Categories: ଖେଳ

ରାଉଣ୍ଡ-୨ ପାଇଁ ଥାଇଲାଣ୍ଡରେ ଭାରତୀୟ ଦଳ

ବୁରିରାମ (ଥାଇଲାଣ୍ଡ), ୧୯।୯: ‘ସିଟି ଅଫ୍‌ ହାପିନେସ’ ଭାବେ ବିଶେଷ ପରିଚିତ ଥାଇଲାଣ୍ଡର ବୁରିରାମ ସହରରେ ଭାରତୀୟ ୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ଦଳ ପହଞ୍ଚତ୍ଛି। ବ୍ୟାଙ୍କକଠାରୁ ପାଖାପାଖି ୪୦୦ କିଲୋମିଟର ଦୂରରେ ଅବସ୍ଥିତ ଏହି ସହରରେ ଭାରତୀୟ ଜୁନିୟର ମହିଳା ଦଳ ଏଏଫ୍‌ସି ୧୭ ବର୍ଷରୁ କମ୍‌ ଏସିଆନ କପ୍‌ କ୍ୱାଲିଫିକେଶନ ରାଉଣ୍ଡ-୨ ଖେଳିବ। ଗତ ଏପ୍ରିଲରେ ଭାରତୀୟ ମହିଳା ଦଳ ରାଉଣ୍ଡ-୧ରେ ଚମତ୍କାର ପ୍ରଦର୍ଶନ କରିବାପରେ ପ୍ରଥମଥର ପାଇଁ ରାଉଣ୍ଡ-୨ରେ ଖେଳିବାକୁ ଯାଉଛି। କିର୍ଗିଜ ରିପବ୍ଲିକର ବିଶକେକ୍‌ଠାରେ ୩ ଦଳ ବିଶିଷ୍ଟ ଗ୍ରୁପ୍‌ରେ ଭାରତ ୨ଟି ଯାକ ମ୍ୟାଚ ଜିତି ୬ ପଏଣ୍ଟ ପାଇଥିଲା। ସେଠାରେ ଭାରତୀୟ ଦଳ ଆୟୋଜକ କିର୍ଗିଜ ରିପବ୍ଲିକ୍‌ ଓ ମ୍ୟାନ୍‌ମାରକୁ ପରାସ୍ତ କରିଥିଲା। ରାଉଣ୍ଡ-୨ ପାଇଁ ଭାରତ ଗ୍ରୁପ୍‌ ‘ଏ’ରେ କୋରିଆ, ଇରାନ ଓ ଆୟୋଜକ ଥାଇଲାଣ୍ଡ ସହିତ ସ୍ଥାନ ପାଇଛି। ଏଥିରୁ ଶ୍ରେଷ୍ଠ ୨ଟି ଦଳ ୨୦୨୪ ଏପ୍ରିଲରେ ଇଣ୍ଡୋନେସିଆରେ ହେବାକୁଥିବା ଅନ୍ତିମ ଟୁର୍ନାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିବ।
ପ୍ରିୟା ପି.ଭି. ଭାରତୀୟ ଦଳର ମୁଖ୍ୟ କୋଚ୍‌ ଏବଂ ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ସହକାରୀ କୋଚ୍‌ ଅଛନ୍ତି। ଆଗାମୀ ଗୁରୁତ୍ୱପୂର୍ଣ୍ଣ ପ୍ରତିଯୋଗିତାରେ ଭାରତୀୟ ଦଳର ଭଲ ପ୍ରଦର୍ଶନ ନେଇ ଶ୍ରଦ୍ଧାଞ୍ଜଳି ଆଶାପ୍ରକାଶ କରିଥିବାବେଳେ ଏବେ କୋଚ୍‌ ପ୍ରିୟା ତାହାକୁ ଦୋହରାଇଛନ୍ତି। ନିକଟରେ ଏଆଇଏଫ୍‌ଏଫ୍‌ କୋଚ୍‌ ଅଫ୍‌ ଦି ଇୟର ବିବେଚିତ ହୋଇଥିବା ପ୍ରିୟା କହିଛନ୍ତି ଯେ, ଭାରତୀୟ ଦଳ ପାଇଁ ସାଫ୍‌ ପରେ ଏଏଫ୍‌ସି ୧୭ ବର୍ଷରୁ କମ୍‌ ମହିଳା ଏସିଆନ କପ୍‌ କ୍ୱାଲିଫାୟର୍ସ ଦ୍ୱିତୀୟ ବଡ଼ ଟୁର୍ନାମେଣ୍ଟ। ”ଆମ ପିଲାମାନେ ଭଲଭାବେ ପ୍ରସ୍ତୁତ ହୋଇଛନ୍ତି। ତେଣୁ ଆଗାମୀ ପ୍ରତିଯୋଗିତାର ପ୍ରତି ମ୍ୟାଚରେ ସେମାନଙ୍କ ଦକ୍ଷତା ଦେଖାଇବା ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ସେମାନେ କେବଳ ପଡ଼ିଆକୁ ଓହ୍ଲାଇବାକୁ ଅପେକ୍ଷା କରିଛନ୍ତି“। ଆଗାମୀ ଟୁର୍ନାମେଣ୍ଟ ଆମ ଖେଳାଳିଙ୍କ ପାଇଁ ନୂଆ ଅଭିଜ୍ଞତା ଓ ଚ୍ୟାଲେଞ୍ଜ ଆଣିବ। ଦ୍ୱିତୀୟ ରାଉଣ୍ଡରେ ଆମେ ପ୍ରଥମ ରାଉଣ୍ଡ ଅପେକ୍ଷା ଅଧିକ କଷ୍ଟସାଧ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ବିପକ୍ଷରେ ଖେଳିବାକୁ ଯାଉଛୁ। ତେବେ ଆମେ ସେଥିପାଇଁ ନିଜକୁ ଭଲଭାବେ ପ୍ରସ୍ତୁତ କରିଛୁ। ଗୋଆରେ ଆମେ ସ୍ଥାନୀୟ ବାଳକଙ୍କ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିଛୁ। ଆଗାମୀ ମୁକାବିଲା ଯେତେ କଷ୍ଟସାଧ୍ୟ ହେଲେ ହେଁ ପିଲାମାନେ ଶ୍ରେଷ୍ଠ ପ୍ରଦର୍ଶନ ଦେବାନେଇ ଆଶା ରହିଛି। ଆମେ ନିଜକୁ ପ୍ରମାଣିତ କରିବାର ଅଛି“ ବୋଲି ପ୍ରିୟା ପ୍ରକାଶ କରିଛନ୍ତି।

Share