ଚାଇନା ଫେରିବେ ଭାରତୀୟ ଛାତ୍ରୀଛାତ୍ର

ବେଜିଂ,୩୦।୪: କୋଭିଡ୍‌ ମହାମାରୀ ବେଳେ ଚାଇନାରୁ ପଳାଇଆସିଥିବା ଭାରତୀୟ ଛାତ୍ରୀଛାତ୍ର ଏବେ ସେଠାକୁ ଫେରିବାର ସୁଯୋଗ ପାଇବେ। ଏଥିପାଇଁ ଶୁକ୍ରବାର ବେଜିଂ ଏକ ଯୋଜନା ଘୋଷଣା କରିଛି। ଭିଜା ଓ ବିମାନ କଟକଣା ଯୋଗୁ ଏହି ଛାତ୍ରୀଛାତ୍ର ୨ ବର୍ଷ ହେଲା ଭାରତରେ ଅଟକି ରହିଛନ୍ତି। ଭାରତୀୟ ପିଲାମାନେ ପଢ଼ିବା ପାଇଁ ଭାରତ ଫେରିବା ଉପରେ ଚାଇନା ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ସେଠାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‌ ଗଣମାଧ୍ୟମକୁ କହିଛନ୍ତି। ସେମାନଙ୍କ ଫେରିବା ଲାଗି କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରକୃତରେ ଯେଉଁମାନେ ଚାଇନା ଫେରିବାକୁ ଚାହୁଁଛନ୍ତି, ଭାରତ ସରକାର ସେମାନଙ୍କ ତାଲିକା ପଠାଇବାକୁ କୁହାଯାଇଛି। ସୂଚନାଯୋଗ୍ୟ, ୨୦୧୯ ଡିସେମ୍ବରରେ କରୋନା ମହାମାରୀ ଆରମ୍ଭ ହେବାରୁ ଚାଇନାର ବିଭିନ୍ନ ମେଡିକାଲ କଲେଜରେ ଡାକ୍ତରୀ ପଢ଼ୁଥିବା ୨୩,୦୦୦ରୁ ଊର୍ଦ୍ଧ୍ୱ ଭାରତୀୟ ଛାତ୍ରୀଛାତ୍ର ଘରକୁ ଚାଲିଆସିଥିଲେ। ସଂକ୍ରମଣ ରୋକିବା ଲାଗି ଚାଇନା ସରକାରଙ୍କ କଟକଣା ଯୋଗୁ ସେମାନେ ଏପର୍ଯ୍ୟନ୍ତ ଫେରିପାରି ନାହାନ୍ତି।

Share