Categories: ଖେଳ

ଭାରତୀୟ କ୍ରୀଡ଼ା: ୭୫ ବର୍ଷର ଉପଲବ୍ଧି

ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ”ଅମୃତ ମହୋତ୍ସବ“ ପାଳନ କରୁଥିବା ସମୟରେ ଗତ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଐତିହାସିକ ସଫଳତା ନିଶ୍ଚିତ ଭାବେ ଭବିଷ୍ୟତ ପାଇଁ ଶୁଭ ସଙ୍କେତ। ଏହି ଅବସରରେ ଭାରତୀୟ କ୍ରୀଡ଼ାର ବିଗତ ୭୫ ବର୍ଷର ଯାତ୍ରା ସମ୍ବନ୍ଧରେ ଏକ ଆଲେଖ୍ୟ…

ଇଂଲଣ୍ଡର ବର୍ମିଂହାମ୍‌ରେ ସମାପ୍ତ (ଜୁଲାଇ ୨୨ରୁ ଅଗଷ୍ଟ ୮) ହୋଇଥିବା ୨୨ତମ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତର ସଫଳତା ଅତ୍ୟନ୍ତ ଉତ୍ସାହଜନକ ରହିଥିଲେ ମଧ୍ୟ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ଭଳି ‘କ୍ରୀଡ଼ା ଶକ୍ତି’ ଦେଶଗୁଡ଼ିକର ଆଧିପତ୍ୟ ଅକ୍ଷୁଣ୍ଣ ରହିଛି। ମୋଟ ପଦକ ତାଲିକାରେ ପୂର୍ବ ସଂସ୍କରଣ (ଗୋଲ୍ଡକୋଷ୍ଟ୍‌ ୨୦୧୮-୬୬ ପଦକ) ଅପେକ୍ଷା ଏଥର (ମେଡାଲ ସଂଖ୍ୟା-୬୧) ୫ଟି କମ୍‌ ପଦକ ଜିତି ୪ର୍ଥ ସ୍ଥାନରେ (୨୦୧୦-୨ୟ ସ୍ଥାନ, ୨୦୧୮-୩ୟ ସ୍ଥାନ) ରହିଥିଲେ ମଧ୍ୟ ଭାରତୀୟ କ୍ରୀଡ଼ାବିତ୍‌ମାନେ ବ୍ୟାଡମିଣ୍ଟନ, ବକ୍ସିଂ, ଭାରୋତ୍ତୋଳନ, କୁସ୍ତି ଏବଂ ଟେବୁଲଟେନିସ୍‌ ପ୍ରଭୃତି ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ସଫଳ ହୋଇଛନ୍ତି। କିନ୍ତୁ ପ୍ରଥମ ଥର ପାଇଁ ସବୁଠାରୁ ଉଲ୍ଲେଖନୀୟ ସଫଳତା ମିଳିଛି ଦୌଡ଼କୁଦ ପ୍ରତିଯୋଗିତାରୁ। ପୂର୍ବ ସଂସ୍କରଣରେ ମାତ୍ର ୩ଟି (ସ୍ବର୍ଣ୍ଣ -୧, ରୌପ୍ୟ-୧, କାଂସ୍ୟ-୧) ପଦକ ହାସଲ କରିଥିବା ଭାରତୀୟ କ୍ରୀଡ଼ାବିତ୍‌ମାନେ ଏଥର ସମୁଦାୟ ୮ଟି ପଦକ (ସ୍ବର୍ଣ୍ଣ-୧, ରୌପ୍ୟ-୪, କାଂସ୍ୟ-୩) ଜିତି ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛନ୍ତି। ବିଶେଷ ଭାବେ ଟ୍ରିପଲ ଜମ୍ପରେ ଏଲଡୋସ୍‌ ପଲ ଓ ଅବଦୁଲା ଆବୁବାକରଙ୍କ ସ୍ବର୍ଣ୍ଣ ଏବଂ ରୌପ୍ୟ ପଦକ ହାସଲ ଲଙ୍ଗଜମ୍ପରେ ମୁରଲୀ ଶ୍ରୀଶଙ୍କରଙ୍କ ରୌପ୍ୟ ପଦକ, ହାଇଜମ୍ପରେ ତେଜସ୍ବିନଙ୍କ କାଂସ୍ୟ ଏବଂ ୩୦୦୦ ମି. ଷ୍ଟିପଲ୍‌ଚେଜରେ ଅପରାଜେୟ କେନୀୟ ଆଥଲେଟ୍ସଙ୍କ ଆଧିପତ୍ୟକୁ ଚ୍ୟାଲେଞ୍ଜ ଦେଇ ସ୍ବର୍ଣ୍ଣ ପଦକ ବିଜେତା କେନିଆର ଆଥଲେଟ୍‌ କିବିଓଟ୍‌ଙ୍କଠାରୁ ମାତ୍ର ୦.୦୫ ସେକେଣ୍ଡ୍‌ସ ସମୟ ବ୍ୟବଧାନରେ (ଏକ ସେକେଣ୍ଡର ୫୦୦ ଭାଗ) ପଛରେ ରହି ରୌପ୍ୟ ପଦକ ହାସଲ କରିଥିବା ଅବିନାଶ ସାବ୍‌ଲେଙ୍କ ପ୍ରଦର୍ଶନକୁ ବିଶ୍ୱସ୍ତରୀୟ ମାନ୍ୟତା ମିଳିଛି।
ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶ ”ଅମୃତ ମହୋତ୍ସବ“ ପାଳନ କରୁଥିବା ସମୟରେ ଭାରତୀୟ କ୍ରୀଡ଼ାବିତ୍‌ଙ୍କ ଏହି ଐତିହାସିକ ସଫଳତା ନିଶ୍ଚିତ ଭାବେ ଭବିଷ୍ୟତ ପାଇଁ ଶୁଭ ସଙ୍କେତ। ଏହି ଅବସରରେ ଭାରତୀୟ କ୍ରୀଡ଼ାର ବିଗତ ୭୫ ବର୍ଷର ଯାତ୍ରା ସମ୍ବନ୍ଧରେ ଏକ ଆଲେଖ୍ୟ…
୧୯୪୭ରେ ଆମ ଦେଶ ସ୍ବାଧୀନ ହେଲା। ସ୍ବାଧୀନତା ପୂର୍ବରୁ ୧୯୨୮ ଆମ୍‌ଷ୍ଟାରଡାମ ଅଲିମ୍ପିକ୍ସରୁ କ୍ରୀଡ଼ା କ୍ଷେତ୍ରରେ ଭାରତୀୟ ହକିର ସ୍ବର୍ଣ୍ଣିମ ଅଧ୍ୟାୟ ଆରମ୍ଭ ହୋଇଥିଲେ ମଧ୍ୟ ଭାରତୀୟ ଦଳ ବ୍ରିଟିଶ-ଇଣ୍ଡିଆ ଦଳ ଭାବେ ଅଲିମ୍ପିକ୍ସରେ ଭାଗ ନେଉଥିଲା। ହକି ବ୍ୟତୀତ ଦୌଡ଼କୁଦରେ ଭାରତକୁ ପ୍ରତିନିଧିତ୍ୱ କରି କଲିକତା ଜନ୍ମିତ ନର୍‌ମାନ ପ୍ରିଟ୍‌ଚାର୍ଡ ପ୍ରଥମ ଏସୀୟ ପ୍ରତିଯୋଗୀ ଭାବେ ୧୯୦୦ ପ୍ୟାରିସ୍‌ ଅଲିମ୍ପିକ୍ସରେ ୨୦୦ମି. ଏବଂ ୨୦୦ମି. ବାଧା ଦୌଡ଼ରେ ୨ଟି ରୌପ୍ୟ ପଦକ ହାସଲ କରିଥିଲେ। ଭାରତକୁ ପ୍ରତିନିଧିତ୍ୱ କରିଥିଲେ ମଧ୍ୟ ସେ ଥିଲେ ବ୍ରିଟିଶ।
