Categories: ଖେଳ

ଟୋକିଓରେ ଚମକିଲେ ଭାରତୀୟ ମହିଳା ଖେଳାଳି

ଟୋକିଓ,୨୫।୭: ଟୋକିଓ ଅଲିମ୍ପିକ୍ସରେ ରବିବାର ଭାରତୀୟ ମହିଳା ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତର ତାରକା ମହିଳା ବକ୍ସର ମେରି କମ ରବିବାର ଟୋକିଓ ଅଲମ୍ପିକ୍ସରେ ଆରମ୍ଭରୁ ଭଲ ପ୍ରଦର୍ଶନ କରିଛନ୍ତି। ନିଜ ପ୍ରତିଦ୍ୱନ୍ଦ୍ୱୀ ହର୍ଣ୍ଣାଡିଜ ଗାର୍ସିଆଙ୍କୁ ୪-୧ରେ ପରାସ୍ତ କରି ଏକ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ସେପଟେ ଟେବୁଲ ଟେନିସର ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ମାନିକା ବାତ୍ରା ଜବରଦସ୍ତ ବିଜୟ ହାସଲ କରି ପରବର୍ତ୍ତୀ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହି ସମୟରେ ସେ ଏକ କଠିନ ପ୍ରତିଯୋଗିତାରେ ୟୁକ୍ରେନର ମାର୍ଗାରିଟା ପେସୋସ୍କାଙ୍କୁ ପରାସ୍ତ କରିଥିଲେ। ଯଦିଓ ଏକ ସମୟରେ ସେ ପ୍ରତିପକ୍ଷଙ୍କ ବିରୁଦ୍ଧରେ ଦୁର୍ବଳ ଦେଖାଯାଉଥିଲେ କିନ୍ତୁ ପରେ ଏକ ଚମତ୍କାର ଭାବେ ମ୍ୟାଚ୍‌କୁ ଫେରି ବିଜୟ ହାସଲ କରିଥିଲେ। ସେହିପରି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ମଧ୍ୟ ନିଜ ପ୍ରଥମ ମ୍ୟାଚ୍‌ ଜିତିଛନ୍ତି।
ଏହାପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ସୁଟରଙ୍କ ଖରାପ ପ୍ରଦର୍ଶନ ଜାରି ରହିଛି। ତୃତୀୟ ଦିନରେ ମଧ୍ୟ ଭାରତୀୟ ଖେଳାଳିମାନେ ନିରାଶ ହୋଇଥିଲେ। ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତର ସୁଟର ଦୀପକ କୁମାର ଏବଂ ଦିବ୍ୟଶ ସିଂ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହାଁନ୍ତି। ଏହା ବ୍ୟତୀତ ତୃତୀୟ ଦିନ ଆଜି ଭାରତ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର। ଟୋକିଓ ଅଲିମ୍ପିକ୍ସରେ ମିରବାଇ ଚାନୁ ରୌପ୍ୟ ପଦକ ଜିତି ଭାରୋତ୍ତୋଳନରେ ଚମତ୍କାର ଆରମ୍ଭ କରିଥିଲେ।