ଆମେରିକାରେ ଚାଇନିଜ୍‌ଙ୍କୁ ଟପିଲେ ଭାରତୀୟ ଛାତ୍ର

ବିଶ୍ୱ ଶିକ୍ଷା ବଜାରରେ ବିଦେଶୀ ବିଦ୍ୟାର୍ଥୀଙ୍କୁ ଆକୃଷ୍ଟ କରିବାରେ ଆମେରିକାର ଚାହିଦା ରହିଆସିଛି। ଚାଇନା ପରେ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ସେଠାରେ ଅଧିକ ଥିଲା। ହେଲେ କିଛିବର୍ଷ ହେବ ଭାରତୀୟ ଶିକ୍ଷାର୍ଥୀଙ୍କ ସଂଖ୍ୟା ବଢ଼ି ଯାଇଥିବା ବେଳେ ଚାଇନା ଛାତ୍ରୀଛାତ୍ର କମୁଛନ୍ତି। ଭାରତୀୟ ମାତାପିତା ଯେଉଁମାନେ ସ୍ବଚ୍ଛଳ ବର୍ଗର ଅଛନ୍ତି, ସେମାନେ ଭାରତର ଶୈକ୍ଷିକ ପରିବେଶ ଠିକ୍‌ ନ ଥିବା ଅନୁଭବ କରିବା ପରେ ସେମାନଙ୍କ ପିଲାଙ୍କୁ ଆମେରିକା ପଠାଇ ଦେଉଥିବା ଲକ୍ଷ୍ୟ କରାଯାଉଛି। ପୁଣି ଏଠାରେ ନିଯୁକ୍ତି ସୁଯୋଗ କମ୍‌ ରହିଛି। ଅନ୍ୟପକ୍ଷରେ ଆମେରିକାରେ ଚାଇନା ବିରୋଧୀ ମାନସିକତା ବଢ଼ିବା ଏବଂ ବେଜିଂ ଅଧିକ ବେତନରେ ନିଯୁକ୍ତି ଦେବାରୁ ସେମାନେ ବାହାରକୁ ଯିବାକୁ ଚାହୁଁ ନ ଥିବା ଜଣାପଡ଼ିଛି।