ସ୍ବାଧୀନତା ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ କ୍ରୀଡ଼ାକୁ ଶ୍ରେଷ୍ଠ ସଫଳତା ମିଳିଥିଲା ୧୯୪୮ ଲଣ୍ଡନ ଅଲିମ୍ପିକ୍‌ କ୍ରୀଡ଼ାରେ। ପ୍ରଥମ ଥର ପାଇଁ ସ୍ବାଧିନ ଭାରତକୁ ପ୍ରତିନିଧିତ୍ୱ କରି ଭାରତୀୟ ହକି ଦଳ ଫାଇନାଲରେ ଗ୍ରେଟ୍‌ ବ୍ରିଟେନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ୧୯୫୨ ହେଲେସିଙ୍କି ଅଲିମ୍ପିକ୍ସରେ ଭାରତର କୁସ୍ତି ଯୋଦ୍ଧା କେ.ଡି. ଯାଦବଙ୍କ ବାଣ୍ଟମଓ୍ବେଟ୍‌ କୁସ୍ତିରେ କାଂସ୍ୟ ପଦକ ହାସଲ ସହିତ ହକିରେ ସ୍ବର୍ଣ୍ଣପଦକ ଜିତିଥିଲା ଏବଂ ୧୯୫୬ ମେଲବୋର୍ଣ୍ଣ କ୍ରୀଡ଼ାରେ ଭାରତୀୟ ହକି ଦଳ ଲଗାତର ୬ଷ୍ଠ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିବା ସହିତ ଫୁଟବଲରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ ବଳରେ ୪ର୍ଥ ସ୍ଥାନ ହାସଲ କଲା। ଏହା ହେଉଛି ଭାରତୀୟ ଫୁଟବଲର ଅଲିମ୍ପିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ। ୧୯୫୧ ଏବଂ ୧୯୬୨ରେ ଭାରତୀୟ ଫୁଟବଲ ଦଳ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣପଦକ ଜିତି ଏସିଆ ମହାଦେଶର ଶ୍ରେଷ୍ଠ ଫୁଟବଲ ଦଳର ମାନ୍ୟତା ପାଇଥିଲା। ଏହି ସମୟରେ ଭାରତୀୟ କ୍ରୀଡ଼ାରେ ଆବିର୍ଭାବ ହୋଇଥିଲେ ଜଣେ ବିଶ୍ୱସ୍ତରୀୟ କ୍ରୀଡ଼ାବିତ୍‌ ମିଲଖା ସିଂ। ୧୯୫୮ ରାଜ୍ୟଗୋଷ୍ଠୀ ଏବଂ ଏସୀୟ କ୍ରୀଡ଼ାରେ ୪୦୦ମି. ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଥିବା ମିଲ୍‌ଖା ୧୯୬୦ ରୋମ ଅଲିମ୍ପିକ୍ସରେ ୪୦୦ମି.ରେ ବିଶ୍ୱ ରେକର୍ଡ ଭାଙ୍ଗିଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ୪ର୍ଥ ସ୍ଥାନ ହାସଲ କରି ଇତିହାସ ରଚନା କରିଥିଲେ।
