Categories: ଖେଳ

ମଇଦାନକୁ କେବେ ଫେରିବେ ପନ୍ତ, ଅପଡେଟ୍‌ ଦେଲେ ରୋହିତ

ନୂଆଦିଲ୍ଲୀ,୨୧।୮: ବିସିସିଆଇ ଶେଷରେ ଅଗଷ୍ଟ ୩୦ରୁ ଆରମ୍ଭ ହେବାକୁ ଥିବା ଏସିଆ କପ ପାଇଁ ୧୭ ଜଣିଆ ଦଳ ଘୋଷଣା କରି ପ୍ରଶଂସକଙ୍କ ଅପେକ୍ଷା ଶେଷ କରିଛି। ଦଳର ଘୋଷଣା ପରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏବଂ ଅଧିନାୟକ ରୋହିତ ଶର୍ମା ଖବରଦାତା ସମ୍ମିଳନୀରେ ଦଳର ମିଶ୍ରଣକୁ ନେଇ ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ସମୟରେ କିଛି ଖେଳାଳିଙ୍କ ଫିଟନେସ ବିଷୟରେ ମଧ୍ୟ ପ୍ରଶ୍ନ ପଚରାଯାଇଥିଲା। ଏଥିରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ମଧ୍ୟ ପ୍ରଶ୍ନ ଉଠିଥିଲା।

ଡିସେମ୍ବର ୨୦୨୨ରେ ଏକ କାର ଦୁର୍ଘଟଣାରେ ରିଷଭ ପନ୍ତ ଗୁରୁତର ଆହତ ହୋଇଥିଲେ। ଏହା ପରେ ତାଙ୍କୁ ଆଣ୍ଠୁ ଅସ୍ତ୍ରୋପଚାର ମଧ୍ୟ କରିବାକୁ ପଡିଥିଲା। ଗତ କିଛି ମାସ ଧରି ପନ୍ତ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ)ରେ ପୁର୍ନରୁଦ୍ଧାର ପ୍ରକ୍ରିୟା ଦେଇ ଗତି କରୁଛି। ଏହି ସମୟରେ ଏକ ଅଭ୍ୟାସ ମ୍ୟାଚରେ ବ୍ୟାଟିଂ କରୁଥିବା ଭିଡିଓ ମଧ୍ୟ ନିକଟରେ ଭାଇରାଲ ହୋଇଥିଲା। ଏହା ପରେ ଦଳକୁ ତାଙ୍କର ଶୀଘ୍ର ପ୍ରତ୍ୟାବର୍ତ୍ତନ ବିଷୟରେ ଆଲୋଚନା ମଧ୍ୟ ଖୁବ ଜୋର ଚାଲିଥିଲା।

ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ, ରିଷଭ ପନ୍ତ ଏସିଆ କପ ଦଳ ଚୟନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଫିଟ ନୁହଁନ୍ତି। ଏହା ପରେ ଯେତେବେଳେ ରୋହିତଙ୍କୁ ବିଶ୍ୱକପ ପର୍ଯ୍ୟନ୍ତ ଫିଟ୍‌ ହେବାର ଆଶା ବିଷୟରେ ପଚରାଯାଇଥିଲା, ସେ କହିଥିଲେ, ଆଜି ଆସିଥିବା ରିପୋର୍ଟରେ ସେ ବର୍ତ୍ତମାନ ଫିଟ ନୁହଁନ୍ତି।

Share