ନୂଆଦିଲ୍ଲୀ, ୭ା୯: କୋଭିଡ୍-୧୯ ମହାମାରୀବେଳେ ଡୋଲୋ-୬୫୦ ଟାବ୍ଲେଟ୍ର ବହୁଳ ବ୍ୟବହାର ବିତର୍କକୁ ଆସିଥିବାବେଳେ ଏବେ ଭାରତୀୟଙ୍କ ଆଣ୍ଟିବାୟୋଟିକ୍ ଔଷଧ ସେବନ ଉଦ୍ବେଗଜନକ ହୋଇଛି। ୨୦୧୯ରେ ଭାରତରେ ବ୍ୟବହୃତ ଟାବ୍ଲେଟ୍ ମଧ୍ୟରୁ ସର୍ବାଧିକ ହେଉଛି ଆଜିଥ୍ରୋମାଇସିନ୍। ଏ ନେଇ ଲାନ୍ସେଟ୍ ରିଜିଓନାଲ ହେଲ୍ଥ ସାଉଥ୍ଇଷ୍ଟ ଏସିଆ ପତ୍ରିକାରେ ରିପୋର୍ଟ ପ୍ରକାଶ ପାଇଛି। ଚିନ୍ତାର ବିଷୟ ହେଉଛି ଘରୋଇ କ୍ଷେତ୍ରରେ ବ୍ୟବହୃତ ହେଉଥିବା ଆଣ୍ଟିବାୟୋଟିକ୍ ଔଷଧ ମଧ୍ୟରୁ ୪୭%କୁ କେନ୍ଦ୍ରୀୟ ଡ୍ରଗ୍ ନିୟନ୍ତ୍ରକଙ୍କ ମଞ୍ଜୁରୀ ମିଳିନାହିଁ।
ବିକ୍ରି ଓ ବ୍ୟବହାର ଉପରେ ନିୟନ୍ତ୍ରଣ ରଖାଯିବା ପାଇଁ ଗାଇଡ୍ଲାଇନ୍ ଅଣାଯିବା ଉଦ୍ଦେଶ୍ୟରେ ଏହି ଅଧ୍ୟୟନ କରାଯାଇଥିଲା। ବୋଷ୍ଟନ ୟୁନିଭର୍ସିଟି ସ୍କୁଲ୍ ଅଫ୍ ପବ୍ଲିକ୍ ହେଲ୍ଥ ସହ ପବ୍ଲିକ୍ ହେଲ୍ଥ ଫାଉଣ୍ଡେଶନ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀର ସେନ୍ଥିଲ ଗଣେଶ ଏବଂ ଶକ୍ତିଭେଲ୍ ସେଲଭରାଜ୍ଙ୍କ ଦ୍ୱାରା ଏହି ଗବେଷଣା କରାଯାଇଛି। ଏଥିପାଇଁ ଗବେଷକମାନେ ଫାର୍ମା-ଟ୍ରାକ୍ର ତଥ୍ୟକୁ ବିଶ୍ଲେଷଣ କରିଥିଲେ। ପ୍ରାୟ ୫ ହଜାର ଫାର୍ମାସ୍ୟୁଟିକାଲ୍ (ଔଷଧ ପ୍ରସ୍ତୁତକାରୀ) କମ୍ପାନୀର ଉତ୍ପାଦ ରଖୁଥିବା ୯ ହଜାର ଷ୍ଟକିଷ୍ଟଙ୍କ ଠାରୁ ଡାଟା ସଂଗ୍ରହ କରାଯାଇଥିଲା। ସାଧାରଣତଃ ଶରୀରରେ ଜୀବାଣୁ ବା ବ୍ୟାକ୍ଟେରିଆଜନିତ ସଂକ୍ରମଣ ରୋକିବା ପାଇଁ ଆଣ୍ଟିବାୟୋଟିକ୍ ବ୍ୟବହାର କରାଯାଏ। ରିସର୍ଚ୍ଚରୁ ଜଣାପଡ଼ିଛି, ଆଜିଥ୍ରୋମାଇସିନ୍ ୫୦୦ ଏମ୍ଜିଙ୍କୁ ଭାରତରେ ସର୍ବାଧିକ ସେବନ କରାଯାଇଥିବାବେଳେ ଏହା ତଳକୁ ସେଫିକ୍ସିମି ୨୦୦ ଏମ୍ଜି ଟାବ୍ଲେଟ୍ ରହିଛି। ଆମେରିକା, ୟୁରୋପ ଭଳି ଭାରତରେ ଆଣ୍ଟିବାୟୋଟିକ୍ ବ୍ୟବହାରର ତଦାରଖ କରିବା ପାଇଁ କୌଣସି ବିଧିବଦ୍ଧ ବ୍ୟବସ୍ଥା ନାହିଁ। ଘରୋଇ ସେକ୍ଟରରେ ୮୫ରୁ ୯୦% ଆଣ୍ଟିବାୟୋଟିକ୍ ବ୍ୟବହାର କରାଯାଉଛି। ଔଷଧ ସେବନକୁ ଏହାର ମୂଲ୍ୟ, ସଂଖ୍ୟା ଓ ଡାକ୍ତରଙ୍କ ଦ୍ୱାରା ନିର୍ଦ୍ଧାରିତ ପରିମାଣ ଆଧାରରେ ହିସାବ କରାଯାଇଥାଏ। ଏହା ବିଭିନ୍ନ ଦେଶ ଓ ଅଞ୍ଚଳରେ ଭିନ୍ନ ଭିନ୍ନ ରହିଥାଏ। ଅନ୍ତର୍ଜାତୀୟ ସ୍ତରରେ ଏହାର ଆକଳନ ପାଇଁ ଡିଫାଇଣ୍ଡ ଡେଲି ଡୋଜ୍ (ଡିଡିଡି) ପ୍ରସ୍ତୁତ କରାଯାଇଛି। ବୟସ୍କମାନେ ଏକ ନିର୍ଦ୍ଦିଷ୍ଟ ଔଷଧକୁ ଦୈନିକ ହାରାହାରି କେତେ ମାତ୍ରାରେ ସେବନ କରନ୍ତି ତାହା ଏହି ମାପକାଠିରୁ ସ୍ପଷ୍ଟ ହୋଇଥାଏ। ରିପୋର୍ଟ ଅନୁଯାୟୀ, ୨୦୧୯ରେ ଏହା ୫,୦୭୧ ନିୟୁତ (୧୦.୪ ଡିଡିଡି/୧୦୦୦/ଦୈନିକ)ଥିଲା। ମଞ୍ଜୁରୀ ମିଳି ନ ଥିବା ଏବଂ ବହୁମାତ୍ରାରେ ବ୍ୟବହାର ହୋଇଥିବା ଆଣ୍ଟିବାୟୋଟିକ୍ ମଧ୍ୟରେ ସେଫାଲୋସ୍ପୋରିନ୍ସ, ମାକ୍ରୋଲାଇଡ୍ସ, ପେନିସିଲିନ୍ ତାଲିକାର ଶୀର୍ଷରେ ରହିଛି। ଲୋକେ ମନଇଚ୍ଛା ତଥା ଡାକ୍ତରଙ୍କ ବିନା ପରାମର୍ଶରେ ଆଣ୍ଟିବାୟୋଟିକ୍ ଖାଉଛନ୍ତି। ଏହା ସେମାନଙ୍କ ସ୍ବାସ୍ଥ୍ୟ ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଛି। ତେଣୁ ମଞ୍ଜୁରୀପ୍ରାପ୍ତ ଔଷଧର ବିକ୍ରି ଓ ବ୍ୟବହାରକୁ ଗୁରୁତ୍ୱ ଦିଆଯିବା ସହ ସ୍ବତନ୍ତ୍ର ଗାଇଡ୍ଲାଇନର ଆବଶ୍ୟକତା ରହିଥିବା ରିପୋର୍ଟରେ କୁହାଯାଇଛି।