ପୁଣି ଭାରତୀୟଙ୍କୁ ଟାର୍ଗେଟ କଲେ ଖଲିସ୍ତାନୀ ସମର୍ଥକ

ସିଡନୀ,୧୪।୭: ଅଷ୍ଟ୍ରେଲିଆରେ ଖଲିସ୍ତାନୀ ସମର୍ଥକମାନେ ଲଗାତାର ଭାବେ ଭାରତୀୟଙ୍କୁ ଟାର୍ଗେଟ କରି ଚାଲିଛନ୍ତି। ଶୁକ୍ରବାର ବି ଏମିତି ଏକ ଖବର ସାମ୍ନାକୁ ଆସିଛି। କୁହାଯାଉଛି କି ସିଡ୍‌ନୀର ପଶ୍ଚିମ ଉପନଗର ମେରିଲାଣ୍ଡସରେ ଖଲିସ୍ତାନ ସମର୍ଥକ ଜଣେ ଭାରତୀୟ ଛାତ୍ରଙ୍କୁ ନିର୍ମମ ଭାବେ ପିଟିଛନ୍ତି।

ଛାତ୍ର ସ୍ବପ୍ନୀଲ ସିଂ (ଛଦ୍ମନାମ) କହିଥିଲେ ଯେ ସେ ଅଧ୍ୟୟନ ସହିତ ଡ୍ରାଇଭର ଭାବରେ କାର୍ଯ୍ୟ କରନ୍ତି । ଯେତେବେଳେ ସେ ସକାଳ ପ୍ରାୟ ସାଢେ ୫ଟାରେ କାମ କରିବାକୁ ଯାଉଥିଲେ, ଠିକ ସେତିକି ବେଳେ ଚାରି ରୁ ପାଞ୍ଚ ଜଣ ଖାଲିସ୍ତାନୀ ସମର୍ଥକ ତାଙ୍କୁ ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ମୁଁ ମୋର ଡ୍ରାଇଭିଂ ସିଟରେ ବସିବା ମାତ୍ରେ ଖାଲିସ୍ତାନୀ ସମର୍ଥକମାନେ କେଉଁଠାରୁ ଆସଲେ ମୁଁ ଜାଣି ପାରିଲି ନାହିଁ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ବପ୍ନୀଲ କହିଛନ୍ତି ଯେ ଜଣେ ସମର୍ଥକ ବିପରୀତ ହାତରେ ଡୋର ଖୋଲି ତାଙ୍କୁ ଆଖି ତଳେ ଗାଲରେ ଲୁହା ରଡରେ ଆକ୍ରମଣ କରିଥିଲେ। ଏହା ପରେ ଆକ୍ରମଣକାରୀମାନେ ତାଙ୍କୁ ଗାଡିରୁ ଓହ୍ଲାଇ ଲୁହା ରଡରେ ପିଟିବା ଆରମ୍ଭ କରିଥିଲେ।
ପୀଡ଼ିତ ଛାତ୍ର ଜଣଙ୍କ ଆହୁରି ମଧ୍ୟ କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଦୁଇଜଣ ନିଜ ଫୋନରେ ଭିଡିଓ ରେକର୍ଡିଂ କରୁଥିବାବେଳେ ୪-୫ ଜଣ ତାଙ୍କୁ ଚାରି ପଟୁ ମାଡ ମାରୁଥିଲେ। ଏହି ସମୟରେ ସେମାନେ ଖାଲିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦେଉଥିଲେ।

Share