁବନେଶ୍ୱର
ମୋ-୭୯୭୮୫୫୧୦୮୦