Categories: ଜାତୀୟ

ଗୋଟିଏ ଦିନରେ ୮୩ କୋଟି ଟଙ୍କାର ସାନିଟାଇଜର ବ୍ୟବହାର କରୁଛନ୍ତି ଭାରତୀୟ !

ନୂଆଦିଲ୍ଲୀ,୨୨।୮: କରୋନା ଭାଇରସ ସଂକ୍ରମଣ ହେବା ପରେ ବୈଜ୍ଞାନିକ, ଗବେଷକ, ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ସାନିଟାଇଜର ବ୍ୟବହାର କରୋନା ସଂକ୍ରମଣକୁ ଅନେକାଂଶରେ ରୋକି ପାରିବ। ବିଶେଷଜ୍ଞମାନଙ୍କ ମତରେ ପ୍ରତି ୨୦ ମିନିଟରେ ଥରେ ଓ ବାହାରକୁ ଯିବା ବେଳେ ବାରମ୍ବାର ହାତକୁ ସାନିଟାଇଜରରେ ସଫା କଲେ କରୋନା ସଂକ୍ରମଣ ଆଶଙ୍କା କମ୍‌ ରହିଥାଏ। ଏହାପରେ ଭାରତୀୟମାନେ ଏବେ ଏତେ ପରିମାଣରେ ସାନିଟାଇଜର ବ୍ୟବହାର କଲେ ଯେ ବଜାରରେ ସାନିଟାଇଜର ଆଉ ମିଳିଲା ନାହିଁ। ଏମିତିକି ଲୋକେ ବହୁ ଅଧିକ ମୂଲ୍ୟରେ ସାନିଟାଇଜର କ୍ରୟ କରୁଥିବା ଦେଖାଗଲା। ଆଉ କରୋନା ଯୋଗୁ ସାନିଟାଇଜର ବଜାର ୭ରୁ ୮ ଗୁଣା ବୃଦ୍ଧି ପାଇଥିବା ଲକ୍ଷ କରାଗଲା। ଏକ ରିପୋର୍ଟ ଅନୁଯାୟୀ, ମହାରାଷ୍ଟ୍ରର ଏକ ଷ୍ଟୋରରେ ୨୦୧୭ରେ ୪୩,୦୦୦ଟଙ୍କାର ସାନିଟାଇଜର ବିକ୍ରି ହୋଇଥିଲା। ୨୦୧୮ରେ ୫୩,୦୦୦ଟଙ୍କାର ବିକ୍ରି ହେଲା। ୨୦୧୯ରେ ଉକ୍ତ ଷ୍ଟୋରରେ ୫୮,୦୦୦ଟଙ୍କାର ସାନିଟାଇଜର ବିକ୍ରି ହୋଇଥିବା ଜଣାପଡିଥିଲା। ହେଲେ ୨୦୨୦ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ସେଠାରେ ୧,୧୨,୧୪୩ ଟଙ୍କାର ସାନିଟାଇଜର ବିକ୍ରି ହୋଇଥିବା ମାଲିକ କହିଥିଲେ। କରୋନା ମହାମାରୀ ବ୍ୟାପିବା ପରେ ଉକ୍ତ ଷ୍ଟୋରରେ ୧ ଏପ୍ରିଲରୁ ୩୧ ଜୁଲାଇ ମଧ୍ୟରେ ୧୦,୨୫,୮୭୭ଟଙ୍କାର ସାନିଟାଇଜର ବିକ୍ରି ହୋଇଥିବା କୁହାଯାଏ। ଅନ୍ୟପଟେ କରୋନା ଭାଇରସକୁ ଦେଖି ବଜାରରେ ଛୋଟମୋଟ ପାଖାପାଖି ୨୫୦ ସାନିଟାଇଜର କମ୍ପାନୀ ପ୍ରବେଶ କରିଥିବା ସୂଚନା ରହିଛି। ଏହାକୁ ଦେଖି ଅନୁମାନ ଲଗାଯାଇଛି କି ଭାରତରେ ବାର୍ଷିକ ୩୦ ହଜାର କୋଟି ଟଙ୍କାର ସାନିଟାଇଜର ବିକ୍ରି ହୋଇଥିବ। ଏକ ରିପୋର୍ଟ ଅନୁଯାୟୀ, ଉଦାହରଣ ସ୍ବରୂପ ୩୩ କୋଟି ଭାରତୀୟ ସାନିଟାଇଜର ବ୍ୟବହାର କରୁଛନ୍ତି। ଧରିନିଆଯାଉ ଜଣେ ବ୍ୟକ୍ତି ଅତିକମ୍‌ରେ ୫ ମିଲି ସାନିଟାଇଜର ପ୍ରତିଦିନ ବ୍ୟବହାର କରୁଛନ୍ତି। ଅର୍ଥାତ୍‌ ୩୩ କୋଟି ଭାରତୀୟ ପ୍ରତିଦିନ ୧୬୩ କୋଟି ମିଲି ସାନିଟାଇଜର ପ୍ରତିଦିନ ବ୍ୟବହାର କରୁଛନ୍ତି। ଯଦି ପ୍ରତି ମିଲିର ଦାମ ୫୦ ପଇସା ଧରାଯାଏ ତେବେ ୩୩ କୋଟି ଭାରତୀୟ ଗୋଟିଏ ଦିନକରେ ପାଖାପାଖି ୮୩ କୋଟି ଟଙ୍କାର ସାନିଟାଇଜର ବ୍ୟବହାର କରୁଥିବା ଅନୁମାନ କରାଯାଇଛି। ଏବେ ଯଦି ଏହାକୁ ୩୬୫ ଗୁଣା କରାଯାଏ ତେବେ ବର୍ଷକୁ ଭାରତୀୟ ୩୦ହଜାର କୋଟି ଟଙ୍କାର ସାନିଟାଇଜର ବ୍ୟବହାର କରିବେ ବୋଲି ଅନୁମାନ ଲଗାଯାଇଛି।

Share