Categories: ଜାତୀୟ

୨୦୪୦ରେ ଚନ୍ଦ୍ରକୁ ଯିବେ ଭାରତୀୟ

ନୂଆଦିଲ୍ଲୀ, ୧୧।୪: ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) ମୁଖ୍ୟ ଏସ. ସୋମନାଥ ‘ଚନ୍ଦ୍ରୟାନ ୪’କୁ ନେଇ ବଡ଼ ବୟାନ ଦେଇଛନ୍ତି। ୨୦୪୦ରେ ଚନ୍ଦ୍ରପୃଷ୍ଠରେ ଭାରତୀୟ ମହାକାଶଚାରୀଙ୍କୁ ଅବତରଣ କରିବା ଦିଗରେ ଇସ୍ରୋ କାର୍ଯ୍ୟ କରୁଥିବାବେଳେ ‘ଚନ୍ଦ୍ରୟାନ ୪’ ଏହାର ପ୍ରଥମ ଶୋପାନ ହୋଇଥିବା ସେ କହିଛନ୍ତି। ଭାରତର ମିଶନ ‘ଚନ୍ଦ୍ରୟାନ ୪’ରେ ମହାକାଶ ଯାନ ଚନ୍ଦ୍ର ପୃଷ୍ଠକୁ ଯାଇ ସେଠାରୁ ମାଟି ଓ ପଥରର ନମୁନା ସଂଗ୍ରହ କରି ପୃଥିବୀ ଫେରି ଆସିବ। ଏହି ନମୁନାଗୁଡ଼ିକୁ ନେଇ ଇସ୍ରୋ ପକ୍ଷରୁ ଗବେଷଣା କରାଯିବ ବୋଲି ସୋମନାଥ କହିଛନ୍ତି। ଏହାସହ ଚନ୍ଦ୍ରକୁ ଯାଇ ନମୁନା ସଂଗ୍ରହ କରି ପୃଥିବୀ ପୃଷ୍ଠକୁ ଫେରିବା ସମ୍ପୂର୍ଣ୍ଣ ଚକ୍ରକୁ ଦର୍ଶାଉଥିବା ବେଳେ ‘ଚନ୍ଦ୍ରୟାନ ୪’ରେ ଏହା ହାସଲ କରିହେବ ବୋଲି ସେ କହିଛନ୍ତି। ତେବେ ବିଭିନ୍ନ ରକେଟ ଏବଂ ସାଟେଲାଇଟ ପ୍ରୋଜେକ୍ଟଠାରୁ ଆରମ୍ଭ କରି ପ୍ରଯୁକ୍ତିବିଦ୍ୟା ବିକାଶ ସମ୍ବଳିତ ପ୍ରୋଜେକ୍ଟରେ ଇସ୍ରୋ ସମ୍ପ୍ରତି କାର୍ଯ୍ୟ କରୁଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ମହାକାଶ ଗବେଷଣା କ୍ଷେତ୍ରରେ ଅବଦାନ ପାଇଁ ଭାରତର ‘ମିଶନ ଚନ୍ଦ୍ରୟାନ ୩’ ଟିମ୍‌କୁ ଆମେରିକାର ସମ୍ମାନଜନକ ‘୨୦୨୪ ଜନ୍‌ ଏଲ୍‌ ଜ୍ୟାକ୍‌ ସ୍ବିଗର୍ଟ ଜୁନିୟର’ ପୁରସ୍କାର ପ୍ରଦାନ କରାଯାଇଛି।

Share