ତ ଲୋକ ସଭା ନିର୍ବାଚନ ସମୟରେ ଉଭୟ ଭାରତୀୟ ଜନତା ପାର୍ଟି ଶକ୍ତି ଉତ୍ପାଦନ ନିମନ୍ତେ ଜୀବାଶ୍ମ ଇନ୍ଧନରୁ ସ୍ବଚ୍ଛ ବା ନବୀକରଣୀୟ ଇନ୍ଧନ ଉତ୍ସକୁ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଥିଲା। କଂଗ୍ରେସ ମଧ୍ୟ ନୂତନ ଭାବେ ସବୁଜ ପୁଞ୍ଜି ବିନିଯୋଗ କରି ନବୀକରଣୀୟ ଶକ୍ତି ଉତ୍ପାଦନ ଓ ସବୁଜ କର୍ମଯୋଗାଣ ପାଇଁ ପ୍ରସ୍ତାବ ଦେଇଥିଲା। ବିକାଶ ନିମନ୍ତେ ଶକ୍ତିର ଆବଶ୍ୟକତା ଅନସ୍ବୀକାର୍ଯ୍ୟ। ହେଲେ ଜୀବାଶ୍ମ ଇନ୍ଧନ ବ୍ୟବହାର କରି କରାଯାଉଥିବା ଶକ୍ତି ଉତ୍ପାଦନ ବାୟୁମଣ୍ଡଳକୁ ଅଙ୍ଗାରକାମ୍ଳ ଉତ୍ସର୍ଜନ ବୃଦ୍ଧିର କାରକ। ଅଙ୍ଗାରକାମ୍ଳ ବାଷ୍ପ ହିଁ ବାୟୁମଣ୍ଡଳରେ ଥିବା ସବୁଜ ଗୃହ ବାଷ୍ପର ମୁଖ୍ୟାଂଶ। ତାପଜ ବିଦ୍ୟୁତ୍ କେନ୍ଦ୍ର, ପରିବହନ କ୍ଷେତ୍ର, ଶିଳ୍ପାୟନ ଏବଂ ଅନ୍ୟାନ୍ୟ ବାଣିଜି୍ୟକ କାରବାରରୁ ନିର୍ଗମନ ହେଉଥିବା ଅଙ୍ଗାରକାମ୍ଳ ବାଷ୍ପହଁି ମୁଖ୍ୟ ପ୍ରଦୂଷକ। ପ୍ରକାରାନ୍ତରେ ବିଶ୍ୱ ତାପନର କାରକ ”ବାୟୁ ପ୍ରଦୂଷଣ ହ୍ରାସ କରିବାକୁ ହେଲେ ବିକାଶମୂଳକ ପରିଯୋଜନାରେ ଜୀବାଶ୍ମ ଇନ୍ଧନର ବ୍ୟବହାର ହ୍ରାସ କରି ସ୍ବଚ୍ଛ, ଅଣ ପାରମ୍ପରିକ ତଥା ନବୀକରଣୀୟ ଇନ୍ଧନ ବ୍ୟବହାର କରିବା ଏକ ପ୍ରାଥମିକ ଆବଶ୍ୟକତା।
୨୦୨୧ରେ ସ୍କଟ୍ଲାଣ୍ଡର ଗ୍ଲାସଗୋଠାରେ ଅନୁଷ୍ଠିତ ଆନ୍ତର୍ଜାତିକ ଜଳବାୟୁ ସମ୍ମିଳନୀ (କୋପ୍ ୨୬)ରେ ଭାରତ ତରଫରୁ ‘ପଞ୍ଚାମୃତ’ କାର୍ଯ୍ୟ ଖସଡାରେ ଅଙ୍ଗାରକାମ୍ଳ ପ୍ରଦୂଷଣ ହ୍ରାସ କରିବା ଉଦ୍ଦେଶ୍ୟରେ ପାଞ୍ଚଗୋଟି ପ୍ରତିଶ୍ରୁତି ଦିଆଯାଇଥିଲା।
(୧) ୨୦୩୦ ମସିହା ସୁଦ୍ଧା ଦେଶର ଅଣ ଜୀବାଶ୍ମ ଇନ୍ଧନ ବା ଅଣ ପାରମ୍ପରିକ ଶକ୍ତି ଉତ୍ପାଦନ କ୍ଷମତା ୫୦୦ ଜିଗାଓ୍ବାଟ (୧ଜିଗାଓ୍ବାଟ=୧୦୦୦ ମେଗାଓ୍ବାଟ, ୧ ମେଗାଓ୍ବାଟ=୧୦୦୦ କିଲୋଓ୍ବାଟ) ସ୍ତରରେ ପହଞ୍ଚାଇବା। (୨) ଭାରତର ଶକ୍ତି ଆବଶ୍ୟକତାର ୫୦ ପ୍ରତିଶତ ନବୀକରଣୀୟ ଶକ୍ତିରୁ ହାସଲ କରିବା। (୩) ଦେଶର ଅର୍ଥନୀତିରେ ୨୦୩୦ ସୁଦ୍ଧା ଅଙ୍ଗାରକାମ୍ଳ ଉତ୍ସର୍ଜନର ପ୍ରଭାବ ୪୫ ପ୍ରତିଶତ ହ୍ରାସ। (୪) ଦେଶର ସାମଗ୍ରିକ ଅଙ୍ଗାରକାମ୍ଳ ଉତ୍ସର୍ଜନର ପରିମାଣ ୧ ବିଲିୟନ ଟନ୍ ହ୍ରାସ କରିବା।(୫) ଉପରୋକ୍ତ ପଦ୍ଧତିମାନ ଆପଣେଇ ୨୦୭୦ ସୁଦ୍ଧା ଶୂନ୍ୟ ଅଙ୍ଗାରକାମ୍ଳ ନିର୍ଗମନ ସ୍ଥିତିରେ ପହଞ୍ଚାଇବା।
ଦେଶର ବିକାଶରେ ଶକ୍ତି ବ୍ୟବହାର ଚାହିଦାକୁ ଲକ୍ଷ୍ୟ ରଖି ଉପରୋକ୍ତ ଅନୁଚିନ୍ତାକୁ ୨୦୩୦ ସୁଦ୍ଧା ପୂରଣ କରିବା ନିମନ୍ତେ ଭାରତ ସରକାରଙ୍କର ନବ୍ୟ ଓ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ସଂଯୋଜକ ରୂପେ କାର୍ଯ୍ୟ କରୁଛି। ଅଣପାରମ୍ପରିକ ଶକ୍ତି ଉତ୍ପାଦନ କ୍ଷମତା ମୋଟ ଶକ୍ତି ଚାହିଦାର ୫୦ ପ୍ରତିଶତରେ ପହଞ୍ଚାଇବା ପ୍ରଚେଷ୍ଟାରେ, ବିଗତ ୮ ବର୍ଷରେ ଦେଶର ସୌରଶକ୍ତି ଉତ୍ପାଦନ କ୍ଷମତା ୧୨ ଗୁଣା ବଢ଼ି ପାରିଛି। ୨୦୧୫ ପ୍ୟାରିସ ଆନ୍ତର୍ଜାତିକ ସମ୍ମିଳନୀ (କୋପ ୨୧)ରେ ଭାରତ ଅଣପାରମ୍ପରିକ ଶକ୍ତି ଉତ୍ପାଦନରେ ଜୀବାଶ୍ମ ଇନ୍ଧନରୁ ଉତ୍ପନ୍ନ ଶକ୍ତିର ୪୦ ପ୍ରତିଶତ ହାସଲ କରିବାର ଲକ୍ଷ୍ୟ ରଖିଥିଲା। ଏହାପରେ ଭାରତ ଓ ଫ୍ରାନ୍ସର ମିଳିତ ଉଦ୍ୟମରେ ଏକ ଆନ୍ତର୍ଜାତିକ ସୌର ସଂଗୋଷ୍ଠୀ ଗଠନ କରାଯାଇଥିଲା। ବିଷୁବକ୍ରାନ୍ତି ଓ କର୍କଟକ୍ରାନ୍ତି ମଧ୍ୟରେ ଥିବା ଦେଶଗୁଡିକରେ ବର୍ଷକୁ ଅତିକମ୍ରେ ୨୦୦ରୁ ଅଧିକ ଦିନ ସୂର୍ଯ୍ୟକିରଣ ପ୍ରାପ୍ତ ହୋଇଥାଏ। ଏହି ଦେଶଗୁଡିକ ଅଧିକରୁ ଅଧିକ ସୌରଶକ୍ତି ଉତ୍ପାଦନ କରିପାରିବେ, ଯାହା ସ୍ବଚ୍ଛ ନବୀକରଣୀୟ ଓ ଅଣପାରମ୍ପରିକ ଶକ୍ତିର ପ୍ରମୁଖ ଅଂଶ ହେବ। ଭାରତ ସୂର୍ଯ୍ୟ ଘର ଆଦି ଯୋଜନା ଜରିଆରେ ଅଧିକରୁ ଅଧିକ ସୌରଶକ୍ତି ଉତ୍ପାଦନ କରିବାର ପ୍ରଚେଷ୍ଟା ଜାରି ରଖିଛି। ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ଭାରତର ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ୧୯୦.୭ ଗିଗାଓ୍ବାଟରେ ପହଞ୍ଚତ୍ଛି। ଏହା ୨୦୨୩-୨୪ରେ ଦେଶର ସବୁ ସୂତ୍ରରୁ ଶକ୍ତି ଉତ୍ପାଦନ କ୍ଷମତା ୪୪୧.୯ ଗିଗାଓ୍ବାଟର ୪୬ ପ୍ରତିଶତ ମାତ୍ର। ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ଅଥରିଟି ମୁତାବକ ଆଣବିକ ସୌର, ପବନ, ବାୟୋ ଗ୍ୟାସ ଏବଂ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପକୁ ବିଚାରକୁ ନେଲେ ଏହି କ୍ଷମତା ୧୯୦ରୁ ୨୦୩ ଗିଗାଓ୍ବାଟକୁ ବୃଦ୍ଧି ପାଇବ। ଭାରତବର୍ଷ ପ୍ୟାରିସ ରାଜିନାମାରେ ଘୋଷିତ ଅଣପାମ୍ପରିକ ସୂତ୍ରରୁ ଉତ୍ପାଦିତ ଶକ୍ତି ୪୦ ପ୍ରତିଶତ ଲକ୍ଷ୍ୟକୁ ୨୦୨୩-୨୪ରେ ହିଁ ଅତିକ୍ରମ କରିସାରିଛି। ଆଶା କରାଯାଏ ୨୦୨୯-୩୦ ବେଳକୁ ପାଖାପାଖି ୫୦୦ ଗିଗାଓ୍ବାଟ ସୌରଶକ୍ତି ଉତ୍ପାଦନ କରି ଆମ ଦେଶ ୫୦ ପ୍ରତିଶତ ଲକ୍ଷ୍ୟକୁ ମଧ୍ୟ ଟପିଯିବ।
ତୃତୀୟ ଓ ଚତୁର୍ଥ ପ୍ରତିଶ୍ରୁତି ଅନୁସାରେ ୨୦୩୦ ସୁଦ୍ଧା ଦେଶର ଅର୍ଥନୀତିରେ ଅଙ୍ଗାରକାମ୍ଳ ଉତ୍ସର୍ଜନ ପରିମାଣ ୪୫ ପ୍ରତିଶତ ହ୍ରାସ କରିବା ଏବଂ ଦେଶର ସାମଗ୍ରିକ ଉତ୍ସର୍ଜନ ଅଙ୍ଗାରକାମ୍ଳ ବାଷ୍ପର ପରିମାଣ ୧ ବିଲିୟନ ଟନ୍ ବା ୧୦୦ କୋଟି ଟନ୍ କମାଇବାର ଲକ୍ଷ୍ୟ ରଖାଯାଇଛି। ଭାରତ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହୋଇଥିଲେ ମଧ୍ୟ ଆମର ହାରାହାରି ମୁଣ୍ଡପିଛା ଅଙ୍ଗାରକାମ୍ଳ ନିର୍ଗମନ ବିଶ୍ୱ ହାରାହାରି ନିର୍ଗମନ ତୁଳନାରେ ଏକ ତୃତୀୟାଂଶ ମାତ୍ର। ୨୦୧୯ ସୁଦ୍ଧା ଭାରତ ସବୁଜ ଗୃହ ବାଷ୍ପ ଉତ୍ସର୍ଜନର ତୀବ୍ରତା ୨୦୦୫ରେ ଥିବା ମୋଟ ଘରୋଇ ଉତ୍ପାଦ (ଜିଡିପି)ର ୩୩ ପ୍ରତିଶତ କମାଇବାରେ ସଫଳ ହୋଇଛି। ତେଣୁ ୨୦୩୦ ମସିହା ଅବଧି ୪୫ ପ୍ରତିଶତ କମାଇବାର ଲକ୍ଷ୍ୟ ନିଶ୍ଚିତ ସଫଳ ହେବ। ଏଥିରେ ସନ୍ଦେହ ନାହିଁ। ଏହା ବ୍ୟତୀତ ଦେଶର ସାମଗ୍ରିକ ଭାବେ ଅଙ୍ଗାରକାମ୍ଳ ଉତ୍ସର୍ଜନ ପରିମାଣ ୧ ବିଲିୟନ ଟନ୍କୁ କମାଇବାର ଲକ୍ଷ୍ୟ ମଧ୍ୟ ହାସଲ ହୋଇପାରିବ। ଜାତୀୟ ବନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ୨୦୧୫ ମସିହାର ଆକଳନ ଅନୁସାରେ ଆମ ଦେଶର ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳରେ ୨୫.୭ ବିଲିୟନ ଟନ୍ ଅଙ୍ଗାରକାମ୍ଳ ସମତୁଲ ଗଚ୍ଛିତ ଅଛି। ପରବର୍ତ୍ତୀ ସର୍ଭେ ରିପୋର୍ଟରୁ ଜଣାପଡେ ବିଗତ କିଛି ବର୍ଷ ହେଲା ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧି ପାଉଥିବା କାରଣରୁ ବର୍ଷକୁ ପ୍ରାୟ ୧୨୮ମିଲିୟନ ବା ୦.୧୨୮ ବିଲିୟନ ଟନ୍ ଅଧିକ ଅଙ୍ଗାରକାମ୍ଳ ବାଷ୍ପ ବାୟୁମଣ୍ଡଳରୁ ଅବଶୋଷିତ ହୋଇପାରୁଛି। ଏହି ହାରରେ ୨୦୩୦ ସୁଦ୍ଧା ଅଙ୍ଗାରକ କୁଣ୍ଡ ହିସାବରେ ଜଙ୍ଗଲର କ୍ଷମତା ୧.୯୨ ବିଲିୟନ ଟନ୍ ବୃଦ୍ଧି ପାଇବ।
ଭାରତର ୨୦୩୦ ଜଳବାୟୁ ଅନୁଚିନ୍ତା କାର୍ଯ୍ୟକାରୀ କରିବାକୁ ବଜେଟରେ ଯଥେଷ୍ଟ ବ୍ୟୟବରାଦର ଆବଶ୍ୟକତା ରହିଛି। ୨୦୧୪ରୁ ୨୦୨୩ ମଧ୍ୟରେ ଅକ୍ଷୟଶକ୍ତି ବିକାଶ ଦିଗରେ ୮.୫ ଲକ୍ଷ କୋଟି ବିନିଯୋଗ ହୋଇସାରିଛି। କିନ୍ତୁ ଏହା ଯଥେଷ୍ଟ ନୁହେଁ। ୨୦୨୩ ଡିସେମ୍ବରରେ ଭାରତ ‘ୟୁଏନ୍ଏଫ୍ସିସିସି’ ଅର୍ଥାତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ଆଧାରକ ସମ୍ମିଳନୀ ନିକଟରେ ୨୦୩୦ ପର୍ଯ୍ୟନ୍ତ ଅଧିକ ୫୬.୬୮ କୋଟିର ଅଧିକ ପୁଞ୍ଜି ନିବେଶ ପାଇଁ ପ୍ରସ୍ତାବ ଦେଇଛି। ଆମେରିକୀୟ ମୁଦ୍ରାରେ ଏହା ହେଉଛି ୬୭୯ ବିଲିୟନ ଡଲାର। ଜଳବାୟୁ ସଂକଟ ଓ ତଜ୍ଜନିତ ବାଦାନୁବାଦରେ ପ୍ରପୀଡିତ ବିଶ୍ୱ ସମ୍ମୁଖରେ ଭାରତର ୨୦୩୦ ଅନୁଚିନ୍ତା ନେତୃତ୍ୱ ନେବା ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। ଦେଶରୁ ସାମଗ୍ରିକ ଭାବେ ଅଙ୍ଗାରକାମ୍ଳ ଉତ୍ସର୍ଜନ ହ୍ରାସ କରି ୨୦୭୦ ମସିହା ସୁଦ୍ଧା ‘ଶୂନ୍ୟ କାର୍ବନ ନିର୍ଗମନ’ କ୍ଷମତା ହାସଲ କରିବା ନିମନ୍ତେ ମଧ୍ୟ ଦୃଢ ପଦକ୍ଷେପ ନେଇଛି।
ଡ.ବିଜୟ କେତନ ପଟ୍ଟନାୟକ
-ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ,
ମୋ: ୯୪୩୭୦୦୦୯୦୪