Categories: ଜାତୀୟ

ଅପରେଶନ ଗଙ୍ଗା: ମାର୍ଚ୍ଚ ୧୧ସୁଦ୍ଧା ୧୦୦ ବିମାନରେ ସ୍ୱଦେଶ ଫେରିବେ ଭାରତୀୟ, ଏବେବି ସୁମିରେ ଫସି ରହିଛନ୍ତି କେତେଜଣ ଛାତ୍ର

ନୂଆଦିଲ୍ଲୀ,୬ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ଭାରତ ସରକାରଙ୍କ ଅପରେଶନ ଗଙ୍ଗାକୁ ଜୋରଦାର କରାଯାଇଛି । ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବାର ପ୍ରକ୍ରିୟା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ତେବେ ୟକ୍ରେନରେ ଫସି ରହିଥିବା ପ୍ରାୟ ୨୦ ହଜାର ଭାରତୀୟଙ୍କ ମଧ୍ୟରୁ ପାଖାପାଖି ୧୩ ହଜାର ଭାରତୀୟ ସ୍ୱଦେଶ ଫେରି ଆସିଲେଣି । ହେଲେ ଏବେବି ସୁମି ଅଞ୍ଚଳରେ ଫସି ରହିଥିବା ୭୦୦ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ଏକ ଚ୍ୟାଲେଞ୍ଜ ପାଲଟି ଯାଇଛି । କାରଣ ଏହି ଅଞ୍ଚଳର ଦୁଇଟି ସୀମାରେ ଭିଷଣ ଲଢେଇ ଜାରି ରହିଛି । ତେଣୁ ଏଭଳି ପରିସ୍ଥିତିରେ ସୁମିରୁ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ଜୀବନକୁ ବାଜି ଲଗାଇବା ସହ ସମାନ ବୋଲି କୁହାଯାଉଛି । ତେବେ ସୁମିରେ ଥିବା ଭାରତୀୟଙ୍କ ସହ କେନ୍ଦ୍ର ସରକାର ସର୍ବଦା ସମ୍ପର୍କରେ ଥିବା ବେଳେ ଏବେ ସେମାନେ ସୁରକ୍ଷିତ ଥିବା ସୂଚନା ରହିଛି ।
ସୂଚନାଯୋଗ୍ୟ, ଅପରେଶନ ଗଙ୍ଗା ମାଧ୍ୟମରେ ଏବେ ସୁଦ୍ଧା ୬୩ ବିମାନରେ ୧୩ ହଜାର ଭାରତୀୟଙ୍କୁ ଉଦ୍ଧାର କରାଗଲାଣି । ୧୧ ମାର୍ଚ୍ଚ ସୁଦ୍ଧା ୧୦୦ ବିମାନରେ ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯିବା ଲାଗି ଯୋଜନା ପ୍ରସ୍ତୁତ ହୋଇ ସାରିଛି । ଏଥିରେ ବାୟୁସେନା ସହ ୬ଟି ଘରୋଇ କମ୍ପାନୀର ବିମାନକୁ ସାମିଲ କରାଯାଇଛି । ୨୬ ଫେବୃୟାରୀରୁ ଭାରତ ସରକାରଙ୍କ ଦ୍ୱାରା ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଉଛି ।

Share