Posted inଖେଳ

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି ନ୍ୟୁଜିଲାଣ୍ଡ। ‘ପୁଲ୍‌ ଅଫ୍‌ ଡେଥ୍‌’ରେ ସ୍ଥାନ ପାଇଥିଲେ ହେଁ ଭାରତୀୟ ପୁରୁଷ ଦଳ ଏଥର ପଦକ ରଙ୍ଗରେ ଉନ୍ନତି ସହ ସ୍ବଦେଶ ଫେରିବା ଲକ୍ଷ୍ୟ ରଖିଛି। ତେଣୁ ବିଜୟ ସହ ଅଭିଯାନ ଆରମ୍ଭ କରିବା ଦଳର ଏକମାତ୍ର ଲକ୍ଷ୍ୟ। ଟୋକିଓରେ ଭାରତ ଦୀର୍ଘ ୪୧ ବର୍ଷର ପଦକ ଶୂନ୍ୟତାକୁ ପୂରଣ କରିଥିଲା।

ଅଲିମ୍ପିକ୍ସରେ ଭାରତ ରେକର୍ଡ ୮ ସ୍ବର୍ଣ୍ଣ ପଦକ ହାସଲ କରିସାରିଛି। ପୂର୍ବ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବାରୁ ଏଥର ଦଳ ନିକଟରୁ ଆଶା ବଢ଼ିଛି। ତେବେ ଏଥର ଭାରତ ପାଇଁ ପଥ ଅତ୍ୟନ୍ତ କଷ୍ଟସାଧ୍ୟ। କାରଣ ପୁଲ୍‌ ‘ବି’ରେ ଏଥର ଭାରତର ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି ଡିଫେଣ୍ଡିଂ ଚାମ୍ପିୟନ ବେଲ୍‌ଜିୟମ, ଶକ୍ତିଶାଳୀ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ନ୍ୟୁଜିଲାଣ୍ଡ ଓ ଆୟର୍ଲାଣ୍ଡ। ପୁଲ୍‌ ‘ଏ’ରେ ନେଦରଲାଣ୍ଡ୍ସ, ଜର୍ମାନୀ, ଗ୍ରେଟ୍‌ ବ୍ରିଟେନ, ସ୍ପେନ, ଦକ୍ଷିଣ ଆଫ୍ରିକା ଓ ଆୟୋଜକ ଫ୍ରାନ୍ସ ସ୍ଥାନ ପାଇଛି। ପ୍ରତି ଗ୍ରୁପ୍‌ରୁ ୪ଟି ଲେଖାଏ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ। ୨୭ରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚପରେ ଭାରତ ୨୯ରେ ଆର୍ଜେଣ୍ଟିନା ଓ ୩୦ରେ ଆୟର୍ଲାଣ୍ଡକୁ ଭେଟିବ। ଏହି ୩ଟି ମ୍ୟାଚ ଜିତିବା ସହ ଯଥାସମ୍ଭବ ଅଧିକ ପଏଣ୍ଟ ହାସଲ କରିବା ଭାରତର ଲକ୍ଷ୍ୟ ରହିବ। କାରଣ ଅଗଷ୍ଟ ୧ରେ ବେଲ୍‌ଜିୟମ ଏବଂ ୨ରେ ଅଷ୍ଟ୍ରେଲିଆ ସହିତ ଏହାର ମୁକାବିଲା ହେବ। ‘ଓ୍ବାଲ୍‌ ଅଫ୍‌ ଇଣ୍ଡିଆନ ହକି’ ଗୋଲକିପର ପି.ଆର. ଶ୍ରୀଜେଶ ଏହି ଅଲିମ୍ପିକ୍ସ ପରେ ଅବସର ନେବେ ବୋଲି ଘୋଷଣା କରି ସାରିଛନ୍ତି। ତେଣୁ ସ୍ମରଣୀୟ ସ୍ମୃତି ସହ ହରମନପ୍ରୀତ ସିଂଙ୍କ ଦଳ ଶ୍ରୀଜେଶଙ୍କୁ ବିଦାୟ ଦେବାପାଇଁ ଭଲ ସୁଯୋଗ ରହିବ। ୧୬ ଜଣିଆ ଭାରତୀୟ ଦଳରେ ୧୧ ଜଣ ଅଲିମ୍ପିକ୍‌ ମେଡାଲିଷ୍ଟ ଅଛନ୍ତି। ଜରମନପ୍ରୀତ ସିଂ, ସୁଖଜିତ ସିଂ, ଅଭିଷେକ, ରାଜକୁମାର ପାଲ୍‌ ଓ ସଞ୍ଜୟ ଏଥର ଡେବ୍ୟୁ କରିବେ। କ୍ୟାରିୟରର ୪ର୍ଥ ଅଲିମ୍ପିକ୍ସ ଖେଳିବାକୁ ଯାଉଥିବା ଶ୍ରୀଜେଶ ଓ ମନପ୍ରୀତ ସିଂ ଗତ ଦେଢ଼ ଦଶନ୍ଧି ଧରି ଭାରତୀୟ ଦଳର ପିଲାର ସାଜି ଆସିଛନ୍ତି। ଏହି ଅଲିମ୍ପିକ୍ସ ମନପ୍ରୀତଙ୍କ ପାଇଁ ମଧ୍ୟ ଶେଷ ଗେମ୍ସ ହେବ ବୋଲି ଆଶା କରାଯାଉଛି। କାରଣ ଏହାପରେ ଭାରତୀୟ ଦଳର ପୁନର୍ଗଠନ ପ୍ରକ୍ରିୟା ଆରମ୍ଭ ହେବ।

