ବିଳି ବିଳାଇଲାଣି ଚାଇନା: ବନ୍ଦ କଲା ଭାରତୀୟ ଗଣମାଧ୍ୟମ ଓ୍ବେବସାଇଟ !

ବେଜିଂ,୩୦।୬: ଭାରତ-ଚାଇନା ସୀମା ବିବାଦ ପରେ ଉଭୟ ଦେଶ ମଧ୍ୟରେ ତୁତୁ ମେମେ ବଢିବାରେ ଲାଗିଛି। ଭାରତ ଚାଇନାର ପାଖାପାଖି ୫୯ ଆପ୍‌ ବନ୍ଦ କରିଦେବା ପରେ ଏବେ ଚାଇନା ଏକ ପ୍ରକାର ବିଳି ବିଳାଇଲାଣି। ଏବେ ଚାଇନା ଭାରତର ନ୍ୟୁଜ ଚ୍ୟାନେଲ ଓ ଗଣମାଧ୍ୟମ ସହ ଜଡିତ ସମସ୍ତ ଓ୍ବେବସାଇଟକୁ ବନ୍ଦ କରିଦେଇଥିବା ଜଣାପଡିଛି। ଚାଇନାରେ ଏସବୁ ଓ୍ବେବସାଇଟକୁ ଦେଖିବାକୁ ଅବା ଭାରତୀୟ ଲାଇଭ୍‌ ଟିଭି ଦେଖିବାକୁ ଏବେ ଭର୍ଚୁଆଲ ପ୍ରାଇଭେଟ ନେଟଓ୍ବର୍କ(ଭିପିଏନ୍‌) ଜରିଆରେ ଆକ୍ସେସ୍‌ କରାଯାଇ ପାରିବ ବୋଲି ଜଣାପଡିଛି। କିନ୍ତୁ ଗତ ୨ ଦିନ ହେବ ଭିପିଏନ୍‌ ବି ବ୍ଲକ୍‌ ଥିବା ଜଣାପଡିଛି। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବେଜିଂରୁ ନିର୍ଦ୍ଦେଶ ମିଳିବା ପରେ ହିଁ ଭାରତୀୟ ସମାଚାର ଓ୍ବେବସାଇଟ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବେଜିଂର ଏକ ଡିପ୍ଲୋମେଟିକ ସୂତ୍ରରୁ ଜଣାପଡିଛି କି ଏବେ ଭାରତୀୟ ଟେଲିଭିଜନ ଚ୍ୟାନେଲ କେବଳ ଆଇପି ଟିଭି ମାଧ୍ୟମରେ ଦେଖାଯାଇ ପାରିବ। ତେବେ ଗତ ୨ ଦିନ ହେବ ଏକ୍ସପ୍ରେସ୍‌ ଭିପିଏନ୍‌ ମଧ୍ୟ ଚାଇନାର ଆଇଫୋନ ଓ ଡେକ୍ସଟପ୍‌ରେ କାମ କରୁନାହିଁ ବୋଲି କୁହାଯାଉଛି।

Share