୪୪ ଦେଶକୁ ବ୍ୟାପିଲା ଭାରତୀୟ ଭାରିଆଣ୍ଟ୍‌…

ଜେନେଭା,୧୨।୫: ଭାରତରେ ଦେଖା ଦେଇଥିବା କରୋନା ମହାମାରୀ ଭାରିଆଣ୍ଟ୍‌ ୪୪ ଦେଶକୁ ବ୍ୟାପିଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି। ଭାରତର କରୋନା ବିସ୍ଫୋରଣ ପାଇଁ କରୋନାର ବି.୧.୬୧୭ ଭାରିଆଣ୍ଟ୍‌ ଦାୟୀ। ଅକ୍ଟୋବରରେ କରୋନାର ବି.୧.୬୧୭ ଭାରିଆଣ୍ଟ୍‌ ଭାରତରେ ପ୍ରଥମେ ମିଳିଥିଲା। ଜିଆଇଏସ୍‌ଏଆଇଡିର ଓପନ-ଆକ୍ସେସ ଡାଟାବେସରେ ଅପଲୋଡ ହୋଇଥିବା ତଥ୍ୟ ଅନୁସାରେ ବି.୧.୬୧୭ ଭାରିଆଣ୍ଟ୍‌ ଧୀରେଧୀରେ ଶକ୍ତିଶାଳୀ ହେବାରେ ଲାଗିଛି। ମୂଳ କରୋନା ଭୂତାଣୁ ତୁଳନାରେ ବି.୧.୬୧୭ ଭାରିଆଣ୍ଟ୍‌ ଅଧିକ ସହଜ ଏବଂ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି। ଫଳରେ ଭାରତରେ କରୋନା ସଂକ୍ରମଣ ଏବଂ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଟିକାକରଣ ଦ୍ୱାରା ବି.୧.୬୧୭ ଭାରିଆଣ୍ଟ୍‌ ପ୍ରଭାବ ହ୍ରାସ ହୋଇପାରିବ ବୋଲି ବିଶ୍ୱସ୍ବାସ୍ଥ୍ୟ ସଂଗଠନ କହିଛି।
ଭାରତୀୟ ବି.୧.୬୧୭ ଭାରିଆଣ୍ଟ୍‌କୁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ଚିନ୍ତାଜନକ ଶ୍ରେଣୀରେ ସ୍ଥାନୀତ କରିଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଗଠନ ହୋଇଥିବା କରୋନା ବୈଷୟିକ ଦଳର ଡ. ମାରିଆ ଭାନ କେର୍ଖୋଭ କହିଛନ୍ତି ଯେ ଭାରତରେ ଦେଖାଦେଇଥିବା ବି.୧.୬୧୭ ଭାରିଆଣ୍ଟ୍‌ ନେଇ ଚର୍ଚ୍ଚା ଜାରି ରହିଛି। ଖୁବ୍‌ ଶୀଘ୍ର ଏହାକୁ ରୋକା ଯିବାର ଯୋଜନା ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

Share