
ପାନାମା ସିଟି,୨୦।୨: ଆମେରିକାରୁ ବିତାଡ଼ିତ ହୋଇଥିବା ବେଆଇନ ପ୍ରବାସୀ ଭାରତୀୟମାନଙ୍କର ଆଉ ଏକ ଗ୍ରୁପ୍ ପାନାମାରେ ନିରାପଦର ସହ ପହଞ୍ଚି ଥିବା ସେଠାକାର ସରକାର ନୂଆଦିଲ୍ଲୀକୁ ଜଣାଇଛି। ସେଠାରେ ଥିବା ଭାରତୀୟ ମିଶନ କନ୍ସୁଲାର ଆକ୍ସେସ୍ ପାଇବା ପରେ ସେମାନଙ୍କ ସୁବିଧା ପାଇଁ କାର୍ଯ୍ୟ ଆରମ୍ଭ କରିଛି।
ଆମେରିକା ୩ଟି ବିମାନରେ ୨୯୯ଜଣ ବେଆଇନ ପ୍ରବାସୀଙ୍କୁ ପାନାମା ପଠାଇଥିବାବେଳେ ସେମାନଙ୍କ ମଧ୍ୟରୁ କେତେଜଣ ସେଠାରେ ପହଞ୍ଚିଛନ୍ତି, ତାହା ସ୍ପଷ୍ଟ କରାଯାଇନାହିଁ। ଆମେରିକାରୁ ବିଦା ହୋଇଥିବା ବିଭିନ୍ନ ଦେଶର ଲୋକେ ପାନାମା ରାଜଧାନୀରେ ପହଞ୍ଚିଥିବା ବେଳେ ସେଠାରେ ନୈରାଶ୍ୟଜନକ ସ୍ଥିତି ଦେଖିବାକୁ ମିଳିଛି। ସେମାନେ ହାତଲେଖା ବାର୍ତ୍ତା ଧରି ହୋଟେଲ ଝରକା ପାଖରୁ ସହାୟତା ପାଇଁ ନିବେଦନ କରୁଥିବା ଦେଖାଯାଇଛି। ପ୍ରାୟ ୩୦୦ ବହିଷ୍କୃତ ନିଜ ଦେଶକୁ ଫେରିବା ପାଇଁ ଅପେକ୍ଷାରେ ରହିଛନ୍ତି।