Categories: ଜାତୀୟ

ଚାଇନା ସୀମାରେ ଭାରତର ୨୨ ପୋଲ: ଏଲ୍‌ଏସିରେ ଶୀଘ୍ର ପହଞ୍ଚିବ ଅସ୍ତ୍ରଶସ୍ତ୍ର

ନୂଆଦିଲ୍ଲୀ, ୧୨।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଏଣିକି ଭାରତୀୟ ଯବାନଙ୍କ ପାଖରେ ଶୀଘ୍ର ଆବଶ୍ୟକ ସହାୟତା ତଥା ଅସ୍ତ୍ରଶସ୍ତ୍ର ପହଞ୍ଚିପାରିବ। ଅରୁଣାଚଳଠାରୁ ଲଦାଖ ମଧ୍ୟରେ ସଡ଼କ ପଥର ବିକାଶ କାର୍ଯ୍ୟ ଅନ୍ତର୍ଗତ ୪୩ଟି ପୋଲ ନିର୍ମିତ ହୋଇଛି। ଏହି ପୋଲଗୁଡ଼ିକୁ ସୋମବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଡ଼ିଓ କନଫରେନ୍ସିଂରେ ଲୋକାର୍ପଣ କରିଛନ୍ତି। ଏହା ସହିତ ପ୍ରତିରକ୍ଷାମନ୍ତ୍ରୀ ଅରୁଣାଚଳ ପ୍ରଦେଶର ନେଚିଫୁ ଟନେଲର ଶିଳାନ୍ୟାସ ମଧ୍ୟ କରିଛନ୍ତି। ଏହା ତାଓ୍ବାଙ୍ଗକୁ ସଂଯୋଗ କରିବ ବୋଲି କୁହାଯାଉଛି। ପୋଲଗୁଡ଼ିକ ସୀମାବର୍ତ୍ତୀ ରାଜ୍ୟ ଲଦାଖ, ଜମ୍ମୁ-କଶ୍ମୀର, ଅରୁଣାଚଳପ୍ରଦେଶ, ସିକିମ୍‌, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଞ୍ଜାବ ଆଦି ୭ଟି ରାଜ୍ୟରେ ରହିଛି। ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବୃଦ୍ଧି ହେଉଥିବାବେଳେ ଏହି ପୋଲଗୁଡ଼ିକ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି କୁହାଯାଉଛି। ଜମ୍ମୁ-କଶ୍ମୀରରେ ସର୍ବାଧିକ ୧୦ଟି ପୋଲ ରହିଛି। ସେହିପରି ଉତ୍ତରାଖଣ୍ଡରେ ୮, ଅରୁଣାଚଳ ପ୍ରଦେଶରେ ୮, ଲଦାଖରେ ୭ ପୋଲ ରହିଛି। ସିକିମ୍‌ରେ ୪ ଏବଂ ପଞ୍ଜାବରେ ୪ଟି ପୋଲ ରହିଥିବା ବେଳେ ହିମାଚଳ ପ୍ରଦେଶରେ ୨ଟି ପୋଲ ରହିଛି। ପୋଲଗୁଡ଼ିକର ନିର୍ମାଣ ସୀମା ସଡ଼କ ସଂଗଠନ(ବିଆର୍‌ଓ) ପକ୍ଷରୁ କରାଯାଇଛି। ହିମାଚଳପ୍ରଦେଶ ଦାରଚାରେ ଥିବା ପୋଲ ୩୫୦ ମିଟର ଲମ୍ବା ରହିଛି। ପୋଲଗୁଡ଼ିକ ମଧ୍ୟରୁ ୨୨ଟି ପୋଲ ସିଧାସଳଖ ଚାଇନା ସୀମାକୁ ସଂଯୋଗ କରୁଛି। ସୀମାବର୍ତ୍ତୀ ଅଞ୍ଚଳରେ ପୋଲ ନିର୍ମାଣ ନେଇ ଚାଇନାର ଚିନ୍ତା ଏବେ ବଢ଼ିବାରେ ଲାଗିଛି। ସେପ୍ଟେମ୍ବର ୨୪ରେ ପୋଲ ଗୁଡ଼ିକର ଲୋକାର୍ପଣ କରାଯିବାର ଯୋଜନା ଥିଲା। ତେବେ ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗାଡ଼ିଙ୍କ ଅକାଳ ବିୟୋଗ ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା।

Share