Categories: ଖେଳ

ଭାରତର ବ୍ୟାଟିଂ ବିପର୍ଯ୍ୟୟ

ସେଞ୍ଚୁରିଅନ୍‌,୨୭ା୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଘରୋଇ ବୋଲରମାନେ ପିଚ୍‌ ଓ ପରିବେଶରୁ ଫାଇଦା ଉଠାଇବାରେ ସକ୍ଷମ ହୋଇଥିବାବେଳେ ପ୍ରଥମ ଦିବସରେ ବର୍ଷା ଯୋଗୁ ଖେଳ ବନ୍ଦ ହେବା ବେଳକୁ ଭାରତ ୫୯ ଓଭରରେ ୮ ଉଇକେଟ ହରାଇ ୨୦୮ ରନ୍‌ ସଂଗ୍ରହ କରିଛି। ଲୋକେଶ ରାହୁଲ ୭୦ ରନରେ ଅପରାଜିତ ରହି ଭାରତ ସ୍କୋରକୁ ୨୦୦ ଅତିକ୍ରମ କରାଇଛନ୍ତି। ବର୍ଷା କାରଣରୁ ମ୍ୟାଚ୍‌ ୧୫ ମିନିଟ ବିଳମ୍ବରେ ଆରମ୍ଭ ହୋଇଥିଲା।
ଟସ୍‌ ହାରି ଭାରତ ବ୍ୟାଟିଂ ଆମନ୍ତ୍ରଣ ପାଇଥିଲା। ସେଞ୍ଚୁରିଅନ୍‌ର ପେସ୍‌ ଓ ବାଉନ୍ସି ପିଚ୍‌ରେ ଭାରତୀୟ ଟପ୍‌ ଅର୍ଡର ଫେଲ୍‌ ମାରିଥିଲା। ମାତ୍ର ୨୪ ରନ୍‌ରେ ଦଳର ୩ ବ୍ୟାଟର ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ରୋହିତ ଶର୍ମା ୫, ଯଶସ୍ବୀ ଜୟସ୍ବାଲ ୧୭ ଓ ଶୁବମନ ଗିଲ ୍‌୨ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ମ୍ୟାଚ୍‌ର ପଞ୍ଚମ ଓଭରରେ ରୋହିତଙ୍କୁ ଆଉଟ କରି ଭାରତକୁ ପ୍ରଥମ ଝଟ୍‌କା ଦେଇଥିଲେ କାଗିସୋ ରାବାଡା। ଯଶସ୍ବୀ ଜୟସ୍ବାଲ ୪ ଚୌକା ସହିତ ୧୭ ରନ୍‌ କରିଥିବା ବେଳେ କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳୁଥିବା ନାନ୍ଦ୍ରେ ବର୍ଗରଙ୍କ ଶିକାର ହୋଇଥିଲେ। ଏହାର ୨ ଓଭର ମଧ୍ୟରେ ଗିଲ୍‌ ୨ ରନ୍‌ କରି ବର୍ଗରଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ବିଶ୍ୱକପ ଫାଇନାଲ ପରେ ଆକ୍ସନକୁ ଫେରିଥିବା ବିରାଟ କୋହଲି (୩୮) ଓ ଶ୍ରେୟସ ଆୟର (୩୧) ଥରେ ଲେଖାଏ ଜୀବନଦାନ ପାଇ ଚତୁର୍ଥ ଉଇକେଟରେ ୬୮ ରନ୍‌ ଯୋଡିଥିଲେ। ପ୍ରଥମ ସେସନରେ ଭାରତ ୨୬ ଓଭରରେ ୩ ଉଇକେଟ ହରାଇ ୯୧ ରନ୍‌ ସଂଗ୍ରହ କରିଥିଲା। ତେବେ ଲଞ୍ଚ ପରବର୍ତ୍ତୀ ପ୍ରଥମ ଓଭରରେ ଆୟରଙ୍କୁ ଆଉଟ କରି ଭାରତକୁ ବ୍ୟାକଫୁଟ୍‌କୁ ଠେଲି ଦେଇଥିଲେ ରାବାଡା। ଏହାର ୩ ଓଭର ପରେ ଷ୍ଟାର ବ୍ୟାଟର କୋହଲିଙ୍କୁ ସେ ତୃତୀୟ ଶିକାର ବନାଇଥିଲେ। କୋହଲି ୬୪ ବଲ୍‌ ଖେଳି ୫ ଚୌକା ସହିତ ୩୮ ରନ୍‌ କରିଥିବା ବେଳେ ଆୟର ୫୦ ବଲ୍‌ ଖେଳି ୩ ଚୌକା ସହ ୩୧ ରନ କରିଥିଲେ। ଲୋକେଶ ରାହୁଲ ଓ ଶାର୍ଦ୍ଦୂଳ ଠାକୁର ସତର୍କତାର ସହ ବ୍ୟାଟିଂ କରି ଇନିଂସ ଗଢ଼ିଥିଲେ। ତେବେ ୭ମ ଉଇକେଟରେ ୪୩ ରନର ଭାଗୀଦାରି ପରେ ଶାର୍ଦ୍ଦୂଳ ୨୪ ରନକରି ରାବାଡ଼ାଙ୍କ ୫ମ ଶିକାର ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୮ ଓ ଯଶପ୍ରୀତ୍‌ ବୁମ୍‌ରା ମାତ୍ର ୧ ରନ କରି ପାରିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ରାବାଡା ୫ ଉଇକେଟ ସଫଳତା ପାଇଥିବାବେଳେ ବର୍ଗର ୨ଟି ଓ ମାର୍କୋ ଜାନସେନ ଗୋଟିଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ: ୨୦୮/୮ (ଲୋକେଶ ରାହୁଲ-୭୦*, ବିରାଟ କୋହଲି-୩୮, ଶ୍ରେୟସ ଆୟର-୩୧, କାଗିସୋ ରାବାଡ଼ା-୫/୪୪, ନନ୍ଦ୍ରେ ବର୍ଗର-୨/୫୦, ମାର୍କୋ ଜାନସେନ-୧/୫୨)।

Share