ପରବର୍ତ୍ତୀ ସମୟରେ ଯେଉଁ ଭାରତୀୟ ଦଳ ବା କ୍ରୀଡ଼ାବିତ୍‌ମାନେ ବିଶ୍ୱସ୍ତରୀୟ ପ୍ରଦର୍ଶନ ମାଧ୍ୟମରେ ଦେଶ ପାଇଁ ଗୌରବ ଆଣିଥିଲେ ତାହାର ଏକ ସଂକ୍ଷିପ୍ତ ବିବରଣୀ-
୧୯୬୪ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ୭ମ ସ୍ବର୍ଣ୍ଣ ପଦକ ବିଜୟ, ୧୯୭୫ରେ ବିଶ୍ୱକପ୍‌ ହକିରେ ଚାମ୍ପିୟନ ଆଖ୍ୟା ଅର୍ଜନ, ୧୯୮୦ ମସ୍କୋ ଅଲିମ୍ପିକ୍ସରେ ୮ମ ଥର ପାଇଁ ହକି ସ୍ବର୍ଣ୍ଣ ପଦକ ହାସଲ, ୧୯୮୦ରେ ପ୍ରକାଶ ପାଦୁକୋନଙ୍କ ଅଲ୍‌ ଇଂଲଣ୍ଡ ବ୍ୟାଡମିଣ୍ଟନ ଟ୍ରଫି ହାସଲ, ୧୯୮୩ରେ କପିଳ ଦେବଙ୍କ ଅଧିନାୟକତ୍ୱରେ ସୀମିତ ଓଭର କ୍ରିକେଟ ବିଶ୍ୱକପ୍‌ ଚାମ୍ପିୟନ, ୧୯୮୪ ଲସ୍‌ଆଞ୍ଜେଲ୍‌ସ ଅଲିମ୍ପିକ୍ସରେ ପି.ଟି. ଉଷାଙ୍କ ୪୦୦ମି. ବାଧା ଦୌଡ଼ରେ ୪ର୍ଥ ସ୍ଥାନ ହାସଲ, ୧୯୯୦ ଆଟ୍‌ଲାଣ୍ଟା ଅଲିମ୍ପିକ୍ସରେ ଟେନିସ୍‌ ତାରକା ଲିଆଣ୍ଡର ପେସ୍‌ଙ୍କ କାଂସ୍ୟ ପଦକ ବିଜୟ, ୨୦୦୦ ସିଡ୍‌ନୀ ଅଲିମ୍ପିକ୍ସରେ ୬୯ କେଜି ବର୍ଗ ଭାରୋତ୍ତୋଳନରେ କେ. ମାଲେଶ୍ୱରୀଙ୍କ ବ୍ରୋଞ୍ଜ ପଦକ ହାସଲ ଏବଂ ଚେସ୍‌ ଗ୍ରାଣ୍ଡମାଷ୍ଟର ବିଶ୍ୱନାଥନ ଆନନ୍ଦଙ୍କର ବିଶ୍ୱ ଚାମ୍ପିୟନଶିପ୍‌ ଟାଇଟଲ ବିଜୟ (ପରବର୍ତ୍ତୀ ସମୟରେ ୫ ଥର ଟାଇଟଲ୍‌ ବିଜେତା), ୨୦୦୧ରେ ପ୍ରକାଶ ପାଦୁକୋନଙ୍କ ପରେ ପୁଲେଲା ଗୋପିଚାନ୍ଦଙ୍କ ଅଲ ଇଂଲଣ୍ଡ ବ୍ୟାଡମିଣ୍ଟନ ଟାଇଟଲ ହାସଲ, ୨୦୦୩ ବିଶ୍ୱ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ରେ ଅଞ୍ଜୁ ବବି ଜର୍ଜଙ୍କ ଲମ୍ବଡିଆଁରେ କାଂସ୍ୟ ପଦକ ହାସଲ (ଆଜି ପର୍ଯ୍ୟନ୍ତ ଏକମାତ୍ର ଭାରତୀୟ), ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ରାଜ୍ୟ ବର୍ଦ୍ଧନ ସିଂ ରାଠୋରଙ୍କ ବନ୍ଧୁକ ଚାଳନାରେ ରୌପ୍ୟ ପଦକ ହାସଲ, ୨୦୦୫ରେ ପଙ୍କଜ ଆଡଭାନୀଙ୍କ ବିଶ୍ୱ ସ୍ନୁକର ଚାମ୍ପିୟନଶିପ୍‌ ଟାଇଟଲ୍‌ ହାସଲ, ୨୦୦୭ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଟି୨୦ ବିଶ୍ୱ କପ୍‌ରେ ଭାରତୀୟ କ୍ରିକେଟ ଦଳ ଚାମ୍ପିୟନ, ୨୦୦୮ ବେଜିଂ ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଆଥଲେଟ୍‌ ଭାବେ ଅଭିନବ ବିନ୍ଦ୍ରାଙ୍କ ୧୦ ମି. ଏୟାର ରାଇଫଲ ଶୁଟିଂରେ ସ୍ବର୍ଣ୍ଣ ପଦକ ଲାଭ ସହିତ ବକ୍ସିଂ ଏବଂ କୁସ୍ତିରେ ବିଜେନ୍ଦର ସିଂ ଏବଂ ସୁଶିଲ କୁମାରଙ୍କ ରୌପ୍ୟ ପଦକ ହାସଲ, ୨୦୧୧ ଏକଦିବସୀୟ ବିଶ୍ୱ କପ୍‌ କ୍ରିକେଟ୍‌ରେ ୨ୟ ଥର ପାଇଁ ଚାମ୍ପିୟନ ଆଖ୍ୟା ଅର୍ଜନ, ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ (୨ ରୌପ୍ୟ ଓ ୪ କାଂସ୍ୟ) ୬ ପଦକ ହାସଲ କରି ଶ୍ରେଷ୍ଠ ସଫଳତା, ୨୦୧୫ ସାଇନା ନେହ୍ବାଲଙ୍କ ବିଶ୍ୱ ବ୍ୟାଡମିଣ୍ଟନ ର଼୍ୟାଙ୍କ୍‌ରେ ୧ନମ୍ବର ସ୍ଥାନ ଏବଂ ବିଶ୍ୱ ଚାମ୍ପିୟନଶିପ୍‌ରେ ରୌପ୍ୟ ପଦକ ହାସଲ, ୨୦୧୬ ରିଓ ଅଲିମ୍ପିକ୍ସ ବ୍ୟାଡମିଣ୍ଟନରେ ପି.ଭି. ସିନ୍ଧୁଙ୍କ ରୌପ୍ୟ ପଦକ ହାସଲ ଏବଂ ସାକ୍ଷୀ ମଲ୍ଲିକଙ୍କ କୁସ୍ତିରେ ବ୍ରୋଞ୍ଜ ପଦକ, ୨୦୧୭ ଓ ୧୮ ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିୟନଶିପ୍‌ରେ ପି.ଭି. ସିନ୍ଧୁଙ୍କ ରୌପ୍ୟ ପଦକ ଏବଂ ୨୦୧୯ରେ ବିଶ୍ୱ ଚାମ୍ପିୟନ ଆଖ୍ୟା ଅର୍ଜନ, ସର୍ବଶେଷରେ ୨୦୨୧ ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ଜାଭେଲିନ୍‌ ଥ୍ରୋରେ ଐତିହାସିକ ସ୍ବର୍ଣ୍ଣ ପଦକ ବିଜୟ, ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳର କାଂସ୍ୟ ପଦକ ହାସଲ ସହିତ ୭ଟି ଅଲିମ୍ପିକ ପଦକ ବିଜୟ ଏବଂ ପ୍ରମୋଦ ଭଗତଙ୍କ ପାରାଲିମ୍ପିକ ବ୍ୟାଡମିଣ୍ଟନ ସ୍ବର୍ଣ୍ଣ ପଦକ ବିଜୟ ପ୍ରଭୃତି ସଂକ୍ଷେପରେ ଭାରତୀୟ କ୍ରୀଡାର ସ୍ମରଣୀୟ ମୁହୂର୍ତ୍ତ ଏବଂ ବିଗତ ୭୫ ବର୍ଷର ବିଶେଷ ଉପଲବ୍ଧି ା

 

Share