Categories: ଖେଳ

କାନାଡା ବିପକ୍ଷରୁ ଭାରତର ଅଭିଯାନ

ନୂଆଦିଲ୍ଲୀ, ୨୪।୬ (ପି.ଟି.): ଚିଲି ରାଜଧାନୀ ସାଣ୍ଟିଆଗୋଠାରେ ନଭେମ୍ବର ୨୯ରୁ ଡିସେମ୍ବର ୧୦ ପର୍ଯ୍ୟନ୍ତ ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତ ପୁଲ୍‌ ‘ସି’ରେ ବେଲ୍‌ଜିୟମ, କାନାଡା ଓ ଜର୍ମାନୀ ସହିତ ସ୍ଥାନ ପାଇଛି। ନଭେମ୍ବର ୨୯ରେ କାନାଡା ବିପକ୍ଷରେ ମ୍ୟାଚ ଖେଳି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଏହାପରେ ଜର୍ମାନୀ ଓ ବେଲ୍‌ଜିୟମକୁ ଯଥାକ୍ରମେ ଡିସେମ୍ବର ୧ ଓ ୨ ତାରିଖରେ ଭେଟିବ। ପ୍ରତିଯୋଗିତା ପୂର୍ବରୁ ଏଫ୍‌ଆଇଏଚ୍‌ ପକ୍ଷରୁ ନୂଆ ଜୁନିୟର ମହିଳା ବିଶ୍ୱ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରାଯାଇଛି। ତଦନୁସାରେ ଭାରତ ୬ଷ୍ଠ ସ୍ଥାନରେ ରହିଛି। ନେଦରଲାଣ୍ଡ୍ସ ଶୀର୍ଷରେ ରହିଥିବାବେଳେ ଆର୍ଜେଣ୍ଟିନା, ଜର୍ମାନୀ, ଇଂଲଣ୍ଡ ଓ ଆମେରିକା ପରବର୍ତ୍ତୀ ୪ ସ୍ଥାନରେ ରହିଛନ୍ତି। ଚଳିତ ମାସ ପ୍ରାରମ୍ଭରେ ଜୁନିୟର ମହିଳା ଏସିଆ କପ୍‌ ଜିତିଥିବାରୁ ଭାରତ ପ୍ରଥମଥରପାଇଁ ବିଶ୍ୱକପ ଜିତିବ ବୋଲି ଆଶା ଜାତ ହୋଇଛି। ଗତ ସଂସ୍କରଣରେ ଅନୁଷ୍ଠିତ ପ୍ଲେ-ଅଫ୍‌ରେ ଇଂଲଣ୍ଡଠାରୁ ହାରିଯାଇଥିବାରୁ ଭାରତ ଅଳ୍ପକେ ବ୍ରୋଞ୍ଜ ପଦକ ହାତଛଡ଼ା କରିଥିଲା। ଟୁର୍ନାମେଣ୍ଟ ଫର୍ମାଟ ଅନୁସାରେ ପ୍ରତି ପୁଲ୍‌ର ଦଳଗୁଡ଼ିକ ପରସ୍ପର ସହିତ ୩ଟି ଲେଖାଏ ମ୍ୟାଚ ଖେଳିବେ। ୪ ଦଳରୁ ଶୀର୍ଷ ଦୁଇ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ଅବଶିଷ୍ଟ ଦଳଗୁଡ଼ିକ କ୍ଲାସିଫିକେଶନ ପର୍ଯ୍ୟାୟ ଖେଳିବେ।
କେଉଁ ପୁଲ୍‌ରେ କିଏ
ପୁଲ୍‌ ‘ଏ’: ଅଷ୍ଟ୍ରେଲିଆ, ଚିଲି, ନେଦରଲାଣ୍ଡ୍ସ, ଦକ୍ଷିଣ ଆଫ୍ରିକା
ପୁଲ୍‌ ‘ବି’: ଆର୍ଜେଣ୍ଟିନା, କୋରିଆ, ସ୍ପେନ୍‌, ଜିମ୍ବାଓ୍ବେ
ପୁଲ୍‌ ‘ସି’: ବେଲ୍‌ଜିୟମ, କାନାଡା, ଜର୍ମାନୀ, ଭାରତ
ପୁଲ୍‌ ‘ଡି’: ଇଂଲଣ୍ଡ, ଜାପାନ, ନ୍ୟୁଜିଲାଣ୍ଡ, ଆମେରିକା

Share