Advertisement
Categories: Home Leftଖେଳ

ଇଣ୍ଡିଆନ ସୁପର ଲିଗ୍‌: ଚେନ୍ନାଇନ୍‌ଠାରୁ ହାରିଲା ଓଡ଼ିଶା

ବାମ୍ବୋଲିମ୍‌,୧୪।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ୨-୧ ଗୋଲରେ ଚେନ୍ନାଇନ୍‌ ଏଫ୍‌ସିଠାରୁ ପରାସ୍ତ ହୋଇଛି। ସ୍ଥାନୀୟ ଜିଏମ୍‌ସି ଷ୍ଟାଡିୟମରେ ଅନୁଷ୍ଠିତ ଏହି ମୁକାବିଲାରେ ବିସାଉ- ଗୁନିଆ ସେଣ୍ଟର ଫରଓ୍ବାର୍ଡ ଇସ୍‌ମାଏଲ ଗନ୍‌କାଲ୍‌ଭ୍ସଙ୍କ ଡବଲ ଗୋଲ ବଳରେ ଚେନ୍ନାଇନ ବିଜୟୀ ହୋଇଛି। ପ୍ରଥମାର୍ଦ୍ଧରେ ଚେନ୍ନାଇନ ତରଫରୁ ଦୁଇଟି ଗୋଲ ସ୍କୋର କରାଯାଇଥିଲା। ଇସ୍‌ମାଏଲ ୧୫ତମ ମିନିଟ୍‌ରେ ପ୍ରଥମେ ଏକ ଫିଲ୍ଡ ଗୋଲ ଦେଇଥିଲେ। ଏହାର ୬ ମିନିଟ୍‌ ପରେ ସେ ପେନାଲ୍ଟି ଜରିଆରେ ଆଉ ଏକ ଗୋଲ ଦେଇ ପ୍ରଥମାର୍ଦ୍ଧ ସୁଦ୍ଧା ଚେନ୍ନାଇନକୁ ୨-୦ ଗୋଲରେ ଅଗ୍ରଣୀ କରାଇଥିଲେ। ତେବେ ଦ୍ୱିତୀୟାର୍ଦ୍ଧରେ ଓଡ଼ିଶା ତରଫରୁ ବ୍ରାଜିଲ ଷ୍ଟ୍ରାଇକର ଡିଏଗୋ ମାଉରିସିଓ ୬୩ ତମ ମିନିଟ୍‌ରେ ଗୋଲ ଦେଇଥିଲେ। ପ୍ରଥମାର୍ଦ୍ଧରେ ଚେନ୍ନାଇ ପ୍ରଭାବ ବିସ୍ତାର କରି ଖେଳିଥିଲା। ଦ୍ୱିତୀୟାର୍ଦ୍ଧରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥଲା। ସୁଯୋଗ ପାଇଥିଲେ ମଧ୍ୟ ଓଡ଼ିଶା ଆଉ ଗୋଲ ଦେଇପାରି ନ ଥିଲା। ଫଳରେ ଶେଷରେ ଚେନ୍ନାଇନ ବିଜୟୀ ହୋଇଥିଲା।
ଏହି ବିଜୟ ସହ ଚେନ୍ନାଇନ୍‌ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ୍‌ ଖେଳି ୩ ବିଜୟ, ୫ ଡ୍ର ଓ ୩ ପରାଜୟ ସହ ୧୪ ପଏଣ୍ଟ ହାସଲ କରି ତାଲକାର ପଞ୍ଚମ ସ୍ଥାନରେ ରହିଛି। ଅନ୍ୟପଟେ ଓଡ଼ିଶା ୧୧ଟି ମ୍ୟାଚ୍‌ ଖେଳି ୧ ବିଜୟ, ୩ ଡ୍ର ଓ ୭ ପରାଜୟ ସହ ୬ ପଏଣ୍ଟ ପାଇ ତାଲିକାର ସର୍ବନିମ୍ନ ୧୧ତମ ସ୍ଥାନରେ ରହିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel