ନୂଆଦିଲ୍ଲୀ: ବ୍ରିଟେନ କମ୍ପାନୀ କେୟର୍ନ ଏନର୍ଜି ପିଏଲ୍ସିକୁ ୧.୨ ବିଲିୟନ ଡଲାର ଫେରାଇବା ଲାଗି ଭାରତ ସରକାରଙ୍କ ବିରୋଧରେ ଅନ୍ତଃରାଷ୍ଟ୍ରୀୟ ମଧ୍ୟସ୍ଥତା ଅଦାଲତ ଶୁଣାଣି କରିଥିଲେ। ଏହି ଶୁଣାଣି ବିରୋଧରେ ଭାରତ ସରକାର ଚ୍ୟାଲେଞ୍ଜ କରିଥିବା ଜଣାପଡିଛି। ଟିକସ ବିବାଦ ମାମଲାରେ ଅନ୍ତଃରାଷ୍ଟ୍ରୀୟ ମଧ୍ୟସ୍ଥତାକୁ କେବେ ସ୍ବୀକାର କରି ନ ଥିବା ସରକାର କହିଛନ୍ତି। ଉଲ୍ଲେଖଯୋଗ୍ୟ, ଭାରତଠାରୁ ଟିକସ ଅର୍ଥ ଅସୁଲ କରିବା ଲାଗି କେୟର୍ନ ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକର ବିଦେଶରେ ରହିଥିବା ସମ୍ପତ୍ତି ଜବତ କରିପାରେ ବୋଲି ଏକ ଖବର ପ୍ରକାଶ ପାଇଥିଲା। ଏହାକୁ ନଜରରେ ରଖି ବିଦେଶରେ ଥିବା ଆକାଉଣ୍ଟରୁ ଟଙ୍କା ଉଠାଣ ଲାଗି ସରକାର ବ୍ୟାଙ୍କଗୁଡିକୁ କହିଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ଏହାକୁ ନେଇ ରବିବାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ କୁହାଯାଇଛି ଯେ, ସରକାର ଏଭଳି କୌଣସି ନିର୍ଦ୍ଦେଶ ବ୍ୟାଙ୍କ କିମ୍ବା କମ୍ପାନୀଗୁଡିକୁ ଦେଇନାହାନ୍ତି।
୩ ସଦସ୍ୟବିଶିଷ୍ଟ ମଧ୍ୟସ୍ଥତା ଅଦାଲତରେ ଭାରତ ନିଜ ପକ୍ଷରୁ ନ୍ୟାୟାଧୀଶ ନିଯୁକ୍ତ କରିବା ସହ କେୟର୍ନଠାରୁ ୧୦,୨୨୪ କୋଟି ଟଙ୍କାର ଟିକସ ଅସୁଲ ମାମଲାରେ ସମ୍ପୂର୍ଣ୍ଣ ଭାବେ ଭାଗ ନେଇଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କୌଣସି ଦେଶର ଟିକସ ବିବାଦ ମାମଲାରେ ଶୁଣାଣି କରି ମଧ୍ୟସ୍ଥତା ଅଦାଲତ ନିଜ କ୍ଷେତ୍ରର ଅନୁଚିତ ପ୍ରୟୋଗ କରିଛନ୍ତି। ଭାରତ ଏଭଳି ମାମଲାରେ କେବେ ବି ମଧ୍ୟସ୍ଥତାର ଆବଶ୍ୟକତା କିମ୍ବା ସହମତି ପ୍ରକାଶ କରିନାହିଁ।
ଉଲ୍ଲେଖଯୋଗ୍ୟ, ଭାରତ କେୟର୍ନ ଏନର୍ଜିଠାରୁ ଟିକସ ଅସୁଲ କରିବା ଲାଗି ଏହାର ଭାରତୀୟ ୟୁନିଟ୍ର ଶେୟାରକୁ ଜବତ କରିଥିଲା। ପରେ ଏହାକୁ ବିକ୍ରି କରାଯାଇଥିଲ। ଲାଭାଂଶକୁ ନିଜ ଅକ୍ତିଆରକୁ ନେବା ସହ ଟିକସ ରିଫଣ୍ଡକୁ ମଧ୍ୟ ରୋକି ଦେଇଥିଲେ। ୨୦୧୨ରେ ରେଟ୍ରୋସ୍ପେକ୍ଟିଭ ଟିକସ ଆଇନ ପାସ୍ କରିବା ପରେ ସରକାରଙ୍କ ପକ୍ଷରୁ ଏଭଳି ଟିକସ ଡିମାଣ୍ଡ ଲାଗୁ କରାଯାଇଥିଲା। ଭାରତ-ବ୍ରିଟେନ ଦ୍ୱିପାକ୍ଷିକ ନିବେଶ ଚୁକ୍ତି ଆଧାରରେ କେୟର୍ନ ଏହା ବିରୋଧରେ ମଧ୍ୟସ୍ଥତା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲା। ଗତ ଡିସେମ୍ବରରେ କେୟର୍ନ ଏହି ମାମଲାରେ ଭାରତ ବିରୋଧରେ ବିଜୟ ଲାଭ କରିଥିଲା। କମ୍ପାନୀକୁ ଟିକସ ଅର୍ଥ ଫେରାଇବା ଲାଗି ମଧ୍ୟସ୍ଥତା ଅଦାଲତ ନିର୍ଦ୍ଦେଶ ଦେଇଥିଲେ।