Categories: ଖେଳ

ଏସିଆନ ଗେମ୍ସରେ ପ୍ରଥମଥର ପାଇଁ ସାମିଲ ହେଲା ମହିଳା ସଫ୍ଟବଲ

ନୂଆଦିଲ୍ଲୀ,୨୪।୭: ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଚାଇନାର ହାଙ୍ଗଝୋଉଠାରେ ହେବାକୁ ଥିବା ଏସିଆନ ଗେମ୍ସର ୧୯ତମ ସଂସ୍କରଣରେ ମହିଳା ସଫ୍ଟବଲ ସାମିଲ ହେବ।

ଏଥିରେ ଭାରତୀୟ ମହିଳା ସଫ୍ଟବଲ ଦଳ ଅଂଶଗ୍ରହଣ କରିବ। ସଫ୍ଟବଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏସ୍‌ବିଏଆଇ) ପକ୍ଷରୁ ସୋମବାର ୧୬ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ଓଡ଼ିଶାର ସ୍ବେତାସିନି ସବର ସାମିଲ ହୋଇଛନ୍ତି।

ଜୁନ-ଜୁଲାଇରେ ନୂଆଦିଲ୍ଲୀଠାରେ ୨ସପ୍ତାହ ବିଶିଷ୍ଟ କୋଚିଂ କ୍ୟାମ୍ପ ଓ ଟ୍ରାଏଲ୍ସ ପରେ ଆସୋସିଏଶନ ପକ୍ଷରୁ ଦଳ ଘୋଷଣା କରାଯାଇଛି। ଜାତୀୟ ସଫ୍ଟବଲ୍‌ କ୍ୟାମ୍ପ ଚଣ୍ଡିଗଡ଼ଠାରେ ଅଗଷ୍ଟ ୫ରୁ ଆରମ୍ଭ ହେବ। ଉକ୍ତ ଶିବିରରେ ଯୋଗ ଦେବାପାଇଁ ସ୍ବେତାସିନି ଚଣ୍ଡିଗଡ଼ ଯାତ୍ରା କରିବେ। ରାୟଗଡ଼ାର ସ୍ବେତାସିନି ସମ୍ପ୍ରତି କିସ୍‌ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ। ଭାରତୀୟ ଦଳପାଇଁ ମନୋନୀତ ହୋଇଥିବାରୁ ସ୍ବେତାସିନିଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ଏମ୍‌ପି ଅଚ୍ୟୁତ ସାମନ୍ତ, ଓଡ଼ିଶା ସଫ୍ଟବଲ ଆସୋସିଏଶନ ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ସାହୁଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଅଭିନନ୍ଦନ ଜଣାଇଛନ୍ତି।

ଭାରତୀୟ ଦଳ: ଐଶ୍ୱର୍ଯ୍ୟା ରମେଶ ପୁରୀ, ଏଶ୍ୱର୍ଯ୍ୟା ସୁନୀଲ ବୋଡ୍‌କେ, ମୋନାଲି ମାନସିଂ ନାଟୁ, ସ୍ବପ୍ନିଲ ସି. ଓ୍ବେଡନାଡେ, ସାଇ ଅନିଲ ଜୋଶୀ, ଅଞ୍ଜଳି ପଲ୍ଲୀକ୍କାରା, ଷ୍ଟେଫି ସାଜି, ରିଣ୍ଟା ଚେରିୟାନ, ମମତା ଗୁଗୁଲୋଥ, ଗଙ୍ଗାସୋନା, ମମତା ମିନହାସ, ସନ୍ଦୀପ କୌର, କୁମାରୀ ମନିଶା, ଇଶା, ସ୍ବେତାସିନି ସବର, ନିତ୍ୟା ମାଲ୍‌ଭି। ଷ୍ଟାଣ୍ଡବାଇ: ପ୍ରିୟଙ୍କା ବାଘେଲ। ରିଜର୍ଭ: ମନୀଷା କୁମାରୀ, ପ୍ରୀତି ବର୍ମା, ଚିତ୍ରା।

Share