ଗୁଆହାଟୀ, ୧୮ା୭: ଗୁଆହାଟୀ ହାଇକୋର୍ଟ ଆସାମ ରେସ୍ଲିଂ ଆସୋସିଏଶନ (ଏଡବ୍ଲ୍ୟୁଏ) ଦ୍ୱାରା ଦାଖଲ ପିଟିଶନର ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୨୮ ତାରିଖ ଧାର୍ଯ୍ୟ କରିଛନ୍ତି। ଫଳରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍ଆଇ) ନିର୍ବାଚନରେ ପୁଣି ବିଳମ୍ବ ଘଟିଛି। ଡବ୍ଲ୍ୟୁଏଫ୍ଆଇ ନିର୍ବାଚନ ଜୁଲାଇ ୧୧ରେ କରିବା ଲାଗି ସ୍ଥିର ହୋଇଥିଲା। ମାତ୍ର ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣରୁ ବଞ୍ଚତ୍ତ ହୋଇଥିବା ଆସାମ ରେସ୍ଲିଂ ଆସୋସିଏଶନ ଏକ ପିଟିଶନ ଦାଖଲ କରିବା ପରେ ଗୁଆହାଟୀ ହାଇକୋର୍ଟ ନିର୍ବାଚନ ଉପରେ ରହିତାଦେଶ ଜାରି କରିଥିଲେ। ସୂଚନାଯୋଗ୍ୟ, ଡବ୍ଲ୍ୟୁଏଫ୍ଆଇର ସ୍ବୀକୃତିପ୍ରାପ୍ତ ସଦସ୍ୟଙ୍କୁ ଭୋଟିଂ ଅଧିକାର ରହିଛି। ୨୦୧୪ ନଭେମ୍ବର ୧୫ରେ କାର୍ଯ୍ୟନିର୍ବାହୀ କମିଟିର ସୁପାରିସ ସତ୍ତ୍ୱେ ଜାତୀୟ ମହାସଂଘ ତାହାକୁ ଗ୍ରହଣ କରୁନାହିଁ। ଏଡବ୍ଲ୍ୟୁଏ ଆଡଭୋକେଟ ଦେବଜିତ ସାଇକିଆ ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୮ରେ ହେବ ବୋଲି ସୂଚନା ଦେଇଛନ୍ତି। ସୋମବାର ଡବ୍ଲୁୃଏଫ୍ଆଇ (ଆଡହକ୍ କମିଟି) ଓକିଲ କୋର୍ଟରେ ହାଜର ହୋଇ ନ ଥିଲେ। କ୍ରୀଡ଼ା ମନ୍ତ୍ରଣାଳୟ ପ୍ରତିନିଧି କିନ୍ତୁ ଉପସ୍ଥିତ ଥିଲେ। ସତ୍ୟପାଠ ଦାଖଲ କରିବା ଲାଗି ସେ ଏକ ସପ୍ତାହ ସମୟ ମାଗିଥିଲେ। କୋର୍ଟ ତାଙ୍କୁ ଜୁଲାଇ ୨୬ ସୁଦ୍ଧା ସତ୍ୟପାଠ ଦାଖଲ କାରିବା ଲାଗି କହିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଜୁଲାଇ ୨୮ ତାରିଖ ଧାର୍ଯ୍ୟ କରିଥିଲେ।