Categories: ଜାତୀୟ

ଟ୍ରେନ ଦୁର୍ଘଟଣା ଅନୁକମ୍ପା ରାଶି ୧୦ ଗୁଣ ବଢିଲା

ନୂଆଦିଲ୍ଲୀ,୨୧।୯: ଭାରତୀୟ ରେଳ ବୋର୍ଡ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ କିମ୍ବା ଆଘାତରେ ଦିଆଯାଇଥିବା ଅନୁକମ୍ପା ରାଶିକୁ ୧୦ ଗୁଣ ବୃଦ୍ଧି କରିଛି। ଏହି ରାଶି ଶେଷ ଥର ପାଇଁ ୨୦୧୨ ଏବଂ ୨୦୧୩ରେ ସଂଶୋଧିତ ହୋଇଥିଲା। ବୋର୍ଡ କହିଛି ଯେ, ବର୍ତ୍ତମାନ ଟ୍ରେନ ଦୁର୍ଘଟଣା ଏବଂ ଅପ୍ରତ୍ୟାଶିତ ଦୁର୍ଘଟଣା ଘଟଣାରେ ସମ୍ପୃକ୍ତ ମୃତ ତଥା ଆହତ ଯାତ୍ରୀଙ୍କ ପରିବାରକୁ ଦିଆଯିବାକୁ ଥିବା ରାଶି ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ରେଳ ଦୁର୍ଘଟଣାରେ ଏଣିକି ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯିବ। ଦୁର୍ଘଟଣାରେ ଗୁରତରଙ୍କୁ ୨ ଲକ୍ଷ ୫୦ ହଜାର ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କାର ଅନୁକମ୍ପା ରାଶି ମିଳିବ। ସେହିପରି ଲେବଲ କ୍ରସିଂ ଦୁର୍ଘଟଣାରେ ମୃତାହତଙ୍କ ପାଇଁ ମଧ୍ୟ ସମାନ ଅନୁକମ୍ପା ରାଶି ଘୋଷଣା କରାଯାଇଛି।
ଅପରପକ୍ଷେ ଅପ୍ରତ୍ୟାଶିତ ଦୁର୍ଘଟଣାରେ ମୃତ୍ୟୁ ହେଲେ ଦେଢ଼ ଲକ୍ଷ ଟଙ୍କା, ଅପ୍ରତ୍ୟାଶିତ ଦୁର୍ଘଟଣାରେ ଗୁରୁତରଙ୍କ ପାଇଁ ୫୦ ହଜାର ଓ ସାମାନ୍ୟ ଆହତଙ୍କ ପାଇଁ ୫ ହଜାର ଟଙ୍କାର ଅନୁକମ୍ପା ରାଶି ଦିଆଯିବ। ଟ୍ରେନ ଦୁର୍ଘଟଣାରେ ଗୁରୁତର ହୋଇ ମେଡିକାଲରେ ୩୦ ଦିନରୁ ଅଧିକ ସମୟ ଆଡମିଟ ହେଲେ ଅନୁକମ୍ପା ରାଶି ବି ବୃଦ୍ଧି ପାଇବ ବୋଲି ରେଲବାଇ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି।

Share