ପୋଷା କୁକୁର ବିନା ୟୁକ୍ରେନ ଛାଡ଼ିବାକୁ ମନା କଲେ ଭାରତୀୟ ଛାତ୍ର

ନୂଆଦିଲ୍ଲୀ,୨୭।୨: ଯୁଦ୍ଧରେ ଯର୍ଯରିତ ୟୁକ୍ରେନରେ ଫସିଥିବା ଜଣେ ତୃତୀୟ ବର୍ଷର ଇଞ୍ଜିନିୟରିଂ ଛାତ୍ର ପୋଷା କୁକୁର ବିନା ଦେଶ ଛାଡ଼ିବାକୁ ମନା କରି ଦେଇଛନ୍ତି। ଖାରକିଭ ନ୍ୟାଶନାଲ ୟୁନିଭର୍ସିଟି ଅଫ୍‌ ରେଡିଓ ଏଲେକ୍ଟ୍ରୋନିକ୍ସରେ ଅଧ୍ୟୟନ କରୁଥିବା ରିଷଭ କୌଶିକ କହିଛନ୍ତି, ସ୍ବଦେଶ ଫେରିବା ବେଳେ ସାଥିରେ ପୋଷା କୁକୁରଙ୍କୁ ନେବା ପାଇଁ ମୁଁ ସମସ୍ତ ପ୍ରକାର ଅନୁମତି ହାସଲ କରିଛି। କିନ୍ତୁ ଅଧିକାରୀମାନେ ଅଧିକରୁ ଅଧିକ ଡକ୍ୟୁମେଣ୍ଟ ମାଗୁଛନ୍ତି।

“ସେମାନେ ମୋତେ ଏୟାର ଟିକେଟ୍‌ ମାଗୁଛନ୍ତି। ୟୁକ୍ରେନର ଏୟାରସ୍ପେସ୍‌ ବନ୍ଦ ଥିଲା ବେଳେ ମୋ ପାଖରେ କେଉଁଠୁ ଏୟାର ଟିକେଟ୍‌ ଆସିବେ” ବୋଲି ସେ କହିଛନ୍ତି।

ମୁଁ ଦିଲ୍ଲୀସ୍ଥିତ ଭାରତୀୟ ସରକାରଙ୍କ ପଶୁ କ୍ୱାରେଣ୍ଟିନ ଓ ପ୍ରମାଣପତ୍ର ସେବା (ଏକ୍ୱୁସିଏସ୍‌) ଏବଂ ୟୁକ୍ରୋନରେ ଥିବା ଭାରତୀୟ ଦୂତାବାସରେ ମଧ୍ୟ ପହଞ୍ଚିଥିଲି। କିନ୍ତୁ କିଛି ଫାଇଦା ମିଳି ନ ଥିଲା। ସୋସିଆଲ ମିଡିଆରେ ଶେୟାର କରିଥିବା ଭିଡିଓରେ ସେ କହିଛନ୍ତି, ଦିଲ୍ଲୀର ଆଇଜିଆଇ ବିମାନ ବନ୍ଦର ଅଧିକାରୀଙ୍କୁ ତାଙ୍କ ପରିସ୍ଥିତି ସମ୍ପର୍କରେ ଜଣାଇଥିଲେ। ହେଲେ ସେ ସହଯୋଗ କରିବା ବଦଳରେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିବା ସେ ଦାବି କରିଛନ୍ତି।

“୨୭ ତାରିଖରେ ମୋର ଫ୍ଲାଇଟ୍‌ ଥିବାରୁ ମୁଁ ବଙ୍କରରେ ଅଛି” କୁକୁରକୁ ପରିଚିତ କରାଇ ସେ କହିଥିଲେ, ଲଗାତାର ବୋମା ମାଡ଼ର ଶବ୍ଦ ଯୋଗୁ କୁକୁର କ୍ରମାଗତ କାନ୍ଦୁଛି। ଯଦି ଆପଣମାନେ ପାରିବେ, ଦୟାକରି ସାହାଯ୍ୟ କରନ୍ତୁ। କ୍ୱିଭରେ ଥିବା ଭାରତୀୟ ଦୂତାବାସ ମଧ୍ୟ ସାହାଯ୍ୟ କରୁନାହିଁ ବୋଲି ୟୁକ୍ରେନ ରାଜଧାନୀ କ୍ୱିଭର ବଙ୍କରରେ ଲୁଚିଥିବା କୌଶିକ କହିଛନ୍ତି।

Share