କାନାଡ଼ାରୁ ବିତାଡିତ ହେବନି ଭାରତୀୟ ଛାତ୍ରୀଛାତ୍ର, ନିଷ୍ପତ୍ତିରୁ ଓହରିଲେ ସରକାର…

ଅଟଓ୍ବା,୧୦।୬ : କାନାଡାରେ ପଢୁଥିବା ପ୍ରାୟ ୭୦୦ ଭାରତୀୟ ଛାତ୍ରୀଛାତ୍ର ଦେଶକୁ ପ୍ରତ୍ୟାବର୍ତ୍ତନ ହେବାର ଆଶଙ୍କା ଦେଖାଦେଇଥିଲା। କାରଣ ସେଠାରେ ଥିବା ସରକାର ସେମାନଙ୍କୁ ନିଜ ଦେଶକୁ ପଠାଇବାକୁ ପ୍ରସ୍ତୁତ ହେଉଥିଲେ। ତେବେ କାନାଡ଼ା ସରକାର ଏହା ଉପରେ ଏବେ ରୋକ ଲଗାଇଛନ୍ତି। କାନାଡ଼ା ସରକାର ନିଜ ନିଷ୍ପତ୍ତିରୁ ଓହରିଛନ୍ତି। ବାସ୍ତବରେ ଏହି ସମସ୍ତ ଛାତ୍ରୀଛାତ୍ରଙ୍କୁ ନକଲି ଅଫର ଲେଟର ମାଧ୍ୟମରେ ଆଡମିଶନ ଦିଆଯାଇଥିବା ଅଭିଯୋଗ ହୋଇଥିଲା।

ଭାରତୀୟ ଛାତ୍ରୀଛାତ୍ରମାନେ କାନାଡା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଧାରଣାରେ ବସିଥିଲେ। ଏହି ଧାରଣା କାନାଡା ସୀମା ସେବା ଏଜେନ୍ସିର ମୁଖ୍ୟାଳୟ ସମ୍ମୁଖରେ ଦିଆଯାଉଥିଲା। ଏଥି ସହିତ, ଭାରତୀୟ ଛାତ୍ରୀଛାତ୍ରମାନେ କହଥିଲେ ସେମାନେ କିଛି ଭୁଲ କରି ନାହାଁନ୍ତି। ସେମାନେ ଜାଲିଆତିର ଶିକାର ହୋଇଛନ୍ତି। ଏପରି ଜଣେ ପଞ୍ଜାବ ଛାତ୍ର ଲଭପ୍ରୀତ ସିଂ କାନାଡାର ଏକ କଲେଜରେ ଆଡମିଶନ ଗ୍ରହଣ କରିଥିବା ବେଳେ ଜୁନ ୧୩ ରେ ତାଙ୍କୁ ଦେଶରୁ ବିତାଡିତ କରାଯାଇଥାନ୍ତା। ଅନ୍ୟପକ୍ଷରେ ପଞ୍ଜାବ ଏନଆରଆଇ ବ୍ୟାପାର ମନ୍ତ୍ରୀ କୁଲଦୀପ ସିଂ ଧଲିୱାଲ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଥିଲେ। ସେ ପଞ୍ଜାବର ୭୦୦ ଭାରତୀୟ ଛାତ୍ରୀଛାତ୍ରଙ୍କ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ। ସମସ୍ତେ କାନାଡାରେ ଇମିଗ୍ରେଶନ ଠକେଇରେ ଧରାପଡିଛନ୍ତି ଏବଂ ଦେଶାନ୍ତର ମାମଲାର ସମ୍ମୁଖୀନ ହେଉଥିବା ସେ ଉଲ୍ଲେଖ କରିଥିଲେ।

ଛାତ୍ରୀଛାତ୍ରମାନଙ୍କୁ ଦେଶରୁ ବିତାଡିତ କରାଯିବା ଉଚିତ ନୁହେଁ ଏବଂ ସେମାନଙ୍କ ଭିସାକୁ ଦୃଷ୍ଟିରେ ରଖି କାର୍ଯ୍ୟ ଅନୁମତି ଦିଆଯାଉ ନାହିଁ ବୋଲି ଧଲିୱାଲ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖି ଜରାଇଥିଲେ। ଏଥିସହ ସେ ସ୍ବରାଷ୍ଠ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରି ଛାତ୍ରୀଛାତ୍ରଙ୍କୁ ପ୍ରତାରଣା କରୁଥିବା ଟ୍ରାଭେଲ ଏଜେଣ୍ଟମାନଙ୍କୁ ଦଣ୍ଡ ଦେବା ପାଇଁ କେନ୍ଦ୍ର ପଞ୍ଜାବ ସରକାରଙ୍କ ସହ ସହଯୋଗ କରିବା ଉଚିତ ବୋଲି ଚିଠିରେ ଦର୍ଶାଇଥିଲେ॥ ଧାଲିୱାଲ କହିଥିଲେ ଏଭଳି ଆଇନ କଡାକଡି ହେବା ଉଚିତ ଯାହା ଦ୍ୱାରା ମାନବ ଚାଲାଣ ଭଳି ଭବିଷ୍ୟତରେ କୌଣସି ଅସୁବିଧା ଯେପରି ସୃଷ୍ଟି ନ ହେବ। ବିଦେଶ ଯିବା ପୂର୍ବରୁ କିମ୍ବା ସେମାନଙ୍କ ପିଲାମାନଙ୍କୁ ଅଧ୍ୟୟନ ପାଇଁ ପଠାଇବା ପୂର୍ବରୁ କଲେଜର ସବିଶେଷ ତଥ୍ୟ ଏବଂ ଟ୍ରାଭେଲ ଏଜେଣ୍ଟଙ୍କ ରେକର୍ଡ ଯାଞ୍ଚ କରିବା ପାଇଁ ପଞ୍ଜାବର ଲୋକମାନଙ୍କୁ ସେ ନିବେଦନ କରିଥିଲେ।

Share