Categories: ଖେଳ

ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ ନାହିଁ ଟିମ୍‌ ଇଣ୍ଡିଆ, ଚିନ୍ତାରେ ପିସିବି; କ’ଣ ବଦଳିବ…

ନୂଆଦିଲ୍ଲୀ,୭।୭: ଟି୨୦ ବିଶ୍ୱକପ୍‌ ଶେଷ ହେବା ପରେ ଆଇସିସି ଏବେ ଆଗାମୀ ଟୁର୍ନାମେଣ୍ଟ ‘ଚାମ୍ପିୟନ୍ସ ଟ୍ରଫି ପ୍ରସ୍ତୁତିରେ ଲାଗି ପଡ଼ିଛି। ଏହା ପାକିସ୍ତାନରେ ଖେଳାଯିବ। ଏଥିଲାଗି ପାକିସ୍ତାନ କ୍ରିକେଟ ବୋର୍ଡ ମଇଦାନ ମରାମତି କରିବା ଆରମ୍ଭ କରିଛି। ଏହାଛଡ଼ା ଆଇସିସିକୁ ପଠାଯାଇଥିବା କାର୍ଯ୍ୟକ୍ରମ ସୂଚନା ଅନୁଯାୟୀ ଟୁର୍ନାମେଣ୍ଟ ଫେବୃୟାରୀ ୧୯ରୁ ମାର୍ଚ୍ଚ ଯାଏ ହେବ। ଟିମ୍‌ ଇଣ୍ଡିଆ ଏହି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ ଯାଉ ବୋଲି ପିସିବି ଚେଷ୍ଟା ଚଳାଇଛି। ହେଲେ ବିସିସିଆଇ ବଡ଼ ଝଟ୍‌କା ଦେଇଛି, ଯାହାକୁ ନେଇ ବୋର୍ଡ ଏବେ ଚିନ୍ତାରେ ପଡ଼ିଯାଇଛି।
କ୍ରିକେଟରେ ଭାରତୀୟ ଟିମ୍‌ ଯେଉଁଠାରେ ମ୍ୟାଚ୍‌ ଖେଳେ ସେଠାରେ ଭଲ ରୋଜଗାର ସୁଯୋଗ ଥାଏ। ଏଣୁ ବିପଦରେ ପଡ଼ିଥିବା ପାକିସ୍ତାନ ବୋର୍ଡ ଏହି ମଉକା ଛାଡ଼ିବାକୁ ଚାହୁଁନାହିଁ। ବିସିସିଆଇକୁ ମନାଇବା ଲାଗି ଗୋଟିଏ ଭେନୁର ଅଫର ମଧ୍ୟ ପିସିବି ଦେଇଥିଲା। ଏହାସତ୍ତ୍ୱେ ବିସିସିଆଇ ଟିମ୍‌ ଇଣ୍ଡିଆକୁ ପାକିସ୍ତାନ ପଠାଇବାକୁ ଚାହୁଁନାହିଁ। ରିପୋର୍ଟ ମୁତାବକ ଚାମ୍ପିୟନ୍ସ ଟ୍ରଫିକୁ ନେଇ କୌଣସି ଆଲୋଚନା ହୋଇନାହିଁ। ହେଲେ ସେଠାକୁ ଯିବାର ଆଶା କମ୍‌। ଏହି ମାମଲାରେ ଶେଷ ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ ନିର୍ଭର କରେ।
ତେବେ ଟିମ୍‌ ଇଣ୍ଡିଆ ପାକିସ୍ତାନ ନ ଯିବା ପଛରେ ସବୁଠାରୁ ବଡ଼ କାରଣ ଉଭୟ ଦେଶ ମଧ୍ୟର ସମ୍ପର୍କ। ଦୀର୍ଘ ସମୟ ଧରି ଚାଲିଥିବା ଶତ୍ରୁତାପୂର୍ଣ୍ଣ ମନୋଭାବ ସହ ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ କେନ୍ଦ୍ର ସରକାର ସମସ୍ତ ପ୍ରକାର ସମ୍ପର୍କ ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ସରକାର ଖେଳାଳିଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଥାନ୍ତି। ଏଣୁ ଦୁଇ ଦେଶ କେବେହେଲେ ସିରିଜ ଖେଳୁନାହାନ୍ତି। ୨୦୦୮ ପରଠାରୁ ଭାରତ ପାକିସ୍ତାନ ଗସ୍ତ କରିନାହିଁ।
Share