କିର୍‌ଗିଜସ୍ତାନରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ, ଘରେ ରହିବାକୁ ଦୂତାବାସର ପରାମର୍ଶ

ନୂଆଦିଲ୍ଲୀ,୧୮ା୫: କିର୍‌ଗିଜସ୍ତାନ ରାଜଧାନୀ ବିଶ୍‌କେକ୍‌ରେ କେତେଜଣ ଭାରତୀୟଙ୍କ ସମେତ ବିଦେଶୀ ଛାତ୍ର ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ସେଠାରେ ଉତ୍ତେଜନା ଲାଗିରହିଥିବାରୁ ଭାରତୀୟମାନେ ଘରେ ରହିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି। ହଷ୍ଟେଲରେ ଉତ୍ତ୍ୟକ୍ତ ଲୋକେ ପ୍ରବେଶ କରି ଆକ୍ରମଣ କରିବାରୁ କେତେଜଣ ପାକିସ୍ତାନୀ ଛାତ୍ର ଆହତ ହୋଇଛନ୍ତି।

ଭାରତୀୟ ଛାତ୍ରୀଛାତ୍ରଙ୍କ ସହ ଦୂତାବାସ ଯୋଗାଯୋଗରେ ରହିଛି। ସ୍ଥିତି ଶାନ୍ତ ଥିଲେ ମଧ୍ୟ ବର୍ତ୍ତମାନ ପାଇଁ ଛାତ୍ରୀଛାତ୍ରମାନେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ ଦୂତାବାସ ସହ ଛାତ୍ରୀଛାତ୍ର ନିୟମିତ ଯୋଗାଯୋଗରେ ରହିବା ପାଇଁ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ପରାମର୍ଶ ଦେଇଛନ୍ତି।

କିର୍‌ଗିଜସ୍ତାନରେ ପ୍ରାୟ ୧୪,୫୦୦ ଭାରତୀୟ ଛାତ୍ରୀଛାତ୍ର ରହିଛନ୍ତି। ସେଠାରେ ଡାକ୍ତରୀ ପାଠପଢ଼ା କମ୍‌ ଖର୍ଚ୍ଚରେ ହୋଇପାରୁ ଥିବାରୁୂ ମେଡିକାଲ ଛାତ୍ରୀଛାତ୍ର ସେଠାରେ ପଢ଼ିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ଦୁଇଦିନ ହେଲା ସେଠାର ଉତ୍ତ୍ୟକ୍ତ ଲୋକେ ଭାରତ, ବାଂଲାଦେଶ ଓ ପାକିସ୍ତାନର ଛାତ୍ରମାନେ ରହୁଥିବା ହଷ୍ଟେଲକୁ ଟାର୍ଗେଟ କରିଛନ୍ତି। ଏହି ହିଂସାରେ ୩ ପାକିସ୍ତାନୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବାବେଳେ ସରକାରୀ ଭାବେ ତାହା ସ୍ପଷ୍ଟ ହୋଇନାହିଁ। ଏହି ଘଟଣା ପରେ ଦିଲ୍ଲୀ ଏବଂ ଇସ୍‌ଲାମାବାଦ ପକ୍ଷରୁ କିର୍‌ଗିସ୍ତାନରେ ରହୁଥିବା ସେମାନଙ୍କ ନାଗରିକମାନଙ୍କୁ ଆଡଭାଇଜରି ଜାରି କରାଯାଇଛି।

Share