Categories: ଖେଳ

ଇଣ୍ଡିଆନ ସୁପର ଲିଗ୍‌: ବେଙ୍ଗାଲୁରୁକୁ ହରାଇଲା ମୁମ୍ବାଇ ସିଟି

ମାର୍ଗୋଆ,୬।୧(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ବାଇ ସିଟି ୩-୧ ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ସ୍ଥାନୀୟ ଫାଟୋର୍ଡ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ମୁମ୍ବାଇ ସମ୍ପୂର୍ଣ୍ଣ ରୂପେ ଆଧିପତ୍ୟ ବିସ୍ତାର କରି ଖେଳିଥିଲା। ଏଥିସହିତ ୯ଟି ମ୍ୟାଚ୍‌ ଖେଳି ମୁମ୍ବାଇ ୭ଟି ବିଜୟ, ଗୋଟିଏ ପରାଜୟ ଓ ଗୋଟିଏ ଡ୍ର ସହ ମୋଟ୍‌ ୨୨ ପଏଣ୍ଟ ପାଇ ତାଲିକାରେ ତା’ର ଶୀର୍ଷ ସ୍ଥାନକୁ ଆହୁରି ଦୃଢ କରିଛି। ଆଇଏସ୍‌ଏଲ୍‌ରେ ବେଙ୍ଗାଲୁରୁ ଏଥିସହିତ ପ୍ରଥମଥର ପାଇଁ କ୍ରମାଗତ ୩ଟି ମ୍ୟାଚ୍‌ରେ ପରାଜୟ ବରଣ କରିଛି। ବେଙ୍ଗାଲୁରୁ ୯ଟି ମ୍ୟାଚ୍‌ ଖେଳି ୩ଟି ଲେଖାଏ ବିଜୟ, ପରାଜୟ ଓ ଡ୍ର ସହ ୧୨ ପଏଣ୍ଟ ପାଇ ତାଲକାର ପଞ୍ଚମ ସ୍ଥାନରେ ରହିଛି।
ମୁମ୍ବାଇ ତରଫରୁ ମୌରଟାଡା ଫଲ୍‌ ନବମ ମିନିଟ୍‌ରେ ପ୍ରଥମ ଗୋଲ ଦେଇ ଦଳକୁ ଅଗ୍ରଣୀ କରାଇଥିଲେ। ୧୫ତମ ମିନିଟ୍‌ରେ ବିପିନ ସିଂ ଆଉ ଏକ ଗୋଲ ଦେଇ ମୁମ୍ବାଇ ୨-୦ରେ ଅଗ୍ରଣୀ କରାଇଥିଲେ। ତେବେ ମ୍ୟାଚ୍‌ର ୭୯ତମ ମିନିଟ୍‌ରେ ବେଙ୍ଗାଲୁରୁ ତରଫରୁ ଅଧିନାୟକ ସୁନୀଲ ଛେତ୍ରୀ ପେନାଲ୍ଟି ଜରିଆରେ ଗୋଲ ଦେଇ ଗୋଲ ବ୍ୟବଧାନକୁ କମାଇଥିଲେ। ଏହାର ୫ ମିନିଟ୍‌ ପରେ ବାର୍ଥୋଲୋମ୍ୟୁ ଓଗୋବେଚେ ଗୋଲ ଦେଇ ମୁମ୍ବାଇକୁ ୩-୧ରେ ଅଗ୍ରଣୀ କରାଇଥିଲେ। ଏହାପରେ ମ୍ୟାଚ୍‌ରେ ଗୋଲ ସ୍କୋର ନ ହେବାରୁ ମୁମ୍ବାଇ ବିଜୟୀ ହୋଇଥିଲା। ମୁମ୍ବାଇର ଅହମ୍ମଦ ଜାହୋଉ ୮୬ତମ ମିନିଟ୍‌ରେ ରେଡ୍‌ କାର୍ଡ ପାଇଥିଲେ। ବଲ୍‌ ପଜେସନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ମୁମ୍ବାଇ ବେଙ୍ଗାଲୁରୁଠାରୁ ଯଥେଷ୍ଟ ଆଗରେ ଥିଲା।

Share