ୟୁଏନ୍‌ଏସ୍‌ସିରେ ଭାରତର ଅଧ୍ୟକ୍ଷତା ଶେଷ

ଜାତିସଂଘ, ୨।୯: ଜାତିସଂଘର ପ୍ରଭାବଶାଳୀ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଭାରତର ଅଗଷ୍ଟ ମାସର ଅଧ୍ୟକ୍ଷତା ଶେଷ ହୋଇଛି। ଏହି ସମୟ ମଧ୍ୟରେ ଆଫଗାନିସ୍ତାନ ସ୍ଥିତିକୁ ନେଇ କଠୋର ପ୍ରସ୍ତାବ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗରେ ଆଲୋଚନା ହୋଇ ବାସ୍ତବ ନିଷ୍କର୍ଷ ବାହାରିଥିଲା। ଆଫଗାନ୍‌ ପ୍ରସ୍ତାବରେ ଭାରତର ମତାମତ ଓ ଉଦ୍‌ବେଗ ପ୍ରତିଫଳିତ ହୋଇଥିଲା। ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳ ନ ହେଉ ଏବଂ ଉକ୍ତ ଅଞ୍ଚଳକୁ ଅନ୍ୟ ଦେଶକୁ ଧମକ ଦେବା ଲାଗି ବ୍ୟବହାର କରା ନ ଯାଉ ବୋଲି ଜାତିସଂଘ ସୁରକ୍ଷା ପରିଷଦରେ ଭାରତ ଦାବି କରିଥିଲା। ୟୁଏନ୍‌ଏସ୍‌ସିରେ ଭାରତକୁ ପାଳିରେ ଅଧ୍ୟକ୍ଷତା ସୁଯୋଗ ମିଳିଥିଲା। ତାଲିବାନ କାବୁଲ ଦଖଲ କରିବା ପରବର୍ତ୍ତୀ ଆଫଗାନିସ୍ତାନ ସ୍ଥିତି ଉପରେ ସୁରକ୍ଷା ପରିଷଦ ପ୍ରଥମ ପ୍ରସ୍ତାବ ଗ୍ରହଣ କରିବା ସହ ଭାରତର ଅଧ୍ୟକ୍ଷତା ଶେଷ ହୋଇଛି। ଅଧ୍ୟକ୍ଷତାରେ ସହଯୋଗ କରି ଅଧିବେଶନକୁ ସଫଳ କରିଥିବା ରାଷ୍ଟ୍ରଗୁଡ଼ିକୁ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍‌. ତିରୁମୂର୍ତ୍ତି ଟୁଇଟରରେ ଧନ୍ୟବାଦ ଦେଇଛନ୍ତି।

Share