ଏକଦା ୩ୟ ସ୍ଥାନରେ ଥିବା ଭାରତ ସମ୍ପ୍ରତି ଏଫ୍‌ଆଇଏଚ୍‌ ହକି ର଼୍ୟାଙ୍କିଙ୍ଗ୍‌ର ୭ମ ସ୍ଥାନକୁ ଖସିଛି। ତେବେ ଆଧୁନିକ ହକିରେ ର଼୍ୟାଙ୍କିଙ୍ଗ୍‌କୁ ନେଇ କୌଣସି ଦଳର ଶକ୍ତି କଳନା କରାଯାଉନାହିଁ। କାରଣ ଭୁବନେଶ୍ୱର ଏବଂ ରାଉରକେଲାରେ ଯୁଗ୍ମଭାବେ ଆୟୋଜନ ହୋଇଥିବା ୨୦୨୩ ବିଶ୍ୱକପରେ ଭାରତୀୟ ଦଳ ସମ୍ପ୍ରତି ୧୦ମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡଠାରୁ ହାରି ଯାଇଥିଲା। କ୍ରସ୍‌ ଓଭର ମ୍ୟାଚରେ ଶୁଟ୍‌ଆଉଟ ପରାଜୟ ଯୋଗୁ ଭାରତ ବିଶ୍ୱକପରେ ଟପ୍‌-୮ରେ ସ୍ଥାନ ପାଇପାରି ନ ଥିଲା। ତେଣୁ ମୁଖ୍ୟ କୋଚ୍‌ କ୍ରେଗ୍‌ ଫୁଲଟନ ପ୍ରଥମ ୩ଟି ମ୍ୟାଚ୍‌ର ଗୁରୁତ୍ୱକୁ ଭଲଭାବେ ଉପଲବ୍ଧି କରିଛନ୍ତି। ”ଅଲିମ୍ପିକ୍ସରେ କୌଣସି ମ୍ୟାଚ ସହଜ ନୁହେଁ। ଆମେ ଏବେ ପ୍ରଥମ ଗେମ୍‌ ଉପରେ ଫୋକସ କରୁଛୁ। ବେଲ୍‌ଜିୟମ ଓ ଅଷ୍ଟ୍ରେଲିଆକୁ ଭେଟିବା ପୂର୍ବରୁ ମୋମେଣ୍ଟମରେ ରହିବା ଲକ୍ଷ୍ୟ ରଖିଛୁ“ ବୋଲି ଫୁଲଟନ କହିଛନ୍ତି।

କ୍ୟାରିୟରର ଶେଷ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଖେଳିବାକୁ ଯାଉଥିବାରୁ ଶ୍ରୀଜେଶ ଗୋଲପୋଷ୍ଟ ସମ୍ମୁଖରେ କୌଣସି ତ୍ରୁଟି କରିବାକୁ ଚାହୁଁନାହାନ୍ତି। ଶ୍ରେଷ୍ଠ ପ୍ରଦର୍ଶନ ସହ ଦଳକୁ ପୋଡିୟମ ଫିନିଶ୍‌ କରାଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ। ରକ୍ଷଣଭାଗ ମୁଖ୍ୟତଃ ଅଧିନାୟକ ହରମନପ୍ରୀତ, ଓଡ଼ିଶାର ତାରକା ଖେଳାଳି ଅମିତ ରୋହିଦାସ, ସୁମିତ, ଜନମନପ୍ରୀତ ଓ ସଞ୍ଜୟଙ୍କ ଉପରେ ନିର୍ଭର କରିବ। ମନପ୍ରୀତ, ଉପଅଧିନାୟକ ହାର୍ଦ୍ଦିକ ସିଂ ଓ ବିବେକ ସାଗର ପ୍ରସାଦ ମିଡ୍‌ଫିଲ୍ଡ ଦାୟିତ୍ୱରେ ରହିବେ। ଲଳିତ ଉପାଧ୍ୟାୟ, ମନଦୀପ ସିଂ, ଗୁରଜାନ୍ତ ସିଂ, ଅଭିଷେକ ଓ ସୁଖଜିତଙ୍କ ଉପରେ ଗୋଲ ସ୍କୋରିଂ ଦାୟିତ୍ୱ ରହିବ। ହରମନପ୍ରୀତ ଏବେ ବିଶ୍ୱର ଶ୍ରେଷ୍ଠ ଡ୍ରାଗ୍‌ଫ୍ଲିକରଙ୍କ ମଧ୍ୟରୁ ଅନ୍ୟତମ।
୨୦୨୩ ଏସିଆନ ଗେମ୍ସ ବିଜୟ ସହ ଭାରତ ଡାଇରେକ୍ଟ ଅଲିମ୍ପିକ୍ସ ଟିକେଟ ପାଇଥିଲା। ଗତ ଫେବୃୟାରୀରେ ଭୁବନେଶ୍ୱର ଓ ରାଉରକେଲାରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଦଳ ୨ ଥର ସ୍ପେନ୍‌କୁ ପରାସ୍ତ କରିଥିବାବେଳେ ନେଦରଲାଣ୍ଡ୍ସ ବିପକ୍ଷରେ ଥରେ ଲେଖାଏ ବିଜୟ ଓ ପରାଜୟ ସ୍ବାଦ ଚାଖିଥିଲା। ତେବେ ଅଷ୍ଟ୍ରେଲିଆଠାରୁ ୨ଥର ହାରିଥିଲା ଏବଂ ଆୟର୍ଲାଣ୍ଡ ବିପକ୍ଷରେ ୨ ଥର ଜିତିଥିଲା। ଗତ ଏପ୍ରିଲରେ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୦-୫ରେ ପରାଜିତ ହୋଇଥିଲା। ଏହାପରେ ଆଣ୍ଟ୍ବେର୍ପରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ରେ ଆର୍ଜେଣ୍ଟିନାକୁ ୨ ଥର ହରାଇଥିବାବେଳେ ବେଲଜିୟମ, ଜର୍ମାନୀ ଓ ଗ୍ରେଟ୍‌ ବ୍ରିଟେନଠାରୁ ପରାଜୟ ବରଣ କରିଥିଲା।

ଏଥର ଅଲିମ୍ପିକ୍ସରେ ଭାରତୀୟ ଦଳ ନିକଟରୁ ଘରୋଇ ଦର୍ଶକଙ୍କ ଆଶା ଆକାଂକ୍ଷାକୁ ଅଧିନାୟକ ହରମନପ୍ରୀତ ଭଲଭାବେ ବୁଝିଛନ୍ତି। ”ଦୀର୍ଘଦିନ ପରେ ଭାରତୀୟ ହକି ଦଳ ପଦକ ହାସଲକାରୀ ଭାବେ ଅଲିମ୍ପିକ୍ସ ଖେଳିବାକୁ ଯାଉଛି। ତେଣୁ ଆମ ନିକଟରୁ ଦର୍ଶକଙ୍କର ଅଧିକ ଆଶା ରହିବା ସ୍ବାଭାବିକ। ଆମେ ମଧ୍ୟ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପ୍ରତିଶ୍ରୁତିବଦ୍ଧ“ ବୋଲି ହରମନପ୍ରୀତ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକିଲେ ଜୁନିଅର୍‌ ସେହ୍ବାଗ: ବାପାଙ୍କ ପରେ ପୁଅ କରିପାରନ୍ତି କମାଲ୍‌

ଶିଲଂ, ୨୨ା୧୧: ୧୯ ବର୍ଷରୁ କମ୍‌ କୁଚ୍‌ ବିହାର ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟରେ ଦିଲ୍ଲୀ ତରଫରୁ ଖେଳୁଥିବା ଭାରତର ମହାନ ବ୍ୟାଟର ବୀରେନ୍ଦ୍ର ସେହ୍ବାଗଙ୍କ ପୁତ୍ର...

୨୧୭ ରନ୍‌, ୧୭ ଉଇକେଟ୍‌: ପ୍ରଥମ ଦିନରେ ପ୍ରଧାନ୍ୟ ବିସ୍ତାର କଲେ ବୋଲର୍‌

ପର୍ଥ,୨୨।୧୧: ପର୍ଥ ଟେଷ୍ଟର ପ୍ରଥମ ଦିନରେ ଖେଳ ଶେଷ ହୋଇଛ। ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୭ ଉଇକେଟ ହରାଇ ୬୭ ରନ ସଂଗ୍ରହ କରିଛି। ଭାରତ...

ଭାରତ ପରେ ମାଟି କାମୁଡିଲା ଅଷ୍ଟ୍ରେଲିଆ: ବୁମ୍‌ରାଙ୍କ ଚମତ୍କାର ବୋଲିଂ

ପର୍ଥ,୨୨।୧: ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚର ପ୍ରଥମ ଇନିଂସରେ ଭାରତୀୟ ଦଳ ୧୫୦ ରନରେ ଅଲଆଉଟ୍‌ ହୋଇଛି। ଏହାର ଜବାବରେ ଅଷ୍ଟ୍ରେଲିଆ ମଧ୍ୟ ମାଟି କାମୁଡିଛି।...

ଲାଇଭ୍‌ ମ୍ୟାଚ୍‌ ମଝିରେ ରିଷଭ ପନ୍ତଙ୍କୁ ଏମିତି ପ୍ରଶ୍ନ ପଚାରିଦେଲେ ଅଷ୍ଟ୍ରେଲିଆ ଖେଳାଳି: ସମସ୍ତେ ଆଶ୍ଚର୍ଯ୍ୟ

ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ପର୍ଥ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା...

ଆରମ୍ଭରୁ ଧରାଶାୟୀ: ପ୍ରଥମ ଇନିଂସରେ ୧୫୦ରେ ଅଲଆଉଟ୍ ଭାରତ

ଭୁବନେଶ୍ୱର,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ପର୍ଥରେ ଆରମ୍ଭ ହୋଇଛି। ଭାରତୀୟ ଦଳର ଅଧିନାୟକ...

ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଚହଲଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୧: କ୍ରିକେଟର୍‌ ୟୁଜଭେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ...

ମାତ୍ର ୫୦ ରନ୍‌ରେ ପାଭିଲିୟନକୁ ଫେରିଲେ ଭାରତର ଅଧା ଟିମ୍‌

ପର୍ଥ,୨୨।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପର୍ଥରେ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଭାରତ ପ୍ରଥମେ...

ପର୍ଥରେ ବଡ଼ ରେକର୍ଡ କଲେ କେ.ଏଲ୍‌ ରାହୁଲ

ପର୍ଥ,୨୨।୧୧: ପର୍ଥ ଟେଷ୍ଟରେ କେ.ଏଲ ରାହୁଲ ଏକ ସ୍ବତନ୍ତ୍ର ରେକର୍ଡ କରିଛନ୍ତି। ପର୍ଥରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ପ୍ରଥମ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri