ପିଚ ବ୍ଲାକ ଏକ୍ସରସାଇଜ: ଭାରତ-ଆମେରିକା ସମେତ ଭାଗନେବେ ୧୭ ଦେଶ

ଡର୍ବିନ,୨୦ ।୮: ବିଦେଶ ଆକାଶରେ ଶକ୍ତି ପ୍ରଦର୍ଶନ କରିବାକୁ ଭାରତୀୟ ବାୟୁସେନାର ୪ ସୁଖୋଇ ଯୁଦ୍ଧ ବିମାନ ଓ ୨ଟି ସି-୧୭ ଗ୍ଲୋବମାଷ୍ଟର-୩ ଅଷ୍ଟ୍ରେଲିଆର ଡର୍ବିନ ସହରରେ ଲ୍ୟାଣ୍ଡ କରି ସାରିଛି । ଏ ସମସ୍ତ ଯୁଦ୍ଧ ବିମାନ ଅଷ୍ଟ୍ରେଲିଆରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ଯୁଦ୍ଧାଭ୍ୟାସ ‘ପିଚ ବ୍ଲାକ-୨୦୨୨’ରେ ଭାଗ ନେବେ । ଏହି ଯୁଦ୍ଧାଭ୍ୟାସ ୧୯ ଅଗଷ୍ଟ ୨୦୨୨ରୁ ଆରମ୍ଭ ହୋଇ ୮ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲିବ । ଏହି ପିଚ ବ୍ଲାକ ଏକ୍ସରସାଇଜରେ ଭାରତ-ଆମେରିକା ସମେତ ୧୭ ଦେଶ ଭାଗ ନେଉଛନ୍ତି । ଏଥିରେ ୨୫୦୦ ଯବାନ ଓ ୧୦୦ ଯୁଦ୍ଧ ବିମାନ ଭିନ୍ନ ଭିନ୍ନ ପ୍ରକାର ମିଶନରେ ନିଜର ଶକ୍ତି ପ୍ରଦର୍ଶନ କରିବେ । ସୂଚନାଯୋଗ୍ୟ, କରୋନା ମହାମାରୀ କାରଣରୁ ଏହି ଯୁଦ୍ଧାଭ୍ୟାସ ୪ ବର୍ଷ ପରେ ଆୟୋଜିତ ହୋଇଛି ।
ଏହି ଯୁଦ୍ଧାଭ୍ୟାସର ଉଦ୍ଦେଶ୍ୟ ହେଉଛି ଚାଇନା ବିରୋଧରେ ଏକାଠି ହେବା । ଏହା ବ୍ୟତୀତ କ୍ୱାଡ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ କରିବା । ସୂଚନାଯୋଗ୍ୟ, ଏବେ ଦକ୍ଷିଣ ଚାଇନା ସାଗର ନିକଟରେ ଚାଇନା ଯେଉଁଭଳି ଭାବେ ତାଇୱାନକୁ ଘେରି ଯୁଦ୍ଧାଭ୍ୟାସ କରୁଛି, ଏହି ସମୟରେ ପିଚ ବ୍ଲାକ ଏକ୍ସରସାଇଜ ଗୁରୁତ୍ୱ ରଖୁଛି ।

Share