ଓ୍ବାଶିଂଟନ,୧୨।୧୧: ଆମେରିକାର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଦୁଇଗୁଣା ହୋଇଛି। ଅନ୍ୟପକ୍ଷରେ ସେଠାରେ ଚାଇନା ଶିକ୍ଷାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇଛି। ଏହି ପରିବର୍ତ୍ତନ ଯୋଗୁ ଆମେରିକୀୟ ବ୍ୟବସାୟ ପ୍ରଭାବିତ ହେବା ସହ ବୈଷୟିକ ଶିଳ୍ପ ଏବଂ ଏସ୍‌ଟିଇଏମ୍‌ (ସାଇନ୍ସ, ଟେକ୍ନୋଲଜି, ଇଜିନିୟରିଂ ଆଣ୍ଡ୍‌ ମ୍ୟାନେଜମେଣ୍ଟ) ସହ ସମ୍ପୃକ୍ତ ଶିଳ୍ପରେ ବ୍ୟବଧାନ ବଢ଼ିଛି। ଉଚ୍ଚଶିକ୍ଷା ପାଇଁ ଆମେରିକାକୁ ସର୍ବାଧିକ ଅନ୍ତର୍ଜାତୀୟ ଛାତ୍ରୀଛାତ୍ର ଚାଇନାରୁ ଆସିଥାନ୍ତି ବୋଲି ନ୍ୟୁୟର୍କ ୟୁନିଭର୍ସିଟି ପ୍ରଫେସର ଟେବୋହୋ ମୋଜା କହିଆସୁଥିଲେ। ଏବେ ଆମେରିକାକୁ ଭାରତ ସର୍ବାଧିକ ବିଦେଶୀ ଶିକ୍ଷାର୍ଥୀ ଯୋଗାଉଛି। ସେପ୍ଟେମ୍ବର ତଥ୍ୟ ଅନୁଯାୟୀ ଭାରତୀୟ ଛାତ୍ର ଭିଜାଧାରୀଙ୍କ ସଂଖ୍ୟା ୩,୨୦,୦୦୦ରୁ ଅଧିକ ହୋଇଥିବାବେଳେ ଚାଇନାର ୨,୫୪,୦୦୦। ଗତ ଦଶନ୍ଧିରେ ୧୮ ଲକ୍ଷ ଭାରତୀୟ ଛାତ୍ରୀଛାତ୍ର ଆମେରିକା କ୍ୟାମ୍ପସ୍‌ରେ ଯୋଗଦେଇଛନ୍ତି। ଗତବର୍ଷ ଏହି ସଂଖ୍ୟା ୬୪,୩୦୦ ଥିବାବେଳେ ଚାଇନା ଛାତ୍ରୀଛାତ୍ରଙ୍କ ସଂଖ୍ୟା ୨୪,୭୯୬କୁ ହ୍ରାସ ପାଇଥିଲା। ଚାଇନା ପିଲାଙ୍କ ଖାଲିସ୍ଥାନକୁ ଭାରତୀୟ ଶିକ୍ଷାର୍ଥୀ ପୂରଣ କରୁଛନ୍ତି ଏବଂ ବୈଷୟିକ ଶିଳ୍ପ ଏବଂ ଏସ୍‌ଟିଇଏମ୍‌ ସମ୍ପର୍କିତ ନିଯୁକ୍ତିରେ ଶୀର୍ଷ ପଦବୀରେ ନିଯୁକ୍ତି ପାଉଛନ୍ତି। କେବଳ ଆମେରିକାରେ ନୁହେଁ, ଅନ୍ୟ ଦେଶରେ ମଧ୍ୟ ଅନୁରୂପ ସ୍ଥିତି ଦେଖାଦେଇଥିବା ମୋଜା ତାଙ୍କ ପୋଷ୍ଟରେ ଲେଖିଛନ୍ତି। ଗତବର୍ଷ ନଭେମ୍ବରରେ ପ୍ରକାଶିତ ବ୍ରିଟେନ୍‌ ତଥ୍ୟ ଅନୁଯାୟୀ ସେଠାରେ ମଧ୍ୟ ଚାଇନା ଛାତ୍ରୀଛାତ୍ରଙ୍କୁ ଭାରତୀୟମାନେ ଟପିଛନ୍ତି।୨୦୨୨ର ପ୍ରଥମ ୩ଟି ତ୍ରୈମାସିକରେ ଭାରତୀୟ ଛାତ୍ର ହିଁ ଅଧିକ ଭିଜା ନେଇଛନ୍ତି।
ଆମେରିକାରେ ଚାଇନା ଛାତ୍ରୀଛାତ୍ରଙ୍କ ସଂଖ୍ୟା କମିବା ପଛରେ ଦୁଇଟି କାରଣ ରହିଛି। ତାହା ହେଲା ଆମେରିକାରେ ଚାଇନା ବିରୋଧୀ ମାନସିକତା ବଢ଼ିବା ଏବଂ ବେଜିଂ ଅଧିକ ବେତନରେ ନିଯୁକ୍ତି ଦେବା। ଫଳରେ ଯୁକ୍ତରାଷ୍ଟ୍ରରେ ପଢ଼ିବା ପାଇଁ ଚାଇନା ପିଲାଙ୍କ ଆଗ୍ରହ ହ୍ରାସ ପାଇଛି। ଚାଇନା ବିଶ୍ୱବିଦ୍ୟାଳୟଗୁଡ଼ିକରୁ ଆମେରିକା ଆଉ ଅଧିକ ପିଲାଙ୍କୁ ଆକୃଷ୍ଟ କରିପାରୁ ନାହିଁ। ତେଣୁ ଆଗାମୀ ଦିନରେ ଆମେରିକା ଏହାର ବିଜ୍ଞାନ ଗବେଷଣା, ପ୍ରତିରକ୍ଷା ପ୍ରଯୁକ୍ତି ଓ ହାଇଟେକ୍‌ ଶିଳ୍ପର ନେତୃତ୍ୱ ନେବା ପାଇଁ ମୁଖ୍ୟତଃ ଭାରତ ଓ ଅନ୍ୟ ଦେଶର ଛାତ୍ରୀଛାତ୍ରଙ୍କ ଉପରେ ଅଧିକ ନିର୍ଭରଶୀଳ ହେବ। ଟ୍ୟାଲେଣ୍ଟ ପୁଲ୍‌ରେ ଏହି ପରିବର୍ତ୍ତନ ଆମେରିକାର ବୈଶ୍ୱିକ ସାମର୍ଥ୍ୟକୁ କେତେ ପ୍ରଭାବିତ କରିବ ତାହା ସ୍ପଷ୍ଟ ହୋଇନାହିଁ।

Share