Categories: ଜାତୀୟ

ଆଇନ ବ୍ୟବସ୍ଥାର ଭାରତୀୟକରଣ ଲୋଡ଼ା

ନୂଆଦିଲ୍ଲୀ, ୧୯।୯: ଦେଶରେ ଦୀର୍ଘବର୍ଷ ଧରି ଉପନିବେଶୀୟ ଶାସନ ସମୟର ଆଇନ ବ୍ୟବସ୍ଥା ଚଳିଆସୁଛି। ଏହାର ଭାରତୀୟକରଣ ହେବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା କହିଛନ୍ତି। ପ୍ରଚଳିତ ଉପନିବେଶୀୟ ନିୟମାବଳୀ ଭାରତୀୟଙ୍କ ଆବଶ୍ୟକତା ପୂରଣ କରି ନ ପାରେ ବୋଲି ମତ ଦେଇଛନ୍ତି। ଆମର ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ସାଧାରଣ ଲୋକଙ୍କ ପାଇଁ ବହୁ ପ୍ରତିବନ୍ଧକ ରହିଛି। କୋର୍ଟର କାର୍ଯ୍ୟ ଓ ତରିକା ଭାରତର ଜଟିଳତା ସହ ଖାପ ଖୁଆଉନାହିଁ। ତେଣୁ ଆଇନ ବ୍ୟବସ୍ଥାର ଭାରତୀୟକରଣ ସମୟର ଆବଶ୍ୟକତା ବୋଲି ଜଷ୍ଟିସ୍‌ ରମନା କର୍ନାଟକ ରାଜ୍ୟ ବାର୍‌ କାଉନସିଲ୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି। ଭାରତୀୟକରଣ ଅର୍ଥ ଆମ ସମାଜର ବାସ୍ତବ ବ୍ୟବସ୍ଥାକୁ ଗ୍ରହଣ କରିବା ସହ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସ୍ଥାନୀୟକରଣ କରାଯିବା ବୋଲି ସେ କହିଥିଲେ। ଉଦାହରଣ ଦେଇ ସିଜେଆଇ କହିଥିଲେ ଗ୍ରାମାଞ୍ଚଳର ପକ୍ଷମାନେ ପାରିବାରିକ ବିବାଦ ମାମଲାରେ କୋର୍ଟକୁ ଗଲେ ସେମାନେ ସେଠାରେ ନିଜକୁ ବାହାରେ ରହିବା ଭଳି ଅନୁଭବ କରୁଛନ୍ତି। କୋର୍ଟରେ ଇଂଲିଶରେ ହେଉଥିବା ଯୁକ୍ତିକୁ ବୁଝିପାରୁନାହାନ୍ତି। ଦୀର୍ଘ ନ୍ୟାୟ ପ୍ରଦାନ ପ୍ରକ୍ରିୟାକୁ ପ୍ରତିପକ୍ଷ ଅଧିକ ଜଟିଳ କରୁଛନ୍ତି। ଫଳରେ ଉଭୟ ପକ୍ଷ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ସିଜେଆଇ କହିଥିଲେ। ତେଣୁ ଅଦାଲତଗୁଡ଼ିକ ବାଦୀକୈନ୍ଦ୍ରିକ ହେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

Share