ଭାରତର ଚିନ୍ତା

ଆଫଗାନିସ୍ତାନରେ ତାଲିବାନ୍‌ ସରକାର ଗଠନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ଶାସନ ଶରିଆତ୍‌ ଆଇନ ଅନୁସାରେ ହେବ ବୋଲି ତାଲିବାନ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଆଫଗାନିସ୍ତାନରୁ ଆମେରିକା ଓ ନାଟୋ ସୈନ୍ୟ ଅପସରିଯିବା ପରେ ଏକ ନୂଆ ସମୀକରଣ ସୃଷ୍ଟି ହୋଇଯାଇଛି। ଚାଇନା, ପାକିସ୍ତାନ, ରୁଷିଆ ଓ ଇରାନ୍‌ ସେଠାରେ ନିଜର ସ୍ଥିତି ଜାହିର କରିବାକୁ ଆଗେଇ ଆସିଲେଣି। ଏବେ ଅଶାନ୍ତ ସ୍ଥିତିରେ ମଧ୍ୟ କାବୁଲରେ ଏହିସବୁ ଦେଶର ଦୂତାବାସ ଖୋଲା ରହିବା ଏହାର ପ୍ରମାଣ ଦେଉଛି। ତାଲିବାନ୍‌ କାର୍ଯ୍ୟକଳାପରେ ସୁଧାର ଆସିଲେ ସମ୍ଭବତଃ ନିକଟ ଭବିଷ୍ୟତରେ ଏହି ଦେଶଗୁଡ଼ିକ ତାହାକୁ ଅନ୍ତର୍ଜାତୀୟ ସ୍ତରରେ ମାନ୍ୟତା ଦେବାକୁ କୁଣ୍ଠିତ ହେବେ ନାହିଁ ବୋଲି ପ୍ରକାଶ କଲେଣି। ଏଭଳି ସ୍ଥଳେ ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କ ରଖି ନ ଥିବା ଭାରତ ପାଇଁ ଏହା ଚ୍ୟାଲେଞ୍ଜ ଭାବେ ଉଭା ହେବ ବୋଲି ବିଶେଷଜ୍ଞମାନେ ମତ ଦେଲେଣି।
ତାଲିବାନ୍‌କୁ ସମର୍ଥନ କରିବା ପଛରେ ଚାଇନାର ସ୍ବାର୍ଥ ଜଡ଼ିତ ରହିଛି। ଆଫଗାନିସ୍ତାନରେ ଅନେକ ଛୋଟ ଛୋଟ ବିଦ୍ରୋହୀ ଗୋଷ୍ଠୀ ରହିଛନ୍ତି। ସେଥିମଧ୍ୟରୁ ଇଷ୍ଟ ତୁର୍କେସ୍ତାନ ଇସ୍‌ଲାମିକ୍‌ ମୁଭ୍‌ମେଣ୍ଟ (ଇଟିଆଇଏମ୍‌) ଆଫଗାନିସ୍ତାନର ଉତ୍ତର ପଶ୍ଚିମାଞ୍ଚଳରେ ସକ୍ରିୟ ରହିଛି। ଚାଇନାର ଜିନ୍‌ଜିଆଙ୍ଗ ପ୍ରଦେଶରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଉଇଗର ମୁସଲମାନଙ୍କୁ ବେଜିଂ ଦମନ କରି ରଖିଛି। ଇତିମଧ୍ୟରେ ଚାଇନାର ଏଭଳି ପଦକ୍ଷେପକୁ ଇଟିଆଇଏମ୍‌ ବିରୋଧ କରିଆସିଛି। ତେଣୁ ଉଇଗର ସମସ୍ୟା ଯେଭଳି ବ୍ୟାପକ ରୂପ ଧାରଣ ନ କରିବ ସେଥିଲାଗି ଇଟିଆଇଏମ୍‌କୁ ନିୟନ୍ତ୍ରଣରେ ରଖିବା ଲାଗି ଚାଇନା ତାଲିବାନ୍‌ର ସହାୟତା କାମନା କରିବା ସ୍ବାଭାବିକ। ଏଥିସହିତ ଓ୍ବାନ୍‌ ବେଲ୍ଟ ଓ୍ବାନ୍‌ ରୋଡ୍‌ (ଓବିଓଆର୍‌) ଏବଂ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡରକୁ ସୁରକ୍ଷିତ ରଖିବା ସକାଶେ ଚାଇନା ତାଲିବାନ୍‌ର ସମର୍ଥନ ଚାହିଁବ। ଏଥିସହିତ ଯେଉଁ ପ୍ରମୁଖ ଉଦ୍ଦେଶ୍ୟ ରଖି ଚାଇନା ତାଲିବାନ୍‌କୁ ସମର୍ଥନ କରିବାକୁ ଆଗେଇ ଆସିଛି, ତା’ପଛରେ ବେଜିଂର ଏକ ବୃହତ୍‌ ଆର୍ଥିକ ଲାଭ ନିହିତ ରହିଛି। ଆଫଗାନିସ୍ତାନ ମାଟି ତଳେ ପର୍ଯ୍ୟାପ୍ତ ପରିମାଣର ସୁନା, ଲୁହା, ତମ୍ବା, ମାଙ୍ଗାନିଜ୍‌, ଗ୍ୟାସ୍‌, କେବାଲ୍ଟ, ଲିଥିୟମ୍‌, ଥୋରିୟମ୍‌ ଭଳି ଅଣଉତ୍ତୋଳିତ ଖଣିଜ ପଦାର୍ଥ ମହଜୁଦ ହୋଇ ରହିଛି। ଚାଇନା ମଧ୍ୟ ବହୁ ପୂର୍ବରୁ ଏସବୁ ଜାଣିି ତାଲିବାନ୍‌ ସହ ସ୍ଥିତି ମଜଭୁତ କରିଆସିଛି। ଏବେ ସେଠାରେ ଆମେରିକା ଭଳି ସାମରିକ ଶକ୍ତି ନ ଖଟାଇ କୂଟନୈତିକ ଓ ବ୍ୟବସାୟିକ ଉଦ୍ଦେଶ୍ୟ ରଖି ଚାଇନା ତାଲିବାନ୍‌କୁ ପରିଚାଳନା କରିବାକୁ ଚହିଁବା ତା’ ପାଇଁ ଲାଭଦାୟକ ହେବ ବୋଲି କୁହାଗଲାଣି। ଅନୁରୂପ ଭାବେ ରୁଷିଆ ଏହିଭଳି ଅଣ-ମିଲିଟାରି କୌଶଳ ଅନୁସରଣ କରି ତାଲିବାନ୍‌ ପ୍ରତି ଢଳି ରହିଛି। ଅତୀତରେ ଆଫଗାନିସ୍ତାନରେ ରୁଷିଆର ଉପସ୍ଥିତି ପ୍ରଭାବଶାଳୀ ରହି ଆସିଥିଲା। ବର୍ତ୍ତମାନ ଆମେରିକା ସେଠାରୁ ହଟିଯିବା ପରେ ରୁଷିଆ ପୁନଶ୍ଚ ନିଜ ସ୍ଥିତି ଜାହିର କରିବାକୁ ଉଦ୍ୟମ କଲାଣି। କେନ୍ଦ୍ରୀୟ ଏସିଆ ଅଞ୍ଚଳରେ ଇସ୍‌ଲାମୀୟ ମୌଳବାଦୀମାନେ ଯେଭଳି ସକ୍ରିୟ ନ ରହିବେ ସେହି ଦିଗରେ ସହଯୋଗ କରିବା ସକାଶେ ରୁଷିଆ ତାଲିବାନ୍‌ ସହ ଭିତିରି ବୁଝାମଣା କରିଥିବା କୁହାଯାଉଛି। ଏଥିସହିତ ଆଫଗାନିସ୍ତାନରେ ଉତ୍ପାଦିତ ହେଉଥିବା ପର୍ଯ୍ୟାପ୍ତ ଅଫିମ ଯେଭଳି ରୁଷିଆକୁ ଅଡ଼ୁଆରେ ନ ପକାଇବ ସେହି ଦିଗରେ ସଜାଗ ରହିବା ଲାଗି ଏହାର ନେତାମାନେ ତାଲିବାନୀଙ୍କ ସହ କଥା ହୋଇଥିବା କୁହାଯାଉଛି। ଏପଟେ ଚାଇନା ସହ ଉତ୍ତମ ସମ୍ପର୍କ ରଖିଥିବାରୁ ପାକିସ୍ତାନ ତାଲିବାନ୍‌ ଶାସନକୁ ଅଧିକ ପସନ୍ଦ କରିବା ସ୍ବାଭାବିକ। ଏମିତି ଦେଖିଲେ ପାକିସ୍ତାନର ଆଫଗାନିସ୍ତାନ ସହ ଏପରିକି ତାଲିବାନ୍‌ ସହିତ ମଧ୍ୟ ବର୍ଷ ବର୍ଷ ହେଲା ସମ୍ପର୍କ ସୁଦୃଢ଼ ରହିଆସିଛି। ଆତଙ୍କବାଦୀ ସଙ୍ଗଠନ ହକାନି ନେଟ୍‌ଓ୍ବର୍କ ତାଲିବାନ୍‌ ସହ ମିଶି କରି