Categories: ଖେଳ

ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌: ଓଏଫ୍‌ସିର ବୃହତ୍‌ ବିଜୟ

ଭୁବନେଶ୍ୱର,୬ା୫(ସ୍ପୋଟର୍‌ସ ବ୍ୟୁରୋ): ଗୁଜରାଟରେ ଅନୁଷ୍ଠିତ ଇଣ୍ଡିଆନ ଓମେନ୍ସ ଲିଗ୍‌ରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)ର ବୃହତ୍‌ ବିଜୟ ହୋଇଛି। ଶୁକ୍ରବାର ଶାହିବାଗରେ ଚର୍ଚ୍ଚିଲ ବ୍ରଦର୍ସ ବିପକ୍ଷ ମ୍ୟାଚ୍‌କୁ ଓଡ଼ିଶା ୧୦-୦ ବୃହତ୍‌ ବ୍ୟବଧାନରେ ଜିତି ନେଇଥିଲା। ଓଏଫ୍‌ସି ପକ୍ଷରୁ ଅଧିନାୟିକା ନାନ୍‌ଗୋମ୍‌ ବାଲା ଦେବୀ (୬, ୨୧ ମିନିଟ), ମାଳତୀ ମୁଣ୍ଡା (୬୫, ୯୦+୧ ମିନିଟ) ଓ କରିସ୍ମ୍ମା ଓରାମ(୧୮ଓ ୪୫+୩) ମିନିଟରେ ଡବଲ ଗୋଲ ସ୍କୋର କରିଥିଲେ।
ଶୁକ୍ରବାର ମ୍ୟାଚ ଆରମ୍ଭରୁ ଓଏଫ୍‌ସି ଆକ୍ରମଣାତ୍ମକ ପ୍ରଦର୍ଶନ କରିଥିଲା। ମ୍ୟାଚର ଷଷ୍ଠ ମିନିଟରେ ବାଲା ଦେବୀ ଦଳ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାର ୬ ମିନିଟ ପରେ ଯଶୋଦା ମୁଣ୍ଡାଙ୍କ ଗୋଲରେ ଓଏଫ୍‌ସି ୨-୦ରେ ଆଗୁଆ ହୋଇଥିଲା। ୧୮ ତମ ମିନିଟରେ ଡିଫେଣ୍ଡର କରିସ୍ମ୍ମା ଓରାମ ଗୋଲ ସ୍କୋର କରିଥିବା ବେଳେ ୨୧ତମ ମିନିଟରେ ବାଲା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ମିଡ୍‌ ଫିଲ୍ଡର କାର୍ତ୍ତିକା ଅଙ୍ଗମୁଥୁ ୩୯ତମ ମିନିଟରେ ଯଶୋଦାଙ୍କ ପାସ୍‌ରୁ ଗୋଲ ସ୍କୋର କରିବା ସହିତ ଦଳକୁ ୫-୦ରେ ଆଗୁଆ କରିଥିଲେ। ପ୍ରଥମାର୍ଦ୍ଧ ଶେଷ ହେବାର ଠିକ୍‌ ପୂର୍ବରୁ ୪୫+୩ ମିନିଟରେ କରିସ୍ମା ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଓଏଫ୍‌ସି ୬-୦ରେ ଆଗୁଆ ରହିଥିଲା। ଦ୍ୱିତୀୟାର୍ଦ୍ଧରେ ମାଳତୀ ମୁଣ୍ଡା ଦୁଇଟି ଗୋଲ ସ୍କୋର କରିଥିବା ବେଳେ ଏସ୍‌ ଲିଣ୍ଡା କୋମ୍‌ ଓ ଫୌଷ୍ଟିନା ଓରୋନିଓ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ୫୬ତମ ମିନିଟରେ ଫୌଷ୍ଟିନା ସ୍କୋର କରିଥିବା ବେଳେ ୬୦ ତମ ମିନିଟରେ ଫୌଷ୍ଟିନାଙ୍କ ଆସିଷ୍ଟରେ ସ୍କୋର କରିଥିଲେ ଲିଣ୍ଡା। ୬୫ ତମ ମିନିଟରେ ଡିଫେଣ୍ଡର ସୋନାଲି ଚେମଟେଙ୍କ ପାସ୍‌କୁ ଗୋଲରେ ପରିଣତ କରି ଓଏଫ୍‌ସିର ଅଗ୍ରଣୀକୁ ୯-୦ରେ ପହଞ୍ଚାଇଥିଲେ ମାଳତୀ ମୁଣ୍ଡା। ମ୍ୟାଚ୍‌ ଶେଷ ହେବାକୁ କିଛି ମିନିଟ ରହିଥିବା ବେଳେ ଇଞ୍ଜୁରୀ ଟାଇମରେ ବ୍ୟକ୍ତିଗତ ଦ୍ୱିତୀୟ ଗୋଲ ସ୍କୋର କରିଥିଲେ ମାଳତୀ। ଓଏଫ୍‌ସି ଏହାର ପରବର୍ତ୍ତୀ ମ୍ୟାଚରେ ଲର୍ଡସ ଏଫ୍‌ଏ କୋଚିକୁ ଭେଟିବ।

Share