Categories: ଖେଳ

ଶୁଟିଂରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ: ସରବଜୋତ୍‌, ଦିବ୍ୟାଙ୍କୁ ରୌପ୍ୟ

ହାଙ୍ଗଝୋ,୧।୧୦: ଚଳିତ ଏସିଆନ ଗେମ୍ସର ଶୁଟିଂରେ ଭାରତୀୟ ଶୁଟରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି। ଶନିବାର ଭାରତୀୟ ୧୦ ମିଟର ଏୟାର ପିସ୍ତଲ ଟିମ୍‌ ଏକ ରୌପ୍ୟ ପଦକ ହାସଲ କରିବା ଫଳରେ ଗୋଟିଏ ସଂସ୍କରଣରେ ଶୁଟିଂରେ ସର୍ବାଧିକ ପଦକ ହାସଲର ରେକର୍ଡ ଭାଙ୍ଗିଛି ଭାରତ। ୨୦୦୬ ଦୋହା ଏସିଆନ ଗେମ୍ସରେ ଭାରତ ଶୁଟିଂରୁ ୧୪ ପଦକ ପାଇଥିବା ବେଳେ ଚଳିତ ସଂସ୍କରଣରେ ୧୯ ପଦକ ହାସଲ କରିଛି। ଏହା ମଧ୍ୟରେ ୬ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୫ ବ୍ରୋଞ୍ଜ ପଦକ ସାମିଲ ରହିଛି। ଶନିବାର ବାର୍ଥ ଡେ ବୟ ସରବଜୋତ ସିଂ ଓ ଦିବ୍ୟା ଟିଏସ୍‌ ଚମତ୍କାର ପ୍ରଦର୍ଶନ କରିଥିଲେ। ତେବେ ଶେଷ ଆଡକୁ ସାମାନ୍ୟ ଖରାପ ପ୍ରଦର୍ଶନ କାରଣରୁ ଅଳ୍ପକେ ସ୍ବର୍ଣ୍ଣ ପଦକ ହାସଲରୁ ବଞ୍ଚିତ ହୋଇଥିଲେ। ଚାଇନାର ଝାଙ୍ଗ ବୋଓ୍ବେନ୍‌ ଓ ଜିଆଙ୍ଗ ରାନକ୍ସିନ୍‌ ୧୬-୧୪ରେ ଏହି ଫାଇନାଲ ମ୍ୟାଚ୍‌ ଜିତି ନେଇଥିଲେ। ଉଭୟ ସରବଜୋତ ଓ ଦିବ୍ୟା ଚଳିତ ଏସିଆନ ଗେମ୍ସରେ ନିଜର ଦ୍ୱିତୀୟ ପଦକ ହାସଲ କରିଛନ୍ତି। ସରବଜୋତ ପୂର୍ବରୁ ୧୦ ମିଟର ଏୟାର ପିସ୍ତଲ ପୁରୁଷ ଟିମ୍‌ ଇଭେଣ୍ଟରେ ସ୍ବର୍ଣ୍ଣ ଓ ଦିବ୍ୟା ୧୦ ମିଟର ଏୟାର ପିସ୍ତଲ ମହିଳା ଟିମ୍‌ରେ ଏକ ରୌପ୍ୟ ପଦକ ହାସଲ କରିଥିଲେ। ଶନିବାର ଭାରତୀୟ ଯୋଡିଙ୍କ ଆରମ୍ଭ ବେଶ୍‌ ଚମତ୍କାର ରହିଥିଲା। ଉଭୟ ୧୧-୭ରେ ଅଗ୍ରଣୀ ମଧ୍ୟ ହାସଲ କରିଥିଲେ। ତେବେ ୧୫ ତମ ଶଟ୍‌ରେ ଚାଇନା ଖେଳାଳି ପଛରୁ ଆସି ମ୍ୟାଚ୍‌ ଜିତିବାରେ ସମର୍ଥ ହୋଇଥିଲେ। ଚାଇନାର ଦୁଇ ଖେଳାଳି ୧୦.୭ ଓ ୧୦.୩ ପଏଣ୍ଟ ଶୁଟ୍‌ କରିଥିବା ବେଳେ ସରବଜୋତ ୯.୯ ଓ ଦିବ୍ୟା ୧୦.୫ ପଏଣ୍ଟ ଶୁଟ କରିଥିଲେ। ଏହା ପୂର୍ବରୁ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ୫୭୭ ପଏଣ୍ଟ ସହିତ ଏକ ନମ୍ବର ସ୍ଥାନରେ ରହି ଭାରତୀୟ ଖେଳାଳି ଫାଇନାଲକୁ ଯୋଗ୍ୟତା ଅର୍ଜନ କରିଥିଲେ।
ଟ୍ରାପ୍‌ରେ କିନାନ୍‌ ଦ୍ୱିତୀୟ: ଭାରତୀୟ ଟ୍ରାପ୍‌ ଶୁଟର କିନାନ୍‌ ଚେନାଇ ଯୋଗ୍ୟତା ପର୍ଯ୍ୟାୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ଦିନରେ ୭୩ ପଏଣ୍ଟ ସହ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପ୍ରତି ରାଉଣ୍ଡରେ ୨୫ ଶଟ୍‌ ରହିଥିବା ବେଳେ କିନାନ୍‌ ଚମତ୍କାର ୭୩ ପଏଣ୍ଟ ଅର୍ଜନ କରିଥିଲେ। ଅନ୍ୟତମ ଭାରତୀୟଙ୍କ ମଧ୍ୟରେ ଜୋରାଓ୍ବର ସିଂ ସାନ୍ଧୁ ୭୨ ପଏଣ୍ଟ ସହିତ ଷଷ୍ଠ ସ୍ଥାନରେ ରହିଥିବା ବେଳେ ପୃଥ୍ବୀରାଜ ୭୦ ପଏଣ୍ଟ ସହ ୧୯ ତମ ସ୍ଥାନରେ ରହିଥିଲେ। ଭାରତୀୟ ଦଳ ୨୧୫ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ କୁଏଟ୍‌ ୨୧୭ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଥିଲା।

Share