ରହିଛି। ଉଲ୍ଲେଖଯୋଗ୍ୟ, ପାକିସ୍ତାନର ଆଇଏସ୍‌ଆଇଠାରୁ ପ୍ରଶିକ୍ଷଣ ପାଇ ହକାନି ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛି। ଆମେରିକା ନୀତିର ଘୋର ବିରୋଧୀ ଇରାନ୍‌ ମଧ୍ୟ ତାଲିବାନ୍‌ ଶାସନକୁ ପରୋକ୍ଷରେ ସ୍ବୀକାର କରି ନେଲା ଭଳି ପ୍ରତୀୟମାନ ହେଉଛି। ଏଭଳି ଏକ ବିପଜ୍ଜନକ ସମୟରେ ଭାରତର ପରବର୍ତ୍ତୀ ପଦକ୍ଷେପ ଏହି ଅଞ୍ଚଳରେ ତା’ର ଭବିଷ୍ୟତକୁ ନିର୍ଦ୍ଧାରଣ କରିବ। ଏହା ଜଣାଶୁଣା ଯେ, ଆମେରିକା ସେନାର ବଳ ପାଇ ଆଫଗାନିସ୍ତାନରେ ଭାରତ ଭିତ୍ତିଭୂମି ଉନ୍ନୟନରେ ୩୦୦ କୋଟି ଆମେରିକୀୟ ଡଲାର ବିନିଯୋଗ କରିଥିଲା। ବିଶେଷକରି ଶକ୍ତି, ସ୍ବାସ୍ଥ୍ୟ, ଟେଲିକମ୍‌, ପରିବହନ, ରାସ୍ତା, ନଦୀବନ୍ଧ, ସ୍କୁଲ ନିର୍ମାଣ ଏପରି କି ଆଫଗାନିସ୍ତାନ ପାର୍ଲାମେଣ୍ଟ ଲାଗି କୋଠା ନିର୍ମାଣରେ ଭାରତ ପର୍ଯ୍ୟାପ୍ତ ଅର୍ଥ ବିନିଯୋଗ କରିଛି। ଏବେ ତାଲିବାନ୍‌ ସମ୍ପୂର୍ଣ୍ଣ ଦେଶକୁ ଅକ୍ତିଆର କରିନେବା ପରେ ଭାରତ ନିରୁପାୟ ହୋଇପଡ଼ିଛି। ଆମେରିକା ସର୍ବଦା ଆଫଗାନିସ୍ତାନରେ ରହି ଭାରତୀୟ ପ୍ରକଳ୍ପଗୁଡ଼ିକୁ ଜଗି ରହିବ ବୋଲି ଭାରତ ଧରି ନେଇଥିଲା। କିନ୍ତୁ ଏହା ବହୁବାର ଦେଖାଯାଇଛି ଯେ, ଯେଉଁଠାରେ ସ୍ବାର୍ଥ ରହିଛି ବୋଲି ଆମେରିକା ଅନୁଭବ କରିଥାଏ ସେହିଠାରେ ନିଜର ଉପସ୍ଥିତି ଜାହିର କରେ। ଆଜି ଭାରତ ପାଇଁ ଯେଉଁ ବୃହତ୍‌ ଆର୍ଥିକ କ୍ଷତି ହେବାକୁ ଯାଉଛି, ଅର୍ଥ ବିନଯୋଗ ପୂର୍ବରୁ ଯଦି ଚିନ୍ତା କରାଯାଇଥାଆନ୍ତା ହୁଏତ ଏଭଳି ସ୍ଥିତି ଉପୁଜି ନ ଥାଆନ୍ତା। ଅବଶ୍ୟ ଆର୍ଥିକ କ୍ଷତି ଭାରତ ପାଇଁ ଏବେ ସବୁଠାରୁ ବଡ଼ ଚିନ୍ତା ନୁହେଁ। ବଦଳିଥିବା ଭୂରାଜନୈତିକ ସ୍ଥିତିରେ ଭାରତ ସକାଶେ ନିଜ ସୁରକ୍ଷା ସବୁଠୁ ବୃହତ୍‌ ସମସ୍ୟା ଭାବେ ଉଭା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୌସୁମୀ କାପାଡ଼ିଆଙ୍କ ସାହସିକ ଯାତ୍ରା ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ କାହାଣୀ। ରିଜିଡ୍‌ ସ୍ପାଇନ ମସ୍କୁଲାର ଡିସ୍‌ଟ୍ରୋଫି( ଆର୍‌ଏସ୍‌ଏମ୍‌ଡି) ରୋଗରେ ପୀଡ଼ିତ ତାଙ୍କ ବଡ଼ ପୁଅ...

ଦରିଦ୍ରଙ୍କୁ ଦୁରାଚାରରୁ ମୁକ୍ତି

ବୃହସ୍ପତି ସାମଲ ଶନାଲ କ୍ରାଇମ୍‌ ରେକଡର୍‌ସ ବ୍ୟୁରୋର ୨୦୨୧ ତଥ୍ୟାନୁଯାୟୀ ଭାରତରେ ଘଟୁଥିବା ମୋଟ ଅପରାଧରୁ ୨୮% ଦାରିଦ୍ର୍ୟ ସହ ଜଡ଼ିତ। ୟୁନାଇଟେଡ୍‌ ନେସନ୍ସ ଅଫିସ...

ଶାଶ୍ୱତ ସୁଖର ଚଲାପଥ

ଯଚିଦାନନ୍ଦ ଦାଶ ପାଠକେ, ଆପଣ ଦେଖିଥିବେ, ଅଧିକାଂଶ ଧନୀ ଓ କୋଟିପତି ବ୍ୟକ୍ତିମାନେ ସବୁ ସମୟରେ ବ୍ୟସ୍ତତା ଓ ଚିନ୍ତିତ ଅବସ୍ଥାରେ ସମୟ ଅତିବାହିତ କରିଥାନ୍ତି।...

ଅଥର୍ବ ବେଦ ଓ ଋଷି ପିପ୍ପଳାଦ

ଅଥର୍ବ ବେଦର ସ୍ତୋତ୍ରଗୁଡ଼ିକରେ ସହାୟତା ଓ ଚିକିତ୍ସା ସମ୍ପର୍କିତ ମନ୍ତ୍ର ରହିଛି। ଏପରିକି ଏଥିରେ କ୍ଷତି କରୁଥିବା ମନ୍ତ୍ର ମଧ୍ୟ ରହିଛି। ଏହାକୁ ଯେଉଁ ଋଷି...

ବୃହତ୍ତମ ସୁପରମୁନ୍‌ ଓ ଜନମତ

ଅକ୍ଟୋବର ୧୭ ତାରିଖ, ଗୁରୁବାର। ୨୦୨୪ମସିହାର ୨୯୧ତମ ଦିନ ଓ ୪୨ତମ ସପ୍ତାହର ୪୨ତମ ଗୁରୁବାର। ସେଦିନ ପଡୁଛି ପୂର୍ଣ୍ଣିମା, କିନ୍ତୁ ଏବର୍ଷର ନିଆରା ପୂର୍ଣ୍ଣିମା।...

ଆଇନଗତ ଦ୍ୱନ୍ଦ୍ୱରେ ଶିଶୁ

କିଶୋର/କିଶୋରୀମାନେ ଅପରାଧରେ ସାମିଲ ହେବାର ଅନେକ ଉଦାହରଣ ଏବେ ଲୋକଲୋଚନକୁ ଆସୁଛି। ତେବେ ଏହି ନାବାଳକ/ନାବାଳିକାମାନେ ପେସାଦାର ଅପରଧୀ। ଏମାନଙ୍କ ଅପରାଧର ପୃଷ୍ଠଭୂମି ଅଛି ନା...

କାନାଡା ସମ୍ପର୍କ ତୁଟିଲା

ଖଲିସ୍ତାନ ସପକ୍ଷବାଦୀ ନେତା ତଥା ଭାରତ ପକ୍ଷରୁ ଆତଙ୍କବାଦୀ ଘୋଷିତ ହୋଇଥିବା ହରଦୀପ ସିଂ ନିଜ୍ଜାର ହତ୍ୟା ଘଟଣାରେ ଭାରତୀୟ ଉଚ୍ଚାୟୁକ୍ତ ଓ ଅନ୍ୟ କୂଟନୀତିଜ୍ଞମାନଙ୍କୁ...

ଧାଡ଼ି ଶେଷର ମଣିଷ

ଧାଡ଼ିର ଶେଷରେ ଠିଆ ହୋଇଛନ୍ତି ଆପଣ। ଧୀରେ ଧୀରେ ଲୋକମାନେ ଆଗକୁ ବଢୁଛନ୍ତି। ନିଜ ଭିତରେ ବିରକ୍ତ ହେଉଥିବେ। କ’ ଣ ପାଇଁ ଆସିଲି। ଟିକେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri