Categories: ଖେଳ

ଭାରତୀୟ ମହିଳା ହକି ଦଳ ସେମିଫାଇନାଲରେ

ବିର୍ମିଂହାମ, ୪।୮: କାନାଡାକୁ ୩-୨ ଗୋଲରେ ପରାସ୍ତ କରି ଭାରତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ହକି ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି। ଭାରତ ପାଇଁ ଏହି ମ୍ୟାଚ୍‌ କର ବା ମର ପରସ୍ଥିତି ସୃଷ୍ଟି କରିଥିଲା। ସେମି ଫାଇନାଲ ପ୍ରବେଶ ପାଇଁ ନିଶ୍ଚିତ ବିଜୟ ଆବଶ୍ୟକ ଥିବା ବେଳେ ଭାରତୀୟ ଦଳ ଅନ୍ତିମ କ୍ୱର୍ଟେରରେ ଲାଲରେଶମୀଙ୍କ ନିର୍ଣ୍ଣାୟକ ଗୋଲରେ ବିଜୟୀ ହୋଇଥିଲା। ନିଶ୍ଚିତ ବିଜୟ ଲକ୍ଷ୍ୟରେ ଓହ୍ଲାଇଥିବା ଭାରତ ମ୍ୟାଚର ପ୍ରଥମ ମିନିଟରୁ ଆକ୍ରମଣ କରିଥିଲା।

ତୃତୀୟ ମିନିଟରେ ସଲିମା ଟେଟେ ପ୍ରଥମ ଗୋଲ ସ୍କୋର କରିଥିଲେ। ଭାରତ ୧-୦ରେ ଆଗୁଆ ରହିଥିବା ବେଳେ ୨୨ତମ ମିନିଟରେ ଆଉ ଏକ ଗୋଲ କରିଥିଲେ ନବନୀତ କୌର। ୦-୨ରେ ପଛୁଆ ରହିବା ପରେ କାନାଡା ମଧ୍ୟ ଜବରଦସ୍ତ ଆକ୍ରମଣ କରିଥିଲା। କାନାଡା ପକ୍ଷରୁ ବ୍ରିଏନେ ଷ୍ଟେୟାର୍ସ ୨୩ ତମ ମିନିଟରେ ଗୋଟିଏ ଗୋଲ ପରିଶୋଧ କରିଥିଲେ। ମ୍ୟାଚର ୩୯ ତମ ମିନିଟରେ ହାନ୍ନା ହନ୍‌ ଆଉ ଏକ ଗୋଲ ସ୍କୋର କରିବା ସହିତ ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ଉନ୍ନତ ଗୋଲ ତାରତମ୍ୟ କାରଣରୁ କାନାଡାକୁ ସେମି ପ୍ରବେଶ ପାଇଁ ଡ୍ରର ଆବଶ୍ୟକତା ରହିଥିଲା।

ମ୍ୟାଚ୍‌ ସାମନ୍ତର ସ୍ତରକୁ ଆସିବା ପରେ କାନାଡା ରକ୍ଷଣାତ୍ମକ ଖେଳ ଖେଳିଥିଲା। ୪୭ ମିନିଟରେ ସୋନିଆଙ୍କ ଗୋଲ ନାକଚ ହୋଇ ଯାଇଥିବା ବେଳେ ୪୯ ମିନିଟରେ ନେହା ଗୋୟଲଙ୍କ ଗୋଲକୁ ଭିଡିଓ ରେଫରାଲ ଜରିଆରେ ଖାରଜ କରିଥିଲା କାନାଡା। ୫୧ ତମ ମିନିଟରେ ମିଳିଥିବା ପେନାଲ୍ଟି କର୍ନରକୁ ଗୁରଜିତ ଗୋଲ ସ୍କୋର କରିବାକୁ ପ୍ରୟାସ କରିଥିଲେ। ରିବାଉଣ୍ଡକୁ ଗୋଲପୋଷ୍ଟ ମଧ୍ୟକୁ ପଠାଇବା ସହିତ ଲାଲରେସମୀ ଭାରତରୁ ସେମି ଫାଇନାଲ ବର୍ଥ ପକ୍କା କରିଥିଲେ।

Share