ଭୁଟାନ, ମାଳଦ୍ୱୀପରେ ପହଞ୍ଚିଲା ଭାରତୀୟ ଟିକା

ନୂଆଦିଲ୍ଲୀ, ୨୧।୧: ଭାରତ ସରକାରଙ୍କ ଟିକା ମୈତ୍ରୀ ଆରମ୍ଭ ହୋଇଛି। ନୂଆଦିଲ୍ଲୀ ପଠାଇଥିବା ୧,୫୦,୦୦୦ କୋଭିଶିଲ୍ଡ ଟିକା ବୁଧବାର ଭୁଟାନରେ ପହଞ୍ଚିଛି । ଭାରତର ‘ପଡୋଶୀ ପ୍ରଥମ’ ନୀତିର ଏହା ଏକ ଉଦାହରଣ ବୋଲି ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ଟୁଇଟ୍‌ କରିଛନ୍ତି। ସେହିପରି ମାଳଦ୍ୱୀପରେ ମଧ୍ୟ କୋଭିଡ୍‌ ଟିକାର ଏକ ଲକ୍ଷ କୋଭିଶିଲ୍ଡ ଡୋଜ୍‌ ପହଞ୍ଚିଛି । ଏଥିପାଇଁ ମାଳଦ୍ୱୀପ ସରକାର ଖୁସି ବ୍ୟକ୍ତ କରିଛନ୍ତି। ସବୁ ସଙ୍କଟ ବେଳେ ଭାରତ ଆମ ପାଖରେ ଛିଡ଼ା ହୋଇଛି ବୋଲି ସେଠାର ବହିର୍ବ୍ୟାପାର ମନ୍ତ୍ରୀ ଅବଦୁଲ୍ଲା ଶହିଦ୍‌ କହିଛନ୍ତି। ଭାରତରୁ ଟିକା ନେଇଯାଇଥିବା ଏକ ସ୍ବତନ୍ତ୍ର ବିମାନ ଗୁରୁବାର ବାଂଲାଦେଶ ରାଜଧାନୀ ଢାକା ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି । ସେହିପରି ନେପାଳକୁ ମଧ୍ୟ ଗୁରୁବାର ଭାକ୍ସିନ୍‌ର ୧୦ ଲକ୍ଷ ଡୋଜ୍‌ ପଠାଯିବ ବୋଲି ଜଣାପଡିଛି। ଭାରତର ଏହି ପଦକ୍ଷେପକୁ ପ୍ରଶଂସା କରି ନେପାଳ ସ୍ବାସ୍ଥ୍ୟମନ୍ତ୍ରୀ ହୃଦୟେଶ ତ୍ରିପାଠୀ ଏହାକୁ ନେପାଳ-ଭାରତ ଟିକା ମୈତ୍ରୀ ବୋଲି କହିଛନ୍ତି